ଓଡ଼ିଶା ମହିଳା ଫୁଟ୍‌ବଲ୍ ଦଳର ପ୍ରଥମ ଅଧିନାୟିକା ଏବେ ଅଲୋଡ଼ା : ଘର ଘର ବୁଲି ଖବରକାଗଜ ବିକୁଛନ୍ତି ଶୁଭା

କ୍ୟାବିନ୍‌ରେ ବିତାଇଥିଲେ ୧୪ ବର୍ଷ, ଏଯାଏ ମିଳିନି କ୍ରୀଡ଼ା ଭତ୍ତା, ରାସନ୍ କାର୍ଡ

ଭୁବନେଶ୍ବର, (ସତ୍ୟ ନାରାୟଣ ରାଉତରାୟ): ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ସେ ଖୋଖୋ ଖେଳରେ ମାତିଥାଆନ୍ତି। ହଠାତ୍‌ ମଣ୍ଡଳ ସାର୍‌ ଓ ଚନ୍ଦନ ସାର୍‌ ଆସି ତାଙ୍କୁ କହିଲେ, ଓଡ଼ିଶାରୁ ଗୋଟେ ମହିଳା ଫୁଟ୍‌ବଲ ଟିମ୍‌ ଗୌହାଟି ଯିବ। ତୁମେମାନେ ଯିବ କି? ଏକଥା ଶୁଣୁଶୁଣୁ ସେ ଓ ତାଙ୍କ ସହ‌ ଖେଳାଳିମାନେ ସଙ୍ଗେସଙ୍ଗେ ରାଜି ହୋଇଗଲେ। ରାଜି ସିନା ହୋଇଗଲେ, କିନ୍ତୁ ଖୋଖୋରେ ଅନ୍ୟମାନଙ୍କୁ ମାତ୍‌ ଦେଉଥିବା ଝିଅମାନେ ଯେ ଫୁଟ୍‌ବଲ୍‌ ଖେଳି ଓଡ଼ିଶାକୁ ପ୍ରତିନିଧିତ୍ବ କରିପାରିବେ ସେ ନେଇ ମଣ୍ଡଳ ସାର୍‌ ସନ୍ଦେହରେ ପଡ଼ିଲେ। ତୁରନ୍ତ ପ୍ରଶିକ୍ଷଣ ଆରମ୍ଭ ହେଲା। ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଝିଅମାନେ ନିଜକୁ ୨-୩ଦିନରେ ପ୍ରସ୍ତୁତ କରିନେଲେ। ତେବେ ଟ୍ରେନ୍‌ରେ ଗଲେ ଗୌହାଟିରେ ପହଞ୍ଚି ନିର୍ଧାରିତ ଦିନରେ ମ୍ୟାଚ୍‌ ଖେଳିବା ସମ୍ଭବ ନଥିଲା। ତେଣୁ ଏ ସଂକ୍ରାନ୍ତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଜଣାଇବା ପରେ ସେ ସଙ୍ଗେସଙ୍ଗେ ପୂରା ଓଡ଼ିଶା ଟିମ୍‌ ପାଇଁ ବିମାନ ଟିକେଟ୍‌ର ବ୍ୟବସ୍ଥା କରିଦେଲେ। ୧୯୯୨ ମସିହାରେ ଏମିତି ଅପ୍ରତ୍ୟାଶିତ ଭାବେ ତାଙ୍କ ଅଧିନାୟକତ୍ବରେ ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଟିମ୍‌ ଜାତୀୟ ସ୍ତରର ଫୁଟ୍‌ବଲ ପଡ଼ିଆରେ ପାଦ ଥାପିଲା। ମାତ୍ର ସେଦିନ ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଇତିହାସର ନେତୃତ୍ବ ନେଇଥିବା ଶୁଭାରାଣୀ ଦାଶ ଆଜି ଜଣେ ଅଲୋଡ଼ା ମଣିଷ। ‌ନିଜ ପରିବାରର ପେଟ ପୋଷିବାକୁ କେବେ ସେ ଘସି ପାରି ବିକିଛନ୍ତି ତ କେବେ ଠୁଙ୍ଗା କରି ବିକିଛନ୍ତି। ପିଲାଙ୍କୁ ମଣିଷ କରିବା ପାଇଁ ୧୪ ବର୍ଷ କାଳ ରାସ୍ତାକଡ଼ରେ ଏକ କ୍ୟାବିନ୍‌ ଭିତରେ ଜାକିଜୁକି ହୋଇ ଦୁଇ ଝିଅଙ୍କ ସହ ଜୀବନ କାଟିଛନ୍ତି। ତେବେ ସରିଯାଇନି ତାଙ୍କ ସଂଘର୍ଷ। ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଏବେ ଘର ଘର ବୁଲି ପେପର ବିକୁଛନ୍ତି।

ଜାତୀୟ ସ୍ତରରେ ଫୁଟବଲ୍ ମୈଦାନରେ ବେଙ୍ଗଲ, ମଣିପୁର, ତାମିଲନାଡ଼ୁ ଭଳି ଦଳକୁ ହାପ୍‌ ଲାଇନ୍‌, ଡିଫେନ୍‌ସ ଓ ଫରୱାର୍ଡରେ ମାତ୍‌ ଦେଇଥିବା ଶୁଭା କିନ୍ତୁ ଜୀବନ ଯୁଦ୍ଧରେ ପାଲଟି ଯାଇଛନ୍ତି ଜଣେ ପରାସ୍ତ ସୈନିକ। ତେବେ ସେ ହାର୍‌ ମାନିନାହାନ୍ତି। ଦୁଃଖ ଓ ଯନ୍ତ୍ରଣାର ଚୌହଦି ମଧ୍ୟରେ ଢେର୍‌ଦିନ ଧରି ଏକ କ୍ୟାବିନ୍‌ରେ ରହୁଥିବା ବେଳେ କୌଣସି ଖେଳାଳି ବା ଖେଳପ୍ରେମୀ ତାଙ୍କ ପରିବାର, କେହି ବି ତାଙ୍କୁ ସାହାରା ଦେବାକୁ ଆଗେଇ ଆସିନଥିଲେ। ବିତିଯାଇଥିବା ଦିନମାନଙ୍କରେ ଦୁଇ ଝିଅଙ୍କୁ ଷ୍ଟ୍ରିଟ୍‌ ଲାଇଟ୍‌ରେ ପାଠ ପଢ଼ିବାକୁ ପଡ଼ିଛି। ଆଉ ଏବେ ବି ଜାରି ରହିଛି ତାଙ୍କ ସଂଘର୍ଷ। ସେ ସକାଳୁ ଘରଘର ବୁଲି ଖବରକାଗଜ ବିକ୍ରି କରନ୍ତି। ସକାଳେ ଖବରକାଗଜ ପକାଇବା ପରେ ଘରୋଇ ଟ୍ୟୁସନ୍‌ କରନ୍ତି। ଅର୍ଥାଭାବରୁ ଟ୍ୟୁସନ୍‌ର ସୁଯୋଗ ପାଇ ପାରୁନଥିବା ୨୦ରୁ ଅଧିକ ପିଲାଙ୍କୁ ବି ସେ ଟ୍ୟୁସନ୍‌ କରୁଛନ୍ତି।

ଦିନ ଥିଲା, ୧୯୮୬ରୁ ୧୯୯୮ ମସିହା ପର୍ଯ୍ୟନ୍ତ ଓଡ଼ିଶାର ‘ଖୋଖୋ’ ଖେଳାଳି ଭାବେ ସେ ଥିଲେ ବେଶ୍‌ ଚର୍ଚିତ। ଖୋଖୋରେ ଓଡ଼ିଶାକୁ ବିଭିନ୍ନ ସ୍ତରରେ ପ୍ରତିନିଧିତ୍ବ କରି ୨୮ ଥର ଚାମ୍ପିୟନ ବି ହୋଇଥିଲେ। ୧୯୯୨ ମସିହାରେ ଗୌହାଟିରେ ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରେସନ୍‌ ପକ୍ଷରୁ ଆୟୋଜିତ ‘ମହିଳା ଫେଡେରେସନ୍‌ କପ୍‌’ ଖେଳିବା ପରେ ୧୦ରୁ ଅଧିକ ଜାତୀୟ ସ୍ତରର ଫୁଟ୍‌ବଲ୍‌ ମ୍ୟାଚ୍‌ ଖେଳିଥିଲେ। ମାତ୍ର ବିଡ଼ମ୍ବନା ଏହି ଯେ, ‘କ୍ରୀଡ଼ା ଭତ୍ତା’ ପାଇଁ ସେ ଓଡ଼ିଶା କ୍ରୀଡ଼ା ନିର୍ଦେଶାଳୟକୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ ତାଙ୍କୁ ଭତ୍ତା ମିଳିପାରିନାହିଁ। ୭-୮ ମାସ କାଳ ଦୌଡ଼ିବା ଭିତରେ ତାଙ୍କୁ ମିଳିଛି କେବଳ ଆଶ୍ବାସନା। ଏମିତି କି ମହଙ୍ଗା ଦୁନିଆରେ ବଞ୍ଚିବା ପାଇଁ ସେ ବାରମ୍ବାର ‘ରାସନ କାର୍ଡ’ଟିଏ ପାଇଁ ଆବେଦନ କରିଛନ୍ତି। ତାହା ବି ତାଙ୍କୁ ମିଳିପାରୁନାହିଁ।

ପିଲାବେଳୁ ବୁଲନ ଦିଦି ତଥା ପ୍ରମୋଦିନୀ ଦାଶଙ୍କ ଭଳି କୋଚ୍‌ଙ୍କ ତତ୍ତ୍ବାବଧାନରେ ସେ ନିଜ ଖେଳ ଜୀବନକୁ ଗଢ଼ି ଆସୁଥିଲେ। ଏହା ମଧ୍ୟରେ ୨୦୦୦ ମସିହାରେ ସେ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କୁ ବିବାହ କଲେ। ତେବେ ଖବରକାଗଜ ହକର ଥିବା ତାଙ୍କ ସ୍ବାମୀଙ୍କ ଏକ ଅପରେସନ୍‌ ହେବାରୁ ସେ କାମଧନ୍ଦା କରିପାରିଲେ ନାହିଁ। ତେଣୁ ୨୦୦୪ ମସିହାରେ ଶୁଭା ନିଜେ ପେପର ବାଣ୍ଟିବା ପାଇଁ ଆଗେଇ ଆସିଲେ। ଏବେ ବି ପ୍ରତିଦିନ ସହିଦନଗରରୁ ବାହାରି ଦୈନିକ ୨୦ କିଲୋମିଟର ସାଇକେଲ୍‌ରେ ବୁଲି ସେ ଲୋକଙ୍କ ଘରେ ଖବରକାଗଜ ପକାନ୍ତି। ମାତ୍ର ସେଥିରେ ବି ତାଙ୍କୁ ମାନସିକ ନିର୍ଯାତନା ଭୋଗିବାକୁ ପଡ଼ିଛି। କେବେ ଲୋକଙ୍କ ଟାହି ଟାପରା ତ କେବେ କମେଣ୍ଟ୍‌। ଏହା ପରେ ବି ସଂସାର ଚଳେଇବା ପାଇଁ ଏସବୁ ଦେଖି ସେ ଆଖି ବୁଜି ଦେବାକୁ ବାଧ୍ୟ ହୋଇଛନ୍ତି। ସକାଳ ହେଲେ ଯେବେ ସେ ରାସ୍ତା ଉପରେ ପେପର ଧରି ଛୁଟିଯାଆନ୍ତି, ଲୋକେ କହନ୍ତି ଶୁଭା ଫ୍ଲାଇଟ୍‌ ଚଳାଉଛି। ମାତ୍ର ଏସବୁକୁ ଖାତିର ନ କରି ଭୋର ୩ଟାରୁ ଉଠି ସେ ଏମିତି ରୀତିମତ ଜୀବନ ଯୁଦ୍ଧରେ ଦୌଡ଼ୁଛନ୍ତି। ଶୁଭା ପୁରୁଣା ଦିନର କଥାକୁ ମନେ ପକାଇ କହନ୍ତି, ମୁଁ ଦିନେ ବଡ଼ଗଡ଼ ସ୍କୁଲ୍‌ ପଡ଼ିଆରେ ଖୋଖୋ ମ୍ୟାଚ୍‌ ଖେଳିସାରିବା ‌ପରେ ସେଠାକୁ ଅତିଥି ହୋଇ ଆସିଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମତେ ଚିହ୍ନିଦେଲେ। ମୋ ପାଖକୁ ଆସି କହିଲେ, ତୁ ଫୁଟ୍‌ବଲ୍‌ ଖେଳୁଛୁ, ପୁଣି ଖୋଖୋ ବି..। ଏତିକି କଥାବାର୍ତା ପରେ ବିଜୁବାବୁ ତାଙ୍କ ଘରେ ଯାଇ ଭେଟିବାକୁ ମତେ କହିଲେ। ଅଥଚ ଯେତେବେଳେ ଗଲି, ‌ସୁରକ୍ଷାକର୍ମୀ ବାଟ ଓଗାଳିଲା। ବୋଧେ ତାଙ୍କ ସାନ୍ନିଧ୍ୟ ମୋ ଭାଗ୍ୟରେ ନଥିଲା..।

ସମ୍ବନ୍ଧିତ ଖବର