ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର ପାଇଲା ଓଡ଼ିଶା

କଳାହାଣ୍ଡିକୁ ଶ୍ରେଷ୍ଠ ଆଭ୍ୟନ୍ତରୀଣ ମତ୍ସ୍ୟ ଜିଲ୍ଲା ସମ୍ମାନ

ଭୁବନେଶ୍ୱର : ଭାରତ ସରକାରଙ୍କ ମତ୍ସ୍ୟ, ପଶୁସମ୍ପଦ ଓ ଗୋପାଳନ ବିଭାଗ ପକ୍ଷରୁ ଆଜି ‘ବିଶ୍ବ ମତ୍ସ୍ୟ ଦିବସ’ ପାଳନ କରାଯାଇଛି। ଏଥିରେ ଓଡ଼ିଶାକୁ ଦୁଇଟି ସମ୍ମାନଜନକ ମତ୍ସ୍ୟ ସମ୍ପଦ ପୁରସ୍କାରରେ ସମ୍ମାନିତ କରାଯାଇଛି। ଓଡ଼ିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର ମିଳିଥିଲା ବେଳେ ‌କଳାହାଣ୍ଡି ଜିଲ୍ଲାକୁ ଆଭ୍ୟନ୍ତରୀଣ ମତ୍ସ୍ୟ ଜିଲ୍ଲା ଭାବେ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିଛି।

ନୂଆଦିଲ୍ଲୀରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସଚିବ ଆର୍‌ ରଘୁ ପ୍ରସାଦ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର ଗ୍ରହଣ କରିଥିଲା ବେଳେ ବିଭାଗର ଉପ ମତ୍ସ୍ୟ ନିର୍ଦ୍ଦେଶକ ‌ଶଶିକାନ୍ତ ଆଚାର୍ଯ୍ୟ ଶ୍ରେଷ୍ଠ ଆଭ୍ୟନ୍ତରୀଣ ମତ୍ସ୍ୟ ଜିଲ୍ଲା ପୁରସ୍କାର ଗ୍ରହଣ କରିଛନ୍ତି। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଗୋପାଳନ ମନ୍ତ୍ରୀ ଗିରିରାଜ ସିଂହ, ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ସଞ୍ଜୀବ ବାଲ୍ୟାନ୍ ଏହି ପୁରସ୍କାର ପ୍ରଦାନ କରିଥିଲେ।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ କଳହାଣ୍ଡି ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବା ସହିତ ଖାଦ୍ୟ ସୁରକ୍ଷା ଓ ଉନ୍ନତ ଜୀବନ ଜୀବିକା ନିମନ୍ତେ ସଂକଳ୍ପବଦ୍ଧ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର