୪୬ ଡିଗ୍ରି ଆଡ଼କୁ ଓଡ଼ିଶା: ଆସନ୍ତା ୫ ଦିନ ନିସ୍ତାର ନାହିଁ, ଜାରି ହେଲା ହିଟ୍‌ ୱେଭ୍‌ ୱାର୍ଣ୍ଣିଂ

ଭୁବନେଶ୍ବର: କିଛି ଦିନର ବିରାମ ପରେ ପୁଣି ତାତି ଉଠିଛି ପଶ୍ଚିମ ଓଡ଼ିଶା। ଆଜି ପୁଣି ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୪ ଡିଗ୍ରି ଛୁଇଁଛି। ୪୪ ଡିଗ୍ରି ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଟିଟିଲାଗଡ଼ର ଦିନ ତାପମାତ୍ରା ୪୩.୮ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଲଗାତାର ଅନୁଗୁଳ ମଧ୍ୟ ଉତ୍ତପ୍ତ ସହର ତାଲିକାରେ ରହିଛି। ଏଠାରେ ଦିନ ତାପମାତ୍ରା ୪୩.୭ ଡିଗ୍ରି ରହିଥିଲା। ସୋନପୁର ମଧ୍ୟ ପଛକୁ ହଟିନି। ଏଠାରେ ତାପମାତ୍ରା ୪୩. ୪ ଡିଗ୍ରି ରେକର୍ଡ ହୋଇଛି। ଖାଲି ସେତିକି ନୁହେଁ, ୪୨ ଡିଗ୍ରି ଉପରକୁ ୧୬ ସହର ତାପମାତ୍ରା ଡେଇଁଥିଲା ବେଳେ ଚଳିତ ବର୍ଷର ଏହା ଏକ ରେକର୍ଡ କୁହାଯାଇପାରେ। ଆସନ୍ତା ୨ ଦିନରେ ଆଭ୍ୟନ୍ତର ଓଡ଼ିଶାର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଫଳରେ ୪୬ ଡିଗ୍ରି ଆଡ଼କୁ ରାଜ୍ୟର ତାପମାତ୍ରା ମୁହାଁଇବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଗଲାଣି।

ଅନ୍ୟପଟେ ଆ‌ଜି ଉପକୂଳରେ ମଧ୍ୟ ତାତି ଜାରି ରହିଥିଲା। କିନ୍ତୁ ଗତକାଲି ଅପେକ୍ଷା ରାଜଧାନୀ ତାତି (୪୦.୮) ଆଜି ସାମାନ୍ୟ କମ୍‌ ରହିଥିଲା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୋନପୁର, ବୌଦ୍ଧ, ଅନୁଗୁଳ ଓ ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହକୁ ନଜରରେ
ରଖି ଆସନ୍ତାକାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ତଥା ଖରାକୁ ଗଲେ ସଚେତନମୂଳକ ପଦକ୍ଷେପ ନେବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ୨୭ ତାରିଖଠାରୁ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲା ପାଇଁ ୨୯ ତାରିଖ ଯାଏ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ରହିଛି। ସେପଟେ ଅତ୍ୟଧିକ ଖରାକୁ ନଜରରେ ରଖି ଆସନ୍ତା ୫ ଦିନ ପାଇଁ ସ୍କୁଲକୁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଯାହାକି ଅଂଶୁଘାତର ଆଶଙ୍କାକୁ ବଢ଼ାଇ ଦେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଉପକୂଳର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ରାଜଧାନୀ ଓ ସଂଲଗ୍ନ ଅଞ୍ଚଳର ତାପମାତ୍ରା ଆସନ୍ତାକାଲି ୪୨ ଡିଗ୍ରି ପାଖାପାଖି ରହିବ ବୋଲି କେନ୍ଦ୍ର କହିଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତାକାଲିଠାରୁ ରାଜଧାନୀର ତାପମାତ୍ରା ଧୀରେଧୀରେ କମିବା ଆରମ୍ଭ କରିବ। ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହିବ। ତା’ପରେ ମେ’ ୩ ତାରିଖ ପର୍ଯ୍ୟନ୍ତ ୩୮ ଡିଗ୍ରି ପାଖାପାଖି ରହିବ। ୩୦ ତାରିଖରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ତାତିରୁ ଲୋକଙ୍କୁ ଆଶ୍ବସ୍ତି ମିଳିବ।

ବଲାଙ୍ଗୀର, ସୋନପୁର, ଟିଟିଲାଗଡ଼, ବୌଦ୍ଧ ସମେତ ଆଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା ଆସନ୍ତା କିଛି ଦିନ ବଢ଼ିଚାଲିବ। ୨୭ରୁ ୨୯ ତ‌ାରିଖ ଭିତରେ ଗୋଟିଏ ଦୁଇଟି ସ୍ଥାନରେ ୪୬ ଡିଗ୍ରି ତାପମାତ୍ରା ଛୁଇଁବାର ସମ୍ଭାବନା ରହିଛି। ୩୦ ଏପ୍ରିଲରୁ ମେ’୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହୋଇପାରେ। ୩୦ ତାରିଖରୁ ତାପମାତ୍ରା କିଛିଟା କମିବ। ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ତାପମାତ୍ରା ସପ୍ତାହେ ପର୍ଯ୍ୟନ୍ତ ବଢ଼ିବ। ତେବେ ମେ’ ୧ ଓ ୨ ତାରିଖରେ କିଛି ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରା କମିପାରେ ବୋଲି ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର