‘ମାଷ୍ଟର୍‌ ସେଫ୍‌’ରେ ଅବିନାଶଙ୍କ ଚିକେନ୍‌ ବେସର ଚର୍ଚ୍ଚାରେ, ବିଚାରକ କହିଲେ ‘ଜୟ ହୋ ଓଡ଼ିଶା’

ବ୍ରହ୍ମପୁର/ଆସିକା : ଓଡ଼ିଆ ପୁଅ ଅବିନାଶ ନାୟକ ଜାତୀୟ ଟେଲିଭିଜନ୍‌ ସଂସ୍ଥା ‘ଷ୍ଟାର୍‌ ପ୍ଲସ୍‌’ରେ ପ୍ରସାରିତ ହେଉଥିବା ‘ମାଷ୍ଟର୍‌ ସେଫ୍’ ସିଜନ୍‌-୬ କାର୍ଯ୍ୟକ୍ରମରେ ବାଜିମାତ୍‌ କରିଛନ୍ତି। ପୂର୍ବରୁ ସେ ଅନେକ ରୋଷେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ଏବେ ମାଷ୍ଟର ସେଫ୍‌ ସିଜନ୍‌-୬ର ଅଡିସନ୍‌ ରାଉଣ୍ଡକୁ ମନୋନୀତ ହେବା ସହ ଆପ୍ରନ୍‌ ପାଇ ଚର୍ଚ୍ଚାକୁ ଆସିଛନ୍ତି।

ଅବିନାଶଙ୍କ ଘର ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ କାଳଷଣ୍ଢପୁର ଗ୍ରାମରେ। ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ ଇଞ୍ଜିନିୟରିଂ ପଢ଼ା ସାରି ସେ ହାଇଦ୍ରବାଦ୍‌ ଇନ୍‌ଫୋସିସ୍‌ରେ ଚାକିରି କରୁଛନ୍ତି। ଅବିନାଶ ମାଷ୍ଟର ‌ସେଫ୍‌-୬ ସୋରେ ଭାଗ ନେଇ ଚିକେନ୍‌‌ ବେସର ଚଖାଇ ଉପସ୍ଥିତ ୩ ଜଣ ବିଚାରକ ବିକାଶ ଖାନ୍ନା, ରଣବୀର ବରାର ଏବଂ ଭିନିତ୍‌ ଭାଟିଆଙ୍କୁ ଚକିତ କରି ଦେଇଥିଲେ। ସୋରିଷ ବେସର ଦେଇ ଚିକେନ୍‌ ରୋଷେଇ କରି ସେ ମାଷ୍ଟର୍‌ ସେଫ୍-୬ର ଅଡିସନ୍‌ ରାଉଣ୍ଡ୍‌କୁ ମନୋନୀତ ହୋଇଥିଲେ। ପାରମ୍ପରିକ ରାନ୍ଧଣା ଶୈଳୀରେ ଆଧୁନିକ ଛୁଙ୍କ ଦେଇଥିବା ଅବିନାଶଙ୍କ ଡିସ୍‌ ଚାଖି ମାଷ୍ଟର୍‌ ସେଫ୍‌ ବିକାଶ କହିଥିଲେ, ‘ଜୟ ହୋ ଓଡ଼ିଶା’। ଆଶା ରହିଛି ଯେ ଆସନ୍ତା ରାଉଣ୍ଡ୍‌ମାନଙ୍କରେ ବି ଅବିନାଶ ତାଙ୍କ ହାତରନ୍ଧାର ଯାଦୁ ଜାରି ରଖିବେ। ଏହି ଲୋକପ୍ରିୟ ରାନ୍ଧଣା ପ୍ରତିଯୋଗିତାରେ ମନୋନୀତ ହେବାରେ ଅବିନାଶ ଓଡ଼ିଶାରୁ ପ୍ରଥମ। ପୂର୍ବରୁ ସେ ଲୋକିକୁକ୍‌ସ ଫେଲୋସିପ୍‌ ୨୦୧୯ ପାଇଥିବା ବେଳେ ଗତବର୍ଷ ହଲଦୀରାମ ପକ୍ଷରୁ ହୋଇଥିବା ଏକ ରାନ୍ଧଣା ପ୍ରତିଯୋଗିତାରେ ଶୀର୍ଷ ୧୫ ଜଣଙ୍କ ମଧ୍ୟରେ ରହିଥିଲେ।

ଅବିନାଶ ବର୍ତ୍ତମାନ ପଞ୍ଜାବରେ ସୋର ସୁଟିଂରେ ବ୍ୟସ୍ତ ଥିବାରୁ ତାଙ୍କ ସହ ଯୋଗ‌ାଯୋଗ ସମ୍ଭବ ହୋଇପାରି ନାହିଁ। ତାଙ୍କ ବାପା ଆଦିକନ୍ଦ ନାୟକ କହିଛନ୍ତି, ଅବିନାଶ ଜଣେ ଇଞ୍ଜିନିୟର ହୋଇଥିଲେ ରାନ୍ଧିବା ତା’ର ଏକ ନିଶା। ମାଷ୍ଟର୍‌ ସେଫ୍-୬ର ପ୍ରିମିୟର ଡିସେମ୍ବର ୭ରେ ପ୍ରସାରିତ ହୋଇଯାଇଛି। ଫାଇନାଲ୍‌କୁ ଯାଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ପରେ ଜଣେ ମାଷ୍ଟର୍‌ ସେଫ୍‌ ଇଣ୍ଡିଆ ୨୦୧୯ ବିଜେତା ଘୋଷିତ ହେବେ।

ସମ୍ବନ୍ଧିତ ଖବର