ଭୁବନେଶ୍ବର: ପୂର୍ବରୁ ଅନେକ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଆ ପୁଅ ଅବିନାଶ ନାୟକ ଶେଷରେ ଜାତୀୟ ଟେଲିଭିଜନ ସଂସ୍ଥା ‘ଷ୍ଟାର୍ ପ୍ଲସ୍’ରେ ଦେଉଥିବା ‘ମାଷ୍ଟର୍ ସେଫ୍’ କାର୍ଯ୍ୟକ୍ରମରେ ବାଜିମାତ୍ କରିଛନ୍ତି।
ଇନ୍ଫୋସିସ୍ରେ ଇଞ୍ଜିନିୟର ଭାବେ ଚାକିରି କରିଥିବା ଅବିନାଶ ପ୍ରତିଯୋଗିତାରେ ଭାଗ ନେଇ ‘ଚିକେନ୍ ବେସର’ କରି ଉପସ୍ଥିତ ୩ ଜଣ ବିଚାରପତିଙ୍କୁ ତାଙ୍କ ସ୍ବାଦ ଚଖାଇ ଚକିତ କରି ପକାଇଛନ୍ତି। ଉପସ୍ଥିତ ଥିବା ବିଚାରପତିମାନେ ହେଉଛନ୍ତି ବିକାଶ ଖାନ୍ନା, ରଣବୀର ବରାର ଏବଂ ଭିନିତ୍ ଭାଟିଆ।
ଅଭିନାଶ ଶୋରିଷ ବେସର ଦେଇ ଚିକେନ ରୋଷେଇ କରି ମାଷ୍ଟର୍ ସେଫ୍-୬ର ଅଡିସନ୍ ରାଉଣ୍ଡ୍ରେ ମନୋନୀତ ହୋଇଛନ୍ତି। ବିଚାରପତିମାନେ ଅବିନାଶଙ୍କ ଖାଦ୍ୟର ସ୍ବାଦ ଜାଣିବା ପରେ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ।
/sambad/media/post_attachments/wp-content/uploads/2019/12/79011025_2441378919317999_7594574082905997312_n-225x300.jpg)
ପାରମ୍ପରିକ ରନ୍ଧଣା ଶୈଳୀରେ ଆଧୁନିକ ଛୁଙ୍କ ଦେଇଥିବା ଅବିନାଶଙ୍କ ‘ଡିସ୍’ ଖାଇବା ପରେ ସେଫ୍ ବିକାଶ କହିଥିଲେ, ‘ଜୟ ହୋ ଓଡ଼ିଶା’। ଆଶା ରହିଛି ଯେ ଆସନ୍ତା ରାଉଣ୍ଡ୍ମାନଙ୍କରେ ବି ଅବିନାଶ ତାଙ୍କ ହାତରନ୍ଧାର ଯାଦୁ ଚଲାଇବା ଜାରି ରଖିବେ।
ଏହି ଲୋକପ୍ରିୟ ରାନ୍ଧଣା ପ୍ରତିଯୋଗିତାରେ ମନୋନୀତ ହେବାରେ ଅବିନାଶ ଓଡ଼ିଶାରୁ ପ୍ରଥମ। ତାଙ୍କ ଘର ଗଞ୍ଜାମର ଆସ୍କାଠାରେ। ପୂର୍ବରୁ ସେ ଲୋକିକୁକ୍ସ ଫେଲୋସିପ୍ ୨୦୧୯ ପାଇଥିବା ବେଳେ ଗତବର୍ଷ ହଳଦିରାମ ପକ୍ଷରୁ ହୋଇଥିବା ଏକ ରାନ୍ଧଣା ପ୍ରତିଯୋଗିତାରେ ଶୀର୍ଷ ୧୫ ଜଣଙ୍କ ମଧ୍ୟରେ ରହିଥିଲେ।
ମାଷ୍ଟର୍ ସେଫ୍-୬ ଏକ ଲୋକପ୍ରିୟ ସୋ’। ଏହାର ପ୍ରିମିୟର ଡିସେମ୍ବର ୭ରେ ପ୍ରସାରିତ ହୋଇଯାଇଛି। ପ୍ରତି ଶନିବାର ଓ ରବିବାର ରାତି ୯.୩୦ରେ ଷ୍ଟାର୍ପ୍ଲସ୍ରେ ପ୍ରସାରଣ ହେବ। ଫାଇନାଲ୍କୁ ଯାଇଥିବା ପ୍ରତିଯୋଗିମାନଙ୍କ ମଧ୍ୟରେ ଶେଷର ପ୍ରତିଦ୍ବନ୍ଦ୍ବିତା କରାଯିବା ପରେ ମାଷ୍ଟର୍ ସେଫ୍ ଇଣ୍ଡିଆ ୨୦୧୯ର ଶୀର୍ଷକ ଜଣଙ୍କୁ ମିଳିବ।