ସବୁ ବିଭାଗ ପାଇଁ ଏଣିକି ଓଡ଼ିଶାୱାନ୍‌‌ ପୋର୍ଟାଲ

ଭୁବନେଶ୍ବର: ଏଣିକି ସବୁ ବିଭାଗର ତଥ୍ୟ ଓ ଜନ ସେବା ଗୋଟିଏ ଇଲେକ୍ଟ୍ରୋନିକ୍‌ସ୍‌ ବ୍ୟବସ୍ଥାରେ ସାଧାରଣ ଲୋକଙ୍କୁ ଉପଲବ୍ଧ କରାଯିବ। ଏଥିପାଇଁ ରାଜ୍ୟ ଇଲେକ୍ଟ୍ରୋନିକ୍‌ସ୍‌ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଓଡ଼ିଶାଵାନ୍‌ ପୋର୍ଟାଲ୍‌ ବିକଶିତ କରିଛି। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଏବେସୁଦ୍ଧା କେବଳ ପାଣି, ବିଦ୍ୟୁତ ବିଲ୍‌, ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପରି ୭ଟି ସେବା ଅନଲାଇନ୍‌ ପୋର୍ଟାଲ୍‌ରେ ସଂଯୋଗ କରାଯାଇଛି। ନୂତନ ପୋର୍ଟାଲ୍‌ କାର୍ଯ୍ୟକ୍ଷମ ହେଲେ ଗୋଟିଏ ପ୍ଲାଟ୍‌ଫର୍ମ୍‌ରେ ସବୁ ବିଭାଗ ପାଇଁ ଅନ୍‌ଲାଇନ୍‌ ପଇଠ ବ୍ୟବସ୍ଥା ହୋଇପାରିବ। ଆସନ୍ତା ଏକ ମାସ ଭିତରେ ନୂତନ ପୋର୍ଟାଲ୍‌ କାର୍ଯ୍ୟକ୍ଷମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଏ ସମ୍ପର୍କରେ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇ କହିଛନ୍ତି, ସରକାରଙ୍କ ବିଭିନ୍ନ ବିଭାଗର ଇ-ଗଭର୍ଣ୍ଣାନ୍‌ସ୍‌ ପୋର୍ଟାଲ୍‌କୁ ଏହି ନୂତନ ଓଡ଼ିଶାଵାନ୍‌ ପୋର୍ଟାଲରେ ସଂଯୋଗ କରାଯାଉ। ଏହାସହିତ ଜମା, ପ୍ରାପ୍ୟ ପଇଠ ପାଇଁ ବ୍ୟାଙ୍କ୍‌ ଓ ପେଟିଏମ୍‌ ସୁବିଧା ରହିବ। ଏହି ଇଲୋକ୍ଟ୍ରୋନିକ୍‌ସ୍‌ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଆଇଟି ଶାସନ ସଚିବ ମନୋଜ ମିଶ୍ର କହିଛନ୍ତି, ସାଧାରଣ ଲୋକ ଓ ସରକାରଙ୍କ ଭିତରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ପାଇଁ ଏହି ସମନ୍ବିତ ବ୍ୟବସ୍ଥା ବିକାଶ କରାଯାଇଛି। ଏହାକୁ ଜଣେ ବ୍ୟକ୍ତି ନିଜେ ଇଣ୍ଟରନେଟ୍‌ ଜରିଆରେ ବ୍ୟବହାର କରିପାରିବେ କିମ୍ବା ସରକାରଙ୍କ ଜନସେବା କେନ୍ଦ୍ରରେ ଏହି ସେବା ପାଇପାରିବେ। ଓଡ଼ିଶାଵାନ୍‌ ପୋର୍ଟାଲ୍‌କୁ ଏପରି ବିକଶିତ କରାଯାଇଛି ବିଭିନ୍ନ ସରକାରୀ ବିଭାଗର ପ୍ରଯୁକ୍ତିଗତ ବ୍ୟବାହାର ମଧ୍ୟ ଏହି ପ୍ଲାଟ୍‌ ଫର୍ମ୍‌ ଜରିଆରେ କରାଯାଇପାରିବ। ଅନଲାଇନ୍‌ ପୋର୍ଟାଲ ଜରିଆରେ ଏବେ କେବଳ ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର, ହୋଲ୍‌ଡିଂ ଟିକସ, ଟ୍ରେଡ୍‌ ଲାଇସେନ୍‌ସ ଫି, ପାଣି ବିଲ୍‌, ବିଦ୍ୟୁତ୍‌ ବିଲ୍‌, ଓଏସ୍‌ଆର୍‌ଟିସି ବସ୍‌ ଟିକେଟ୍‌ ବୁକିଂ ଅନ୍‌ଲାଇନ୍‌ ଜରିଆରେ କରାଯାଇପାରୁଛି। ଓଡ଼ିଶାଵାନ୍‌ ପୋର୍ଟାଲ୍‌ କାର୍ଯ୍ୟକ୍ଷମ ହେବା ପରେ ସବୁ ବିଭାଗର ଜନ ସେବାକୁ ଅନ୍‌ଲାଇନ ଜରିଆରେ କରାଯାଇପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଏହି ପୋର୍ଟାଲ୍‌ ବ୍ୟବସ୍ଥା ପାଇଁ ବିଭିନ୍ନ ପର୍ଯ୍ୟାୟରେ ସିଏସ୍‌ସି ମଡ୍ୟୁଲ୍‌, ସର୍ଭିସ୍‌ ମ୍ୟାନେଜ୍‌ମେଣ୍ଟ୍‌ ମଡ୍ୟୁଲ୍‌, ମ୍ୟାନେଜ୍‌ମେଣ୍ଟ୍‌ ମଡ୍ୟୁଲ୍‌, ଆର୍ଥିକ ପରିଚାଳନା ମଡ୍ୟୁଲ୍‌ ଆଦି ବିକାଶ କରାଯିବ। ରାଜସ୍ବ, କୃଷି ବିଭାଗରେ ମିଳୁଥିବା ଜନ ସେବାଗୁଡ଼ିକ ଖୁବଶୀଘ୍ର ଏହି ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଅନ୍ତର୍ଭୁକ୍ତ କରିବାକୁ ବୈଠକରେ ସ୍ଥିର କରାଯାଇଛି। ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଏସ୍‌ଆର୍‌ସି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର