ଏନସିସିଆର ସର୍ଭେ ରିପୋର୍ଟ: ଓଡ଼ିଶା ବେଳାଭୂମିକୁ ଅଧିକ ପସନ୍ଦ କରୁଛନ୍ତି ପର୍ଯ୍ୟଟକ

ପୁରୀ ଓ ଗୋପାଳପୁର ବେଳାଭୂମିକୁ ସ୍ୱଚ୍ଛ ବେଳାଭୂମି ଭାବେ ସ୍ଥାନ ମିଳିଛି

ପୁରୀ: ସ୍ୱଚ୍ଛ ବେଳାଭୂମିରେ ଓଡ଼ିଶା ଆଗରେ । ରାଷ୍ଟ୍ରୀୟ ତଟ୍ଟୀୟ ଅନୁସନ୍ଧାନ କେନ୍ଦ୍ର ବା (ଏନସିସିଆର) ତରଫରୁ ହୋଇଥିବା ସର୍ଭେରେ ଓଡ଼ିଶାର ଦୁଇଟି ବେଳାଭୂମିକୁ ସବୁଠାରୁ ସ୍ୱଚ୍ଛ ବେଳାଭୂମି ଭାବେ ସ୍ଥାନ ମିଳିଛି । ଅନ୍ୟ ରାଜ୍ୟ ତୁଳନାରେ ପୁରୀ ଓ ଗୋପାଳପୁର ବେଳାଭୂମିକୁ ବେଶି ପସନ୍ଦ କରୁଛନ୍ତି ପର୍ଯ୍ୟଟକ ବୋଲି ଏହି ଏନସିସିଆର ସର୍ଭେ ରିପୋର୍ଟ କହୁଛି ।

ସବୁଠାରୁ ବଡ଼କଥା ହେଲା, ଦେଶର ୫ଟି ସ୍ୱଚ୍ଛ ଓ ପରିଚ୍ଛନ ସମୂଦ୍ର ତଟ୍ଟୀୟ ବେଳାଭୂମି ମଧ୍ୟରୁ ଓଡ଼ିଶାର ପୁରୀ ବେଳାଭୂମି ଏବଂ ଗୋପାଳପୁର ବେଳାଭୂମି ବେଶ୍ ସଫାସତୁରା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ ତାମିଲନାଡୁର ଥିରୁଭାଞ୍ଜୁର ବେଳାଭୂମି, କେରଳର କାଝାକୋଟ୍ଟାମ ଏବଂ ଗୁଜୁରାଟର ଡୁମାସ ବେଳାଭୂମିକୁ ସ୍ୱଚ୍ଛ ବେଳାଭୂମି ତାଲିକାରେ ସ୍ଥାନ ମିଳିଛି । ହେଲେ ଓଡ଼ିଶାର ଦୁଇ-ଦୁଇଟି ବେଳାଭୂମିକୁ ସଫାସୁତୁରା ବେଳାଭୂମି ମାନ୍ୟତା ମିଳିବା ନେଇ ଟ୍ୱିଟରେ ଟ୍ରେଣ୍ଡ ଚାଲିଛି ।

ସେପଟେ ସର୍ଭେ ରିପୋର୍ଟରେ ଏଭଳି ସମ୍ମାନ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି  । ଆଉ ପର୍ଯ୍ୟଟଙ୍କୁ ଆମନ୍ତ୍ରିତ କରି କହିଛନ୍ତି, ଭାରତର ସବୁଠାରୁ ସ୍ୱଚ୍ଛ ବେଳାଭୂମି ଗୁଡ଼ିକ ଓଡ଼ିଶାରେ ରହିଛି ତେଣୁ ଶୀତକୁ ଭୁଲି ଥରେ ଓଡ଼ିଶା ଆସନ୍ତୁ, ସ୍ୱଚ୍ଛ ବେଳାଭୂମିରେ ଓଡ଼ିଶାର କଳା ସଂସ୍କୃତିର ମଜା ନିଅନ୍ତୁ ।

ସମ୍ବନ୍ଧିତ ଖବର