ଭୁବନେଶ୍ୱର(ସୁବ୍ରତ ଦାସ): ଓଡ଼ିଶାରେ ଜଳପଥରେ ପରିବହନ ବହୁକାଳରୁ ପ୍ରଚଳିତ । ଜଳପଥରେ ପରିବହନ ହେଲେ ସଡ଼କ ପଥ ଉପରେ ଚାପ କମ୍ ପଡିବ ଏବଂ ପ୍ରଦୂଷଣ ମଧ୍ୟ କମ୍ ହେବ । ଜଳପଥରେ ପରିବହନ କରାଗଲେ ଖର୍ଚ୍ଚ ମଧ୍ୟ କମ୍ ହୁଏ ।

Advertisment

ଏହି ପରିପ୍ରେକ୍ଷୀରେ ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (ଆଇଡବ୍ଲୁ୍ଏଆଇ) ଓଡ଼ିଶାର ୬ଟି ଜଳପଥକୁ ଜାତୀୟ ଜଳପଥ ରୂପେ ଘୋଷଣା କରିଛି । ସେଥିମଧ୍ୟରୁ ଜାତୀୟ ଜଳପଥ ନମ୍ବର ୫ର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଚାଲିଛି । ଅନ୍ୟ ୫ଟି ଜାତୀୟ ଜଳପଥର ସର୍ଭେ କାର୍ଯ୍ୟ ବିଭିନ୍ନ ସ୍ତରରେ ରହିଛି ବୋଲି ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ ସୂତ୍ରରୁ ପ୍ରକାଶ ।

ବ୍ରାହ୍ମଣୀ, ଖରସୁଆଁ ଓ ମହାନଦୀ ଇଷ୍ଟକୋଷ୍ଟ କେନାଲ ସହିତ ମତାଇ ନଦୀର ୫୮୮ କିଲୋମିଟର ଦୀର୍ଘ ଜଳପଥକୁ ଗତ ୨୦୦୮ ମସିହା ନଭେମ୍ବର ୨୫ ତାରିଖରେ ଜାତୀୟ ଜଳପଥ-୫ ରୂପେ ଘୋଷଣା କରାଯାଇଥିଲା । ଗତ ୨୦୧୦ ମସିହାରେ ଏହି ଜଳପଥର ଏକ ଡିଟେଲଡ୍ ପ୍ରୋଜେକ୍ଟ ରିପୋର୍ଟ (ଡି.ପି.ଆର୍ ) “ୱାପକସ୍’ ସଂସ୍ଥା ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ପରେ ଏହାର ନବୀକରଣ ୨୦୧୫ରେ କରାଯାଇଛି ।

ଏହି ଜଳପଥକୁ ତିନି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟ ହେଲା-ଧାମରା- ପାରାଦୀପ-ପଙ୍କପାଳ । ଦ୍ୱିତୀୟ ପର୍ଯ୍ୟାୟ ହେଲା -ପଙ୍କପାଳଠାରୁ ତାଳଚେର ।
ତୃତୀୟ ପର୍ଯ୍ୟାୟରେ ଧାମରାଠାରୁ ପଶ୍ଚିମବଂଗର ଗେଓଁଖାଲି ପର୍ଯ୍ୟନ୍ତ ଜଳପଥ ବିକଶିତ କରାଯିବ । ପ୍ରଥମ ପର୍ଯ୍ୟାୟରେ ପଙ୍କପାଳ (ଜୋକଡ଼ିଆ)ଠାରୁ ଧାମରା ଓ ପାରାଦୀପ ପର୍ଯ୍ୟନ୍ତ ଜଳପଥର ବିକାଶ ପାଇଁ ରାଜ୍ୟ ସରକାର,ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ, ପାରାଦୀପ ପୋର୍ଟ ଟ୍ରଷ୍ଟ ଏବଂ ଧାମରା ପୋର୍ଟ କଂପାନୀ ଲିମିଟେଡ଼ ପକ୍ଷରୁ ଏକ ଏମ୍.ଓ.ୟୁ ଗତ ୨୦୧୪ ଜୁନ୍ ୩୦ ତାରିଖରେ ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ମାଧ୍ୟମରେ ନିୟମିତ ସମୀକ୍ଷା କରାଯାଉଛି । ୫ ନମ୍ବର ଜାତୀୟ ଜଳପଥକୁ ବାଦ୍ ଦେଲେ ଅନ୍ୟ ପାଞ୍ଚୋଟି ଜାତୀୟ ଜଳପଥର ବିକାଶ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏଗୁଡିକରେ ସର୍ଭେ କାର୍ଯ୍ୟ ରହିଛି । ତିନୋଟି ପ୍ରକଳ୍ପ (ଯଥା-ଜାତୀୟ ଜଳପଥ ନମ୍ବର-୧୪, ଜାତୀୟ ଜଳପଥ ନମ୍ବର-୬୪ ଏବଂ ଜାତୀୟ ଜଳପଥ ନମ୍ବର୯୬)ର ଡିଟେଲଡ୍ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତି ଚାଲିଥିବା ବେଳେ ଜାତୀୟ ଜଳପଥ ନମ୍ବର-୨୨ ଓ ଜାତୀୟ ଜଳପଥ ନମ୍ବର ୨୩ର ଫିଜିବିଲିଟି ଷ୍ଟଡି ଚାଲିଥିବାର ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ ସୂତ୍ରରୁ ପ୍ରକାଶ ।

ମହାନଦୀର ୪୨୫ କିଳୋମିଟର ଦୀର୍ଘ ଅଂଶ (ପାରାଦୀପ ଠାରେ ମହାନଦୀ ମୁହାଣ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ )କୁ ଜାତୀୟ ଜଳପଥ ନମ୍ବର ୨୪ ରୂପେ ଘୋଷଣା କରାଯାଇଛି । ସେଥିରୁ ପାରାଦୀପ ବନ୍ଦରଠାରୁ ଯୋବ୍ରା ବ୍ୟାରେଜ ୯୮ କିଲୋମିଟର ଜଳପଥରେ ପରିବହନ ଅର୍ଥନୈତିକ ଦୃଷ୍ଟିରୁ ଲାଭଜନକ ହେବ ବୋଲି ଚିହ୍ନଟ କରାଯାଇଛି ଏବଂ ଏଥିପାଇଁ ଏକ ଡିଟେଲେଡ୍ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରାଯାଉଛି ।

ସେହିପରି ୩୧୪ କିଲୋମିଟର ଦୀର୍ଘ ସୁବର୍ଣ୍ଣରେଖା ନଦୀର ୩୦ କିଲୋମିଟର ଅଂଶ (ସମୁଦ୍ର ମୁହାଣଠାରୁ ବାଲିଆପାଳ-କମର୍ଦ୍ଦା ରୋଡ୍ ସେତୁ ପର୍ଯ୍ୟନ୍ତ)ରେ ସର୍ଭେ କରାଯାଉଛି । ଏହି ନଦୀକୁ ଜାତୀୟ ଜଳପଥ ନମ୍ବର ୧୪ ରୂପେ ଘୋଷଣା କରାଯାଇଛି ।

ବିରୂପା, ବଡ଼ଗେଙ୍ଗୁଟି ଏବଂ ବ୍ରାହ୍ମଣୀ ନଦୀର ଜଳପଥକୁ ଜାତୀୟ ଜଳପଥ-୨୨ ରୂପେ ଘୋଷଣା କରାଯାଇ ୧୫୨ କିଲୋମିଟର ଦୀର୍ଘ ଅଂଚଳରେ ସର୍ଭେ କରାଯାଇଛି । ବହୁତଗୁଡ଼ିଏ ଇସ୍ପାତ ଶିଳ୍ପ, ତାପଜ ବିଦ୍ୟୁତ ଶିଳ୍ପ ଏବଂ ଅନ୍ୟାନ୍ୟ ଶିଳ୍ପ କାରଖାନା ଏହି ଜଳପଥରେ ଥିବାରୁ ଏଥିରେ ଜଳପଥ ପରିବହନ ଲାଭଜନକ ହେବ ବୋଲି ସର୍ଭେରୁ ଜଣାଯାଇଛି ।
ସେହିପରି ବୁଢ଼ାବଳଙ୍ଗ ନଦୀର ୫୬ କିଲୋମିଟର ଦୀର୍ଘ ଅଂଶକୁ ଜାତୀୟ ଜଳପଥ ନମ୍ବର-୨୩ ରୂପେ ଘୋଣୋ କରାଯାଇ ସର୍ଭେ କରାଯାଉଛି ।

ବୈତରଣୀ ନଦୀର ୪୯ କିଲୋମିଟର ଦୀର୍ଘ ଅଂଶକୁ ଜାତୀୟ ଜଳପଥ ନମ୍ବର ୧୪ ରୂପେ ଘୋଷଣା କରାଯାଇ ଡିଟେଲଡ୍ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରାଯାଉଛି । ଏହି ଅଂଶରେ କୌଣସି ଶିଳ୍ପ ସଂସ୍ଥା ନଥିବାରୁ ଏହାକୁ କେବଳ ପର୍ଯ୍ୟଟନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ବୋଲି ସର୍ଭେରୁ ଜଣାଯାଇଛି ।