ଝାଡ଼ଖଣ୍ଡ କବ୍‌ଜାରେ ଓଡ଼ିଶା ଜମି : ୫ଟି ଗାଁକୁ ନେଇ ଥିବା ବିବାଦ ତୁଟୁନି

କେନ୍ଦୁଝର : କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ସହ ବିବାଦ ଚରମ ସୀମାରେ ପହଞ୍ଚିଥିବାବେଳେ କେନ୍ଦୁଝର ଜିଲ୍ଲାର ୫ଟି ଗାଁକୁ ନେଇ ଝାଡ଼ଖଣ୍ଡ ସହ ବିବାଦ ଲାଗିରହିଛିି। ଝାଡ଼ଖଣ୍ଡ ସୀମାନ୍ତରେ ଥିବା ଏହି ଗାଁ ଗୁଡ଼ିକ ହେଲା କଙ୍କଡ଼ାପାଟ, ଲିମିତୁର, ଜଗନ୍ନାଥପୁର, ପୁରୁଷୋତ୍ତମପୁର ଓ ଚମ୍ପୁଆ। ଏହିସବୁ ଗ୍ରାମର ଜମିଜମାକୁ ନେଇ ଝାଡ଼ଖଣ୍ଡ ସରକାରଙ୍କ ସହିତ ଥିବା ବିବାଦ ଏପର୍ଯ୍ୟନ୍ତ ସୁଦ୍ଧା ତୁଟିନାହିଁ। ଫଳରେ, ଏବେ ବି ଓଡ଼ିଶାର ବହୁ ଜମି ଝାଡ଼ଖଣ୍ଡ କବ୍‌ଜାରେ ରହିଥିବା ‘ସମ୍ବାଦ’ ଅନୁସନ୍ଧାନରୁ ଜଣାପଡ଼ିଛି।

ଏହି ଗ୍ରାମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପୁରୁଷୋତ୍ତମପୁର। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଭନଗାଁ ସହିତ ପୁରୁଷୋତ୍ତମପୁରର ବିବାଦ ରହିଛି। ପୂର୍ବରୁ ଏହି ଦୁଇ ରାଜ୍ୟ ଓ ଦୁଇ ଗ୍ରାମ ମଝିରେ ଥିବା ଏକ ନାଳକୁୁ ସୀମା ଭାବେ ଚିହ୍ନଟ କରାଯାଇଥିଲା। ଏହି ନାଳର ସୀମାକୁ ନେଇ ସବୁବେଳେ ବିବାଦ ଲାଗି ରହିଛି। ସାବକ ମ୍ୟାପ ଓ ୧୯୧୪-୧୫ ସର୍ଭେ ଅନୁସାରେ ଏଠାରେ ପ୍ଲଟ୍‌ ନଂ ୯୬,୯୬/୩୧୪ ଏବଂ ୯୬/୩୧୫ ପ୍ଲଟକୁ ନେଇ ବିବାଦ ରହିଛି। ଏହି ତିନୋଟି ପ୍ଲଟ୍‌ ଓଡ଼ିଶା ରାଜ୍ୟର ସାବକ ରେକର୍ଡ ଅନ୍ତର୍ଭୁକ୍ତ। ପରବର୍ତ୍ତୀ ସମୟରେ ସେଟେଲମେଣ୍ଟ ଅନୁସାରେ ଏହା ୭ଟି ପ୍ଲଟ୍‌ରେ ବିଭକ୍ତ ହୋଇଛି। ଅପରପକ୍ଷରେ ଝାଡ଼ଖଣ୍ଡ ରାଜ୍ୟର ଭନଗାଁର ମ୍ୟାପ ଅନୁସାରେ ଏବଂ ୨୦୧୪-୧୫ ମସିହାର ସର୍ଭେ ଅନୁସାରେ, ଏହି ସବୁ ପ୍ଲଟ ଭନଗାଁରେ ରହିଛି। ଅର୍ଥାତ ଓଡ଼ିଶାର ଏହି ପ୍ଲଟକୁ ଝାଡ଼ଖଣ୍ଡ ରାଜ୍ୟ ବି ନିଜର ବୋଲି ଦର୍ଶାଉଛି। ଏହି ପ୍ଲଟ ଏବେ ଝାଡ଼ଖଣ୍ଡ ଭନଗାଁର ପ୍ଲଟ ନମ୍ବର ୪୨୨, ୪୩୯, ୪୪୨/୧୭୭୧ରେ ରହିଛି। ଏ ସବୁ ଧାର-ଧୂର ପ୍ରିନସ୍‌ପୁଲ ଅନୁସାରେ ରେକର୍ଡ ହୋଇଥିବା ଜଣାଯାଇଛି। ୧୯୬୦-୬୧ରେ ଏହି ପ୍ଲଟଗୁଡ଼ିକ ହାଲ ମ୍ୟାପ୍‌ରେ ୫ଟି ପ୍ଲଟରେ ବିଭକ୍ତ ହୋଇ ପ୍ଲଟ ନଂ-୮୭୦, ୮୭୬, ୮୮୮, ୮୮୯, ୮୯୪ ହୋଇଛି। ଯାହାକୁ ଝାଡ଼ଖଣ୍ଡ ବି ନିଜର ଅଂଶ ନିଜ ରେକର୍ଡରେ ରଖିଛି।

ଅପରପକ୍ଷରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବା ପୂର୍ବରୁ ଏଥିନେଇ ୨୦.୧.୧୯୯୭ରୁ ୨୩.୧.୧୯୯୭ ପର୍ଯ୍ୟନ୍ତ ତିନିଦିନ ଧରି ଏହି ବିବାଦୀୟ ଅଂଶକୁ ନେଇ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ରାଜସ୍ୱ ବିଭାଗ ପକ୍ଷରୁ ଏକ ମିଳିତ ସର୍ଭେ କରାଯାଇଥିଲା। ସେତେବେଳେ ଏହି ବିବାଦୀୟ ଅଂଶ ନେଇ ଏକ ଟ୍ରେସ୍‌ ମ୍ୟାପ ମଧ୍ୟ ତିଆରି ହୋଇଥିଲା। ସେତେବେଳେ ଏହି ଟ୍ରେସ୍‌ ମ୍ୟାପ୍‌ ଉପରେ ସହମତି ପାଇଁ କେନ୍ଦୁଝର ଜିଲ୍ଲାର ମିଳିତ ସର୍ଭେର ଚାର୍ଜ ଅଫିସରଙ୍କ ପକ୍ଷରୁ ପତ୍ର ସଂଖ୍ୟା ୧୭୫୧ ତା ୩.୬.୧୯୯୭ ମସିହାରେ ପଡ଼ୋଶୀ ବିହାର (ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡ) ସରକାରଙ୍କୁ ପ୍ରେରଣ କରିଥିଲେ। କିନ୍ତୁ ତତ୍‌କାଳୀନ ବିହାର ସରକାର ଏହି ଟ୍ରେସ୍‌ ମ୍ୟାପ ଠିକ୍‌ ଭାବେ ହୋଇନାହିଁ ବୋଲି କହି ଏଥିରେ ସହମତି ପ୍ରକାଶ କଲେ ନାହିଁ ଏବଂ ଏହାର ବର୍ଷେ ପରେ ୧୯୯୮ ମସିହା ମେ ୧୫ ତାରିଖରେ ଚିଠି ସଂଖ୍ୟା ୧୫୬ରେ ଏହି ଟ୍ରେସ୍‌ ମ୍ୟାପ୍‌କୁ ଫେରାଇ ଦେଇଥିଲେ। ୨୦୦୪ ମସିହାରେ ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଚିଠି ନଂ-୧୧୭୭/ଆର / ୭.୧.୨୦୦୪ରେ ଏହି ସୀମା ବିବାଦ ତୁଟାଇବାକୁ ଝାଡ଼ଖଣ୍ଡ ସରକାରଙ୍କୁ ଚିଠି ଲେଖି ଜଣାଇଥିଲେ ବି ଏ ଦିଗରେ ଝାଡ଼ଖଣ୍ଡ ସରକାର ଗୁରୁତ୍ୱ ଦେଉ ନାହାନ୍ତି କି ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁଭଳି ଭାବେ ଉଦ୍ୟମ ହେବା କଥା ତାହା ହେଉନାହିଁ। ଫଳତଃ ଏହି ବିବାଦ ଏଯାବତ୍‌ ତୁଟୁନାହିଁ।

ମାତ୍ର, ଏ ସମ୍ପର୍କରେ ସ୍ଥାନୀୟ ତହସିଲ୍‌ ଅମାଲୁମ୍‌ ଥିବା ଜଣାପଡ଼ିଛି। ଏହି ସୀମା ବିବାଦ ସମ୍ପର୍କରେ ସେ ଜାଣିନାହାନ୍ତି ବୋଲି କହିଛନ୍ତି ଚମ୍ପୁଆ ତହସିଲର ଅତିରିକ୍ତ ତହସିଲଦାର ସୁଶାନ୍ତ କୁମାର ନାୟକ। ସେହିପରି, ଅତିରିକ୍ତ ଜିଲ୍ଲାପାଳ ଭକ୍ତଚରଣ ପ୍ରଧାନ ଏ ସଂକ୍ରାନ୍ତୀୟ ରେକର୍ଡ ଦେଖିବା ପରେ ସେ ଏ ସମ୍ପର୍କରେ ମତାମତ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର