ଗୌରାଙ୍ଗ ଚରଣ ଗିରି
ଶୁଳିଆପଦା: ମୟୂରଭଞ୍ଜଜିଲ୍ଲା ଶୁଳିଆପଦା ବ୍ଲକ୍ ଉଫାଲଗଡ଼ିଆ ପଞ୍ଚାୟତର ସୀମାନ୍ତ ଗାଁ ବିଶୁଶୋଳ। ଆଦିବାସୀ ଭୂମିଜ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଏହି ଗାଁରେ ଥିବା ଏକ ଅଧପନ୍ତରିଆ କଂକ୍ରିଟ ରାସ୍ତା ୨ଟି ରାଜ୍ୟକୁ ଭାଗ କରୁଥିବାବେଳେ ଓଡ଼ିଶାର ସୀମାଖୁଣ୍ଟ ଏବେ ପଶ୍ଚିମବଙ୍ଗ ଅଧିବାସୀଙ୍କ କବ୍ଜାରେ ରହିଥିବା ଦେଖିବାକୁ ମିଳିଛି। ପ୍ରାୟ ୩୦ ବର୍ଷ ତଳେ ଓଡ଼ିଶା ସରକାର ଏହି ସୀମାଖୁଣ୍ଟ ପୋତିଥିଲେ। ଏହି ଖୁଣ୍ଟ ହିଁ ଦୁଇ ରାଜ୍ୟର ସୀମାକୁ ସୂଚେଇ ଦେଉଥିଲା। ମାତ୍ର, ଏବେ ଏହା ପଶ୍ଚିମବଙ୍ଗ କବ୍ଜାକୁ ଚାଲିଯାଇଛି। କେବଳ ସୀମା ଚିହ୍ନଟ କଥା ନୁହେଁ, ଏହି ଅଞ୍ଚଳର ବିକାଶ ବି ବହୁ ପଛରେ ପଡ଼ିଯାଇଛି। ଓଡ଼ିଶା ସରକାର ଏହି ସୀମାନ୍ତ ଗ୍ରାମ ପ୍ରତି ଅବହେଳା କରୁଥିବା ଲୋକେ ଅଭିଯୋଗ କରିଛନ୍ତି।
ଅପହଞ୍ଚ ଗାଁ ବିଶୁଶୋଳ
ଭୋଟ୍ ଦେବା ପାଇଁ ୬କିମି, ରାସନ୍ ଚାଉଳ ପାଇଁ ୧୨ କିମି ଯାତ୍ରା
ପାନୀୟ ଜଳ ପାଇଁ ପଶ୍ଚିମବଙ୍ଗ ଭରସା
ରାସ୍ତା ନଥିବାରୁ ୪ କିମି ଜଙ୍ଗଲ ବାଟଦେଇ ସ୍କୁଲ୍ରେ ପହଞ୍ଚିବା ପିଲାଙ୍କ ପକ୍ଷେ ସମ୍ଭବପର ହେଉନାହିଁ। ଫଳରେ, ୧.୫ କିମି ଦୂର ପଶ୍ଚିମବଙ୍ଗର କାଶିଆସ୍ଥିତ ସ୍କୁଲ୍କୁ ପଢ଼ିବା ପାଇଁ ଯାଉଛନ୍ତି। ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଏହି ଗ୍ରାମକୁ ମାଟି ରାସ୍ତା ନିର୍ମାଣ ହୋଇଥିଲା। ତେବେ ଗାଁ ଭିତରକୁ ଯାଇଥିବା ଅଧପନ୍ତରିଆ କଂକ୍ରିଟ ରାସ୍ତା ମଧ୍ୟରେ ଏକ ନାଳ ଥିବାରୁ ବର୍ଷାଦିନେ ଯାତାୟାତରେ ସମସ୍ୟା ହେଉଛି। ସେହିପରି, ଗାଁଠାରୁ ୬ କିମି ଜଙ୍ଗଲ ଭିତରେ ଗଲେ ବଣକାଟିଠାରେ ଛାତ୍ରାବାସର ସୁବିଧା ରହିଛି। ତେବେ ଅଙ୍ଗନବାଡ଼ି ଶିକ୍ଷାପରେ ଅଳ୍ପବୟସର ପିଲା ଛାତ୍ରାବାସରେ ରହିବା ସମ୍ଭବ ହେଉ ନଥିବାରୁ ଅଧିକାଂଶଙ୍କ ପାଠପଢ଼ାରେ ଡୋରି ବନ୍ଧା ହେଉଛି। ଗାଁର ଲୋକମାନେ ଭୋଟ୍ ଦେବାପାଇଁ ୬ କିମି ଦୂର ତେଲିଆ ଯାଉଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ଓ ଚାଉଳ ନେବାପାଇଁ ୧୨ କିମି ଦୂର ଉଫାଲଗଡ଼ିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି। ୨ବର୍ଷ ତଳେ ଚିହ୍ନଟ ହୋଇଥିବା ଜାଗାରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରି ସେହିଠାରେ ଭତ୍ତା ଓ ଚାଉଳ ବଣ୍ଟନ କରିବାକୁ ଲୋକେ ଦାବି କରିଛନ୍ତି।
ସେହିପରି ପାନୀୟ ଜଳ ପାଇଁ ସୋଲାର ପାଣି ଟାଙ୍କି ନିର୍ମାଣ ହୋଇଛି। ତେବେ, ମେଘୁଆ ପାଗ କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ପାନୀୟଜଳ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି। ଅପରପକ୍ଷରେ, ରାସ୍ତାର ଅପରପାର୍ଶ୍ବରେ ଥିବା ପଶ୍ଚିମବଙ୍ଗର କଟାସରେ ୪ଟି ପରିବାର ରହୁଥିଲେ ବି ପଶ୍ଚିମବଙ୍ଗ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ସେହିପରି ମୋବାଇଲ୍ ସେବା ପାଇଁ ଓଡ଼ିଶା ନେଟ୍ୱର୍କ କେତେବେଳେ କେମିତି ଆସୁଥିବା ବେଳେ ପଶ୍ଚିମବଙ୍ଗ ନେଟ୍ୱର୍କ କିନ୍ତୁ ସବୁବେଳେ ଉପଲବ୍ଧ ହୋଇଥାଏ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏମିତି ଅନେକ ସମସ୍ୟା ଭିତରେ ଘାଣ୍ଟି ହେଉଥିବା ଗାଁ ପ୍ରତି ଓଡ଼ିଶା ସରକାର ଦୃଷ୍ଟି ଦେବାକୁ ଲୋକେ ନିବଦେନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/01/dAd9QoT9sB9kfgBWsz4d.jpg)