ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଦେଶରେ ଶ୍ରେଷ୍ଠ: ମୁଖ୍ୟମନ୍ତ୍ରୀ

ଡ. ପ୍ରମୋଦ ମିଶ୍ରଙ୍କ ଅବଦାନକୁ ମନେ ପକାଇଲେ ଧର୍ମେନ୍ଦ୍ର

ସମ୍ବଲପୁର : ଆଇଆଇଏମ୍‌ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ୍‌ ଶିଳାନ୍ୟାସ ଉତ୍ସବରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ମାତ୍ର ୫ ବର୍ଷ ମଧ୍ୟରେ ଆଇଆଇଏମ୍ ସମ୍ବଲପୁର ନିଜକୁ ପ୍ରମାଣିତ କରିଛି। ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଦେଶର ଅନ୍ୟତମ ଶ୍ରେଷ୍ଠ। ଏଠାରେ ଗଢ଼ି ଉଠିଥିବା ବିଭିନ୍ନ ଜାତୀୟ ଅନୁଷ୍ଠାନ କମ୍ ସମୟ ମଧ୍ୟରେ ନିଜକୁ ଜାତୀୟ ଓ ବିଶ୍ବସ୍ତରରେ ପ୍ରତିଷ୍ଠିତ କରି ପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ କେନ୍ଦ୍ର ସରକାରଙ୍କ ସମର୍ଥନ ପାଇଁ ସେ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ଅନ୍‌ଲାଇନ୍‌ରେ ଯୋଗ ଦେଇ ଓଡ଼ିଶାର ରାଜ୍ୟପାଳ ପ୍ର. ଗଣେଶୀଲାଲ୍ କହିଲେ, ପୁରାଣ ଯୁଗରୁ ଭାରତରେ ପ୍ରବନ୍ଧନ ରହି ଆସିଛି। ବର୍ତ୍ତମାନ ତାକୁ ପୁନଃବିକଶିତ ଓ ସଶକ୍ତ କରିବାର ସମୟ ଆସିଛି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ‘ନିଶାଙ୍କ କହିଲେ, ବର୍ତ୍ତମାନ କ୍ଷମତା ବିକାଶରୁ ଦେଶ ନିର୍ମାଣ ଦିଗରେ ବଢ଼ିବାର ସମୟ ଆସିଛି। ଆଇଆଇଏମ୍ ସମ୍ବଲପୁର ଏଥିରେ ନିଶ୍ଚିତ ଭାଗୀଦାର ହେବ। ଶିକ୍ଷାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ସେ ପ୍ରଶଂସା କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ମହାନଦୀ କୂଳେ ୪୦୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ଭବ୍ୟ ଅନୁଷ୍ଠାନ ବିଶ୍ବସ୍ତରରେ ପ୍ରତିଷ୍ଠା ଲାଭ କରିବ। ଏହି ଅଞ୍ଚଳରେ ଶିଳ୍ପର ବିକାଶ ଓ ଷ୍ଟାର୍ଟଅପ୍‌ର ଅପାର ସମ୍ଭାବନା ରହିଥିବା ବେଳେ ଆଇଆଇଏମ୍‌ ସମ୍ବଲପୁର ଏଥିରେ ସହଭାଗୀ ହେବ। ଏଠା‌ରେ ଆଇଆଇଏମ୍ ପ୍ରତିଷ୍ଠା ହେବାରେ ସମ୍ବଲପୁରର ପୁଅ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ ମିଶ୍ରଙ୍କ ଅବଦାନର ସେ ପ୍ରଶଂସା କରିଥିଲେ।

ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ କମ୍‌ ଦିନରେ ଆଇଆଇଏମ୍ ସମ୍ବଲପୁର ସାଉଁଟିଥିବା ସଫଳତାର ପ୍ରଶଂସା କରିବା ସହ ଏହାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ସମ୍ବଲପୁର ସାଂସଦ ନିତେଶ ଗଂଗଦେବ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଆଇଆଇଏମ୍ ନିର୍ଦ୍ଦେଶକ ପ୍ର. ମହାଦେବ ପ୍ରସାଦ ଜୟସ୍ବାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଆଇଏମ୍‌ ସମ୍ବଲପୁର ବୋର୍ଡ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଂଗାଲି ବିଧାୟକ ନାଉରୀ ନାୟକ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର