ଓଡ଼ିଶାର ରପ୍ତାନି ଅଭିବୃଦ୍ଧି ଦେଶରେ ସର୍ବାଧିକ, ଜାତୀୟ ହାରଠୁ ଅଧିକ

୨୦୨୧-୨୨ରେ ୧୫୬% ଅଭିବୃଦ୍ଧି

ଭୁବନେଶ୍ବର: ରପ୍ତାନିରେ ବୃଦ୍ଧି ଆଣିବା କ୍ଷେତ୍ରରେ ଦେଶର ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା। ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ୧୫୬% ରପ୍ତାନି ଅଭିବୃଦ୍ଧି ହାସଲ କରିଛି ଯାହା ଜାତୀୟ ହାର (୩୪.୫%)ଠାରୁ ଚାରି ଗୁଣାରୁ ଅଧିକ। ମୁଖ୍ୟତଃ ଲୁହା ଓ ଇସ୍ପାତ, ଆଲୁମିନିୟମ ଏବଂ ଲୁହାପଥର ରପ୍ତାନିରେ ଓଡ଼ିଶା ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି। ଏହି ବର୍ଷ ଓଡ଼ିଶା ୧୭୦୬ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଛି। ବାଣିଜ୍ୟିକ ଗୁଇନ୍ଦା ଓ ପରିସଂଖ୍ୟାନ ମହାନିର୍ଦେଶାଳୟ (ଡିଜିସିଆଇଏସ୍‌) ତଥ୍ୟ ଅନୁଯାୟୀ, ୨୦୧୯-୨୦ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା, ଗୁଜରାଟ ଓ କର୍ଣ୍ଣାଟକ ଦେଶର ଶ୍ରେଷ୍ଠ ରପ୍ତାନିକାରୀ ରାଜ୍ୟ ଭାବେ ଉଭା ହୋଇଛନ୍ତି। କୋଭିଡ୍ ମହାମାରୀ ବ୍ୟାପିବା କାରଣରୁ ୨୦୨୦-୨୧କୁ ଏଥିପାଇଁ ବିଚାରକୁ ନିଆଯାଇନାହିଁ। ଆଠଟି ରାଜ୍ୟର ରପ୍ତାନି ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ ରହିଛି। ସେହି ତାଲିକାରେ ଓଡ଼ିଶା ସମେତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ରାଜସ୍ଥାନ ନାମ ମଧ୍ୟ ରହିଛି।

୨୦୨୧-୨୨ରେ ଭାରତର ମୋଟ ରପ୍ତାନି ୧୨,୭୦୦ କୋଟି ଡଲାର ଥିଲା। ମହାରାଷ୍ଟ୍ରର ୭୩୦୦ କୋଟି ଡଲାର ଓ ତାମିଲନାଡ଼ୁ ୩୫୦୦ କୋଟି ଡଲାରର ରପ୍ତାନି କରିନ୍ତି। ଗୁଜରାଟ ଏହାର ରପ୍ତାନିରେ ଦୁଇ ଗୁଣା ବୃଦ୍ଧି ଆଣିବାରେ ସଫଳ ହୋଇଛି। ଏହା ରପ୍ତାନିରେ ୧୧୮% ବୃଦ୍ଧି ହାସଲ କରିଛି। ଦେଶର ୩୦% ରପ୍ତାନି ଗୁଜରାଟରୁ ହୋଇଛି। କର୍ଣ୍ଣାଟକ ରପ୍ତାନିରେ ୫୬%, ଦିଲ୍ଲୀର ୨୦% ଓ କେରଳର ୫୬% ବୃଦ୍ଧି ଘଟିଛି। ମହାରାଷ୍ଟ୍ର ଓ ତାମିଲନାଡୁ ମିଳିତ ଭାବେ ଦେଶର ଏକ ଚତୁର୍ଥାଂଶ ରପ୍ତାନି କରିଛନ୍ତି। କିନ୍ତୁ ଏହି ଦୁଇ ଦେଶର ବାର୍ଷିକ ରପ୍ତାନି ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ କମ୍ ଯଥାକ୍ରମେ ୧୩% ଓ ୧୭.୨% ରହିଛି। ବିଶ୍ବ ବଜାରରେ ନିଜ ଆଧିପତ୍ୟ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକର ରପ୍ତାନି ବୃଦ୍ଧି ଉପରେ ସରକାର ଜୋର ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୫୦ଟି ଜିଲ୍ଲାକୁ ରପ୍ତାନି ହବ୍‌ରେ ପରିଣତ କରିବା ଲାଗି ସରକାର ୨୧୦୦ କୋଟି ଟଙ୍କାର ଏକ ସ୍କିମ୍‌କୁ ମଞ୍ଜୁରି ଦେଇଛନ୍ତି। ବିଭିନ୍ନ ରାଜ୍ୟକୁ ପାରମ୍ପରିକ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀର ରପ୍ତାନି ସୁଯୋଗ ସନ୍ଧାନ କରିବାକୁ ମଧ୍ୟ କୁହାଯାଉଛି। ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟ ସେଥ‌ିରେ ସଫଳ ମଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର