‘ମଣ୍ଡାସୁର’କୁ ଜୈବବିବିଧତା ଐତିହ୍ୟସ୍ଥଳ ମାନ୍ୟତା

ରାଜ୍ୟର ପ୍ରଥମ ତଥା ଦେଶର ୧୩ତମ ଐତିହ୍ୟ ସ୍ଥଳ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଥିବା ‘ମଣ୍ଡାସୁର’କୁ ମିଳିଲା ଜୈବବିବିଧତା ଐତିହ୍ୟ ସ୍ଥଳ ମାନ୍ୟତା। ଓଡ଼ିଶାର ପ୍ରଥମ ତଥା ଦେଶର ୧୩ତମ ଐତିହ୍ୟ ସ୍ଥଳ ଭାବେ ଏହି ମାନ୍ୟତା ହାସଲ କରିଛି ମଣ୍ଡାସୁର। ୨୦୦୨ ଜୈବବିବିଧତା ଆଇନର ଧାରା ୩୭ ବଳରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଯେଉଁ ସ୍ଥାନକୁ ଜୈବବିବିଧତା ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯିବ ତାହା ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଥିବ। ସେହି ଅଞ୍ଚଳ ଦେଶୀୟ ତଥା ସ୍ଥାନୀୟ ପ୍ରଜାତିର ବୃକ୍ଷରେ ସମୃଦ୍ଧ ହୋଇଥିବ। ସେଠାରେ ବିଲୁପ୍ତପ୍ରାୟ ବୃକ୍ଷ ରହିଥିବ। ସ୍ଥାନୀୟ ଲୋକଙ୍କ ପୂଜାସ୍ଥଳୀ ଥିବ। ଔଷଧୀୟ ବୃକ୍ଷଗୁଡ଼ିକୁ ସଂରକ୍ଷଣ କରାଯାଉଥିବ। ଏଥିସହ ଜଙ୍ଗଲ ବିଭାଗ ପକ୍ଷରୁ ସେଠାରେ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବ। ଉଦ୍ଭିଦ ତଥା ପ୍ରାଣୀ ସମ୍ପଦରେ ଭରପୂର ହୋଇଥିବା ସ୍ଥାନ, ଲୁପ୍ତପ୍ରାୟ ଗୁଳ୍ମ, ଜୀବଜନ୍ତୁ, ଭଦ୍ଭିଦ ବି ରହିଥିବ। ସମ୍ପୃକ୍ତ ସ୍ଥାନର ସାଂସ୍କୃତିକ, ନୈତିକ ତଥା ସୌନ୍ଦର୍ଯ୍ୟବୋଧ ରହିଥିବ। ‘ମଣ୍ଡାସୁର’ ଉପରୋକ୍ତ ସମସ୍ତ ଯୋଗ୍ୟତା ଅର୍ଜନ କରିଛି। ୨୦୧୨ ଓଡ଼ିଶା ବାୟୋଡାଇଭରସିଟି ରୁଲ୍‌ସ ଓ ୨୦୧୫ ଡିସେମ୍ବର ୨୬ରେ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ‘ମଣ୍ଡାସୁର’କୁ ରାଜ୍ୟର ପ୍ରଥମ ଜୈବବିବିଧତା ଐତିହ୍ୟ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ କେରଳ, ମହାରାଷ୍ଟ୍ର, ଓ ତେ‌ଲେଙ୍ଗାନା ପରେ ଓଡ଼ିଶାରେ ଏଭଳି ଐତିହ୍ୟ ସ୍ଥଳ ଚିହ୍ନଟ ହୋଇଛି। ଏହାକୁ ଐତିହ୍ୟସ୍ଥଳୀର ମାନ୍ୟତା ଲାଗି ୨୦୧୮ ଜୁନ୍‌ ମାସରୁ ଓଡ଼ିଶା ବାୟୋଡାଇଭର୍‌ସିଟି ବୋର୍ଡ ପକ୍ଷରୁ ସର୍ଭେ କରାଯାଇଥିଲା। ତିନି ମାସ ଧରି ସର୍ଭେ ଚାଲିବା ପରେ ସେପ୍ଟେମ୍ବର ମାସରେ ସ୍ଥାନୀୟ ଜନସାଧାରଣ, ବିଶେଷଜ୍ଞ ଓ ପରିବେଶବିତ୍‌, ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକଠାରୁ ମତାମତ ଲୋଡ଼ାଯାଇଥିଲା। ଏହାପରେ ଜଙ୍ଗଲ ଓ ପରିବେଶ ବିଭାଗକୁ ଚୂଡ଼ାନ୍ତ ରିପୋର୍ଟ ଦିଆଯାଇଥିଲା। ତାହାକୁ ଅନୁଧ୍ୟାନ କରିବା ପରେ ଗତ ୧୨ ତାରିଖରେ ‘ମଣ୍ଡାସୁର’କୁ ରାଜ୍ୟର ପ୍ରଥମ ଜୈବବିବିଧତା ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଛି।
ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଐତିହ୍ୟ ସ୍ଥଳୀ ଘୋଷଣା ହେବା ପରେ ସେଥିରେ ଥିବା ଜୈବବିବିଧତାର ସଂରକ୍ଷଣ କରାଯିବ। ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯାଇ କର୍ମ ନିଯୁକ୍ତି ଯୋଗାଇ ଦିଆଯିବ। ସେଠାରେ ଏକ ଇଣ୍ଟରପ୍ରିଟେସନ୍‌ ସେଣ୍ଟର ଖୋଲିବ। ଏହାବ୍ୟତୀତ ପ୍ରାକୃତିକ ପରିବେଶକୁ ଯେପରି କ୍ଷତି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ। ଏଥିସହ ପର୍ଯ୍ୟଟନର ବିକାଶ କରାଯିବ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲା ରାଇକିଆ ନିକଟରେ ଏବେ ମଣ୍ଡାସୁର ଇକୋ-ଟୁରିଜିମ ରହିଛି। ଏହା ଏକ ହିଲଷ୍ଟେସନ୍‌ ଭାବେ ଗତ କିଛି ବର୍ଷ ହେଲା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। ଦୁଇ ପାହାଡ଼ର ମଧ୍ୟଭାଗକୁ ନେଇ ମଣ୍ଡାସୁର କୁଟୀ ପରିଚିତ। ପ୍ରାକୃତିକ ଶୋଭାରେ ଭରପୂର ଏହି ସ୍ଥାନ‌ରେ ପାହାଡ଼ ସାଙ୍ଗକୁ ଛୋଟ ଝରଣା ଓ କାଠରେ ତିଆର ଘର(କାଠ ବଙ୍ଗଳା) ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଏଠାରେ ଏକ ଓ୍ବାଚ୍‌ ଟାଓ୍ବାର ମଧ୍ୟ ନିର୍ମାଣ ହୋଇଛି। ୩୦ ଫୁଟ ଉଚ୍ଚ ଏହି ଟାଓ୍ବାର ଉପରୁ ପର୍ଯ୍ୟଟକମାନେ ଏହାର ଚତୁଃପାର୍ଶ୍ବରେ ଥିବା ଛୋଟ ବଡ଼ ପର୍ବତମାଳାକୁ ଉପଭୋଗ କରିବା ସହ ଫଟୋ ବି ଉଠାଇଥାନ୍ତି। ଭୁବନେଶ୍ୱରଠାରୁ ପ୍ରାୟ ୨୫୦ ଓ ବ୍ରହ୍ମପୁରଠାରୁ ୧୫୫କିମି ଦୂରରେ ‘ମଣ୍ଡାସୁର’ ରହିଛି।

ସମ୍ବନ୍ଧିତ ଖବର