ଏଫଏମ୍‌ୟୁରେ ଓଡ଼ିଶାର ପ୍ରଥମ ସାମୁଦ୍ରିକ ଜୈବସମ୍ପଦ ଏବଂ ‌ଜୈବ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଲୋକାର୍ପିତ

ପାଠ୍ୟପୁସ୍ତକ ବାହାରେ ନୂତନ ଜ୍ଞାନ ଆହରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ

ବାଲେଶ୍ବର : ଫକୀରମୋହନ ବିଶ୍ବବିଦ୍ୟାଳୟର ପରିସରରେ ଶନିବାର ଦିନ ସେଣ୍ଟର ଫର୍‌ ମେରାଇନ୍‌ ବାୟୋରିସୋର୍ସେସ୍‌ ଆଣ୍ଡ ବାୟୋଟେକ୍ନୋଲୋଜି (ସାମୁଦ୍ରିକ ଜୈବସମ୍ପଦ ଏବଂ ‌ଜୈବ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନର ଉଦ୍‌ଘାଟନ ହୋଇଯାଇଛି। କେନ୍ଦ୍ର ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି କେନ୍ଦ୍ରକୁ ଲୋକାର୍ପିତ କରିଥିବା ବେଳେ ରାଜ୍ୟ ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ତଥା ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦୀନବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଅନୁଷ୍ଠିତ ସଭାରେ କୁଳପତି ପ୍ରଫେସର ସାହୁ ପୌରୋହିତ୍ୟ କରି ଏହି ପ୍ରତିଷ୍ଠାନ ଓଡ଼ିଶାରେ ପ୍ରଥମ ସାମୁଦ୍ରିକ ଜୈବସମ୍ପଦ ଏବଂ ଜୈବ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ବୋଲି କହିଥିଲେ। ଏଠାକୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଏବଂ ବ‌ାହାର ଦେଶରୁ ଛାତ୍ରଛାତ୍ରୀ, ଗବେଷକ ଏବଂ ବୈଜ୍ଞାନିକମାନେ ଆସି ଅଧ୍ୟୟନ ଓ ଗବେଷଣା କରିବାକୁ ସୁଯୋଗ ପାଇପାରିବେ। ଖୁବ୍‌ଶୀଘ୍ର ଫକୀରମୋହନ ବିଶ୍ବବିଦ୍ୟାଳୟରେ ମଧ୍ୟ ସାମୁଦ୍ରିକ ଜୈବସମ୍ପଦ ଓ ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବ। ଓଡ଼ିଶାରେ ଦୀର୍ଘ ୪୮୦ କିଲୋମିଟର ସମୁଦ୍ର ବେଳାଭୂମି ରହିଥିବା ବେଳେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ତଥା ମାନବସମ୍ବଳର ଅଭାବ ହେତୁ ସେଗୁଡ଼ିକର ସୁବିନିଯୋଗ କରାଯାଇ ପାରୁନାହିଁ। ‌ତେଣୁ ଦୁଇମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହି ଗବେଷଣା ପ୍ରତିଷ୍ଠାନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ବିଶ୍ବମାନର କରିବାକୁ କୁଳପତି ଅନୁରୋଧ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଲେ, ସାମୁଦ୍ରିକ ଜୈବସମ୍ପଦରେ ଉଜ୍ଜଳ ଭବିଷ୍ୟତ ରହିଛି। ସାମୁଦ୍ରିକ ଜୈବସମ୍ପଦ କ୍ଷେତ୍ରରେ ଓଡ଼ିଶା ସମେତ ସମଗ୍ର ଦେଶରେ ଯଥେଷ୍ଟ ଭିତ୍ତିଭୂମି ଏବଂ ସମ୍ଭାବନା ରହିଛି। ତେଣୁ ଆଗାମୀ ଦିନରେ ସାମୁଦ୍ରିକ ଉଦ୍ଭିଦ, ପଥର, ଶୈବାଳ, ମତ୍ସ୍ୟ, ନୀଳରକ୍ତ କଙ୍କଡ଼ାଙ୍କ ସମେତ ସମୁଦ୍ରରେ ରହିଥିବା‌ ଅନେକ ବିରଳ ପ୍ରଜାତିର ଜୀବମାନଙ୍କ ଉପରେ ଗବେଷଣା ପାଇଁ ଏହି ପ୍ରତିଷ୍ଠାନର ଗୁରୁତ୍ବପୂର୍ଣ୍ଣ ଭୂମିକା‌ ରହିବ। ଏହା ସମୁଦ୍ର ସମେତ ଚିଲିକା ଏବଂ ଓଡ଼ିଶାରେ ଥିବା ଜଳରାଶିର ଜୈବ ସନ୍ତୁଳନ ରକ୍ଷା କରିବାରେ ବେଶ୍‌ ସହାୟକ ହୋଇପାରିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ମନ୍ତ୍ରୀ ଡ. ସାହୁ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ବାହାରେ ଯାଇ ନୂତନ ଜ୍ଞାନ ଆହରଣ କରିବାକୁ ଆହ୍ବାନ ଦେଇଥିଲେ। ଯାହା ସମାଜ ପାଇଁ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ବିଶ୍ୱକୁ ସାମ୍ନା କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ବର ସଦର ବିଧାୟକ ସ୍ୱରୂପ କୁମାର ଦାସ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ କୁଳସଚିବ ମାନସ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର