ଯାଜପୁରଟାଉନ/ସଦର : ଯାଜପୁରରେ ହୋଇଥିବା ଓଡ଼ିଶାର ପ୍ରଥମ ମିସନ ଶକ୍ତି ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ଆଜି ଉଦ୍‌ଘାଟନ କରିଛନ୍ତି। ପ୍ରଶାସନ ପକ୍ଷରୁ ଏକ ଭବ୍ୟ ଆୟୋଜନରେ ଜିଲ୍ଲାର ସାଂସଦ ଓ ସମସ୍ତ ବିଧାୟକ ସାମିଲ ହୋଇଥିଲେ। ଏହି ମିସନ ଶକ୍ତି ଭବନ ଯାଜପୁରର ସ୍ବୟଂସହାୟକ ଗୋଷ୍ଠୀର ମା’ମାନଙ୍କ ପାଇଁ ମନ୍ଦିର ସଦୃଶ ବୋଲି ବିଭାଗୀୟ ସଚିବ ସୁଜାତା ଆର୍ କାର୍ତ୍ତିକେୟନ କହିଛନ୍ତି।

Advertisment

ଯାଜପୁର ସଦରମହକୁମାଠାରେ ୨ ବର୍ଷ ହେବ ଏହି ଭବନର ନିର୍ମାଣ ଚାଲିଥିଲା। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଏହି ଭବନକୁ ମୁଖ୍ୟମନ୍ତ୍ରୀ ଆଜି ଏହାକୁ ସୁଇଚ୍‌ ଟିପି ଉଦ୍‌ଘାଟନ କରିଥିଲେ। ଯାଜପୁର ଜିଲ୍ଲାରେ ୨୫ହଜାର ୮୫୯ ସ୍ବୟଂସହାୟକ ଗୋଷ୍ଠୀଙ୍କ ପାଇଁ ଏହି ଭବନ ଅତି ଜରୁରୀ ବୋଲି ଅତିଥିମାନେ ମତ ରଖିଥିଲେ। ଏହା ଯାଜପୁରର ମାଆମାନଙ୍କୁ ସ୍ବାବଲମ୍ବୀ କରିବା ସହ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତାର ନୂଆ ଅଧ୍ୟାୟ ସୃଷ୍ଟି କରିପାରିବ। ଏଠାରେ ସ‌ିଲେଇ ପ୍ରଶିକ୍ଷଣଠାରୁ କମ୍ପ୍ୟୁଟର ଶିକ୍ଷା ଆଦି ତାଲିମ ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ଯାଜପୁରର ୧୧ହଜାରରୁ ଊର୍ଦ୍ଧ୍ବ ସ୍ବୟଂସହାୟକ ଗୋଷ୍ଠୀର ଖାତାକୁ ସୁଧ ରିହାତି ପ୍ରଦାନ କରାଯାଇଛି ବୋଲି କହିଛନ୍ତି।

ଜିଲ୍ଲା ପ୍ରଶାସନ ଓ ମିସନ ଶକ୍ତି ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲିକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ରାଜ୍ୟସଭା ସାଂସଦ ସୁଲତା ଦେଓ, ବିଜେଡି ସାଂଗଠନିକ ସଂପାଦକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବରୀ ବିଧାୟିକା ସୁନନ୍ଦା ଦାସ, କୋରେଇ ବିଧାୟକ ଅଶୋକ କୁମାର ବଳ, ଧର୍ମଶାଳା ବିଧାୟକ  ପ୍ରଣବ ବଳବନ୍ତରାୟ, , ଯାଜପୁର ଜିଲ୍ଲାପରିଷଦ ସଭାପତି ନଳିନୀପ୍ରଭା ଜେନା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ମିସନ ଶକ୍ତି ମୁଖ୍ୟ ଶେଫାଳି ସ୍ବାଗତିକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ୫-ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ।

ଏହି ଅବସରରେ ଯାଜପୁର ମିସନ ଶକ୍ତି ଭବନର ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨ହଜାରରୁ ଊର୍ଦ୍ଧ୍ବ ମିସନ ଶକ୍ତି କର୍ମକର୍ତ୍ତା, ମହାସଂଘ ଓ ସ୍ବୟଂସହାୟକ ଗୋଷ୍ଠୀ ସଦସ୍ୟା ସାମିଲ ହୋଇଥିଲେ।