ଭୁବନେଶ୍ୱର, : ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ, ପ୍ରଥମ ମିହଳା ସଚିବ, ଲେଖିକା, ଅନୁବାଦିକା ଓ ଶ୍ରୀଜଗନ୍ନାଥଙ୍କ ଏକନିଷ୍ଠ ଭକ୍ତ ଚନ୍ଦ୍ରମଣି ନାରାୟଣସ୍ବାମୀ ଆଉ ନାହାନ୍ତି। ଶନିବାର ବିଳମ୍ବିତ ରାତିରେ ପୁରୁଣା ଭୁବନେଶ୍ବର ବିବେକାନନ୍ଦ ମାର୍ଗସ୍ଥିତ ସ୍ନେହଲତା ଆପାର୍ଟମେଣ୍ଟ୍ରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। ବାର୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ନିଜ ଘରେ ଜଣେ ନର୍ସଙ୍କ ତତ୍ତ୍ବାବଧାନରେ ଚିକିତ୍ସିତ ହେଉଥିଲେ। ସକାଳୁ ତାଙ୍କ ନର୍ସ ପହଞ୍ଚିବା ବେଳକୁ ଚନ୍ଦ୍ରମଣିଙ୍କର ଦେହାନ୍ତ ହୋଇସାରିଥିଲା।
୧୯୬୯ ମସିହାରେ ସେ ଭି.ନାରାୟଣ ସ୍ବାମୀଙ୍କୁ ବିବାହ କରିଥିଲେ ମଧ୍ୟ ତାଙ୍କର ଆକସ୍ମିକ ମୃତ୍ୟୁରେ ଏକୁଟିଆ ହୋଇଯାଇଥିଲେ। ନିଜ ମା’ ଓ ମାଉସୀଙ୍କ ସହ ଭୁବନେଶ୍ବରରେ ରହୁଥିଲେ। ଦୁହେଁ ଆରପାରିକୁ ଚାଲିଗଲା ପରେ ଚନ୍ଦ୍ରମଣି ପୁଣି ଏକା ହୋଇଯାଇଥିଲେ। ଆଜି ସତ୍ୟନଗର ଶ୍ମଶାନରେ ମଧ୍ୟାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପ୍ରାକ୍ତନ ପ୍ରଶାସକ ଗୋପୀନାଥ ମହାନ୍ତି, ସଂସ୍କୃତି ପରିଷଦର ସମ୍ପାଦକ ନାରାୟଣ ମହାପାତ୍ର, ଆଇନଜୀବୀ ରାମକୃଷ୍ଣ ବିଶୋଇ, ବନୋଜ କୁମାର ଛଟେଇ, ବିଶ୍ବରଂଜନ ପ୍ରଧାନ, ବନିତା ଜେନା, ଲକ୍ଷ୍ମୀ ବାରିକ ପ୍ରମୁଖ ଶେଷ ଦର୍ଶନ କରିଥିଲେ। ତାଙ୍କୁ ସେବା ଦେଇ ଆସୁଥିବା ବାବୁଲି ଜେନା ମୁଖାଗ୍ନି ଦେଇଥିଲେ।
୧୯୩୮ ମସିହା କେରଳର ଆଲାପୂଜାରେ ବାପା ଏସ୍ ରାଜମଣି ଓ ମା’ ଏନ୍.ରାମା ଆୟାରଙ୍କଠାରୁ ଜନ୍ମଲାଭ କରିଥିଲେ। ମାତ୍ର ୨ବର୍ଷ ବୟସରେ ବାପାଙ୍କୁ ହରାଇବାରୁ ଅଜା ଘରେ ବଢ଼ିଥିଲେ। ୯ବର୍ଷ ବୟସରେ ପକ୍ଷୀଙ୍କ ଉପରେ କବିତା ଲେଖି ସୃଜନ ପ୍ରତିଭାର ପ୍ରମାଣ ଦେଇଥିଲେ। ୧୦ ବର୍ଷରେ ଟ୍ରାଭାନକୋର୍ର ଇତିହାସ ଲେଖି ଚର୍ଚ୍ଚାକୁ ଆସିଥିଲେ। ୧୯୫୯ରେ କେରଳ ବିଶ୍ବବିଦ୍ୟାଳୟରୁ ବି.ଏ./ବି.ଏସସି.ରେ ଉଭୟ ଇଂରାଜୀ ଓ ଗଣିତରେ ସର୍ବୋଚ୍ଚ ନମ୍ବର ରଖିଥିଲେ। ପରେ ୧୯୬୧ରେ ଗଣିତରେ ରେକର୍ଡ ନମ୍ବର ରଖି ଏମ୍.ଏସସି. ପାସ୍ କରିବା ସହିତ ୩ଟି ସ୍ବର୍ଣ୍ଣ ପଦକ ପାଇଥିଲେ। ୧୯୬୧ରୁ ୧୯୬୫ ପର୍ଯ୍ୟନ୍ତ ମଧ୍ୟ ସେ ଗଣିତରେ ଇଣ୍ଡିଆନ୍ ମାଥମେଟିକ୍ସ କନଫରେନ୍ସରୁ କ୍ବିନକ୍ବିନିଏଲ୍ ପୁରସ୍କାର ପାଇବାର ସୌଭାଗ୍ୟ ଲାଭ କରିଥିଲେ। କେରଳୀ ଥିଲେ ହେଁ ଜଗନ୍ନାଥଙ୍କ ମୋହରେ ଓଡ଼ିଶାରେ ଏମିତି ବାନ୍ଧି ହୋଇଗଲେ ଯେ ଆଉ କେରଳ ଫେରିଲେ ନାହିଁ। ଆଇଏଏସ୍ (ଓଡ଼ିଶା କ୍ୟାଡର) ପାଇବା ପରେ ପ୍ରୋବେସନ୍ ପାଇଁ ୧୯୬୪ ମସିହା ସେପ୍ଟେମ୍ବରରେ ପୁରୀ ସହକାରୀ ଜିଲ୍ଲାପାଳ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ଜଗନ୍ନାଥଙ୍କର ପ୍ରଥମ ଦର୍ଶନରେ ସେ ଭକ୍ତ ପାଲଟି ଯାଇଥିଲେ। କଳାହାଣ୍ଡିର ଜିଲ୍ଲାପାଳ ଭାବେ ନିଯୁକ୍ତ ହେବା ସହ ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ ହେବାର କୀର୍ତି ନିଜ ନାମରେ ଯୋଡ଼ିଥିଲେ।
ପ୍ରଭୁ ଜଗନ୍ନାଥଙ୍କ ପ୍ରେମ ଏମିତି ଘାରିଥିଲା ଯେ ଶେଷରେ ସେ ନିଜର ଭୁବନେଶ୍ବର ଫ୍ଲାଟ୍କୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେଇଥିଲେ। ଏହା ତାଙ୍କୁ ସେତେବେଳେ ବେଶ୍ ଚର୍ଚ୍ଚିତ କରିଥିଲା। ସାଧାରଣ ପ୍ରଶାସନ ବିଭାଗରେ ୭ ବର୍ଷ, ସ୍ବାସ୍ଥ୍ୟ ବିଭାଗରେ ୪ ବର୍ଷ ସଚିବ ଭାବେ ଦାୟିତ୍ବ ନିଭାଇଥିଲେ। ଏହାବ୍ୟତୀତ କୃଷି, ବିତ୍ତ, ପଞ୍ଚାୟତିରାଜ ଆଦି ବିଭାଗରେ ପ୍ରାଶାସନିକ ଦାୟିତ୍ବ ତୁଲାଇଥିଲେ। ରାଜସ୍ବ ପର୍ଷଦର ସଦସ୍ୟ ରହିବା ସହ ରାଜ୍ୟ ପ୍ରାଶାସନିକ ନ୍ୟାୟାଧିକରଣର ଅଧ୍ୟକ୍ଷା ଥିଲେ। ୧୯୯୪ ମସିହାରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। କର୍ମମୟ ଜୀବନରେ ତାଙ୍କର ନିଷ୍ଠା ଓ ଉତ୍ସର୍ଗୀକୃତ ଭାବନା ଅନେକଙ୍କୁ ଅନୁପ୍ରାଣିତ କରିଛି।
ତାମିଲ୍, ମାଲାୟଲମ, ଓଡ଼ିଆ, ହିନ୍ଦୀ, ଇଂରାଜୀ ଭାଷାରେ ତାଙ୍କର ଦଖଲ ଥିଲା। ଇଂରାଜୀ, ହିନ୍ଦୀ ଓ ମାଲାୟାଲମ୍- ତିନିଟି ଭାଷାରେ ସେ କବିତା, ଗଳ୍ପ ଓ ଶିଶୁସାହିତ୍ୟ ରଚନା କରିଛନ୍ତି। ଓଡ଼ିଆ ସାହିତ୍ୟ ପ୍ରତି ମଧ୍ୟ ତାଙ୍କର ଗଭୀର ପ୍ରୀତି ଥିଲା। ଓଡ଼ିଶା ଲେଖକ ସାମ୍ମୁଖ୍ୟ ଓ ଓଡ଼ିଶା ଲେଖିକା ସଂସଦର ଆଜୀବନ ସଦସ୍ୟା ହୋଇଥିଲେ। ବଛା ବଛା କିଛି ଓଡ଼ିଆ ସାହିତ୍ୟ କୃତିର ଅନୁବାଦ କରିବା ସହିତ, ଓଡ଼ିଆ ନାରୀ କବିଙ୍କର କବିତାକୁ ନେଇ ସେ ଦୁଇଟି ସଂକଳନ ଇଂରାଜୀରେ ପ୍ରକାଶ କରିଛନ୍ତି। ଫକୀର ମୋହନ ସେନାପତିଙ୍କ ‘ଲଛମା’ ଓ ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ ‘ଅଚଳାୟତନ’ର ଅନୁବାଦ କରିଥିଲେ। ଏକ ସାକ୍ଷାତକାରରେ କହିଥିଲେ, ଓଡ଼ିଶାର ମହିଳାମାନେ ମୋତେ ପରଦେଶୀ ନଭାବି ଆପଣାର କରିନେବା ବେଶ୍ ପ୍ରଭାବିତ କରିଥିଲା। ବୋଧେ ଜଗନ୍ନାଥ ଓ ଓଡ଼ିଆଙ୍କର ଭଲ ପାଇବା ତାଙ୍କୁ ଓଡ଼ିଶାରେ ସବୁଦିନ ପାଇଁ ବାନ୍ଧି ଦେଇଥିଲା।