ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ ଚନ୍ଦ୍ରମଣି ନାରାୟଣ ସ୍ୱାମୀଙ୍କ ପରଲୋକ

ଭୁବନେଶ୍ୱର: ଓଡିଶାର ପ୍ରଥମ ମହିଳା ଜିଲ୍ଲାପାଳ ଚନ୍ଦ୍ରମଣି ନାରାୟଣ ସ୍ବାମୀଙ୍କର ଆଜି ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ହୋଇଥିଲା।

ଓଡ଼ିଶା-କ୍ୟାଡର ଆଇଏଏସ୍ ଅଧିକାରୀ ଚନ୍ଦ୍ରମଣି ନାରାୟଣ ସ୍ବାମୀ୧୯୬୪ ମସିହାରେ ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ  ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ସେ ଗଞ୍ଜାମ ଜିଲ୍ଲାର ଏଡିଏମ୍ ଏବଂ କଳାହାଣ୍ଡି ଜିଲ୍ଲାର ଜିଲ୍ଳାପାଳ ଭାବରେ ଯୋଗ ଦେଇଥିଲେ।

ଅବସରପ୍ରାପ୍ତ ପ୍ରଶାସକ ଚନ୍ଦ୍ରମଣି ନାରାୟଣ ସ୍ବାମୀ ତାଙ୍କ କ୍ୟାରିଅରରେ ଓଡିଶା ସରକାରଙ୍କର ଏକାଧିକ ପ୍ରମୁଖ ପଦବୀରେ ରହି କାମ କରିଥିଲେ। ସେ ସାଧାରଣ ପ୍ରଶାସନ ବିଭାଗରେ ୭ ବର୍ଷ ଏବଂ ସ୍ୱାସ୍ଥ୍ୟ ବିଭାଗରେ ୪ ବର୍ଷ କାମ କରିଛନ୍ତି। ତାଙ୍କୁ କୃଷି, ପଞ୍ଚାୟତିରାଜ ଏବଂ ରାଜସ୍ୱ ବିଭାଗରେ ସଚିବ ପଦରେ ମଧ୍ୟ ନିଯୁକ୍ତ କରାଯାଇଥିଲା। କେବଳ ଏତିକି ନୁହେଁ, ସେ କେନ୍ଦ୍ରୀୟ ଭିଜିଲାନ୍ସ କମିସନରେ ୬ ବର୍ଷ ପାଇଁ ଡେପୁଟେସନରେ କାର୍ଯ୍ୟ କରିଥିଲେ। ଚନ୍ଦ୍ରମଣି ନାରାୟଣ ସ୍ବାମୀ ଓଡିଶାରେ ରାଜସ୍ୱ ବୋର୍ଡର ଅଧ୍ୟକ୍ଷ ଭାବରେ ମଧ୍ୟ ସଫଳତାର ସହ ଦାୟିତ୍ବ ନିର୍ବାହ କରିଛନ୍ତି।

ଛାତ୍ରାବସ୍ଥାରେ ଚନ୍ଦ୍ରମଣି ନାରାୟଣ ସ୍ବାମୀ ଇଂରାଜୀ ଏବଂ ଗଣିତରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହିତ ସେ ଅନେକ କବିତା, କ୍ଷୁଦ୍ରଗଳ୍ପ ଏବଂ ଉପନ୍ୟାସ ମଧ୍ୟ ଲେଖିଛନ୍ତି। | ଓଡ଼ିଆ ସାହିତ୍ୟର ଅନେକ କବିତା, କ୍ଷୁଦ୍ରଗଳ୍ପ ଏବଂ ଉପନ୍ୟାସକୁ ସେ ଇଂରାଜୀରେ ଅନୁବାଦ ମଧ୍ୟ କରିଛନ୍ତି।

ଜଗତରନାଥ ଜଗନ୍ନାଥଙ୍କ ଭକ୍ତ ଭାବେ  ଦେହାନ୍ତ ପରେ ତାଙ୍କ ସମ୍ପତ୍ତିକୁ ମହାପ୍ରଭୁକୁ ଦାନ କରିବାକୁ ଇଚ୍ଛା କରିଥିଲେ ଚନ୍ଦ୍ରମଣି ନାରାୟଣ ସ୍ବାମୀ।

ସମ୍ବନ୍ଧିତ ଖବର