କଟକ: ଓଡ଼ିଶାରେ ପ୍ରଥମ ମହିଳା ଥାନା କଟକ ବକ୍ସିବଜାର ପୁଲିସ ମୁଖ୍ୟାଳୟ ସାମ୍ନାରେ ଖୋଲିଥିଲା। ଏହି ମହିଳା ଥାନାକୁ ଠିକ୍ ୩୦ ବର୍ଷ ପୂରିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ମହିଳା ଥାନାରେ ଗୋଟିଏ ହାଜତ ତିଆରି ହୋଇପାରିଲାନାହିଁ। ପୁଲିସ ମୁଖ୍ୟାଳୟ ସାମ୍ନାରେ ଯଦି ଗୋଟିଏ ଥାନାର ଭିତ୍ତିଭୂମିର ସ୍ଥିତି ଏଭଳି ତେବେ ଅନ୍ୟ ସ୍ଥାନରେ ଥିବା ଥାନାର ସ୍ଥିତିକୁ ସହଜରେ ଆକଳନ କରାଯାଇପାରେ। ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧର ସ୍ବତନ୍ତ୍ର ତଦନ୍ତ ପାଇଁ ଯେତେବେଳେ ରାଜ୍ୟ ସରକାର ଯୋଜନା କଲେ ସେ ସମୟରେ ମହିଳା ଥାନା ଖୋଲିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ୧୯୯୪ ଏପ୍ରିଲ ୧ରେ କଟକ ସହରାଞ୍ଚଳରେ ପ୍ରଥମ ମହିଳା ଥାନା ଖୋଲାଯାଇଥିଲା। ଏହାପରେ ୧୯୯୬ରେ ରାଉରକେଲା, ୧୯୯୭ରେ ସମ୍ବଲପୁର ଓ ବ୍ରହ୍ମପୁର, ୨୦୦୧ରେ କୋରାପୁଟ ଏବ˚ ଭୁବନେଶ୍ବରରେ ୨୦୦୨ରେ ମହିଳା ଥାନା ଖୋଲିଥିଲା। ପରକୁପର ରାଜ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ୬ଟି ମହିଳା ଥାନା ଖୋଲିଥିଲା।
ତେବେ, ପ୍ରଥମଥର କଟକରେ ଖୋଲିଥିବା ମହିଳା ଥାନାରେ ଭିତ୍ତିଭୂମି ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଥାନାରେ ହାଜତ ନଥିବାରୁ ଅଭିଯୁକ୍ତଙ୍କୁ ରଖିବାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ତତ୍କାଳୀନ ପୁଲିସ କମିସନର୍ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମୟରେ ମହିଳା ଥାନା ପୁଲିସ ଗିରଫ କରୁଥିବା ଅଭିଯୁକ୍ତଙ୍କୁ କ୍ୟାଣ୍ଟନମେଣ୍ଟ ଥାନା ହାଜତରେ ରଖିବାକୁ ଏକ ସର୍କୁଲାର୍ ୨୦୧୪-୧୫ ମସିହାରେ ଜାରି କରିଥିଲେ। ସେହିଦିନଠାରୁ କ୍ୟାଣ୍ଟନମେଣ୍ଟ ଥାନାରେ ରଖାଯାଉଛି। କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୁକ୍ତ ଥିଲେ ଦରଘାବଜାର ଥାନାରେ ବି ରଖାଯାଉଛି। ପୁରୁଷ ଅଭିଯୁକ୍ତ ଗିରଫ ହେଉଥିବାରୁ ସେମାନଙ୍କୁ ଜଗିବା ପାଇଁ ଥାନାରେ ପୁରୁଷ ପୁଲିସ କର୍ମଚାରୀ ନଥିବାରୁ ଅନ୍ୟତ୍ର ରଖାଯାଉଥିବା କୁହାଯାଉଛି। ଭୁବନେଶ୍ବର ମହିଳା ଥାନାରେ କିନ୍ତୁ ସ୍ବତନ୍ତ୍ର ହାଜତର ବ୍ୟବସ୍ଥା ରହିଛି। ଏଠାରେ ଥାନାରେ ଥିବା ଗୋଟିଏ ହଲ୍ରେ ଚାରିଜଣ ଅଫିସର ବସୁଛନ୍ତି। ଆଉ ଦୁଇ ଜଣ ଅଫିସର ଥାନା ପଛପଟେ ଥିବା ‘ମାଧ୍ୟମ’ କେନ୍ଦ୍ରରେ ବସୁଛନ୍ତି। ଏହାଦ୍ବାରା ଥାନା ପରିଚାଳନାରେ ବି ସମସ୍ୟା ହେଉଛି। ଥାନାରେ କୌଣସି ବିଶ୍ରାମାଗାର ନାହିଁ। ଡିସିଓ(ଡାଏରି ଚାର୍ଜ ଅଫିସର) ଦାୟିତ୍ବରେ ରହୁଥିବା ଅଫିସର୍ ରାତିରେ ବିଶ୍ରାମ ପାଇଁ ଘର ଗୋଟିଏ ନାହିଁ। ବାରାକ୍ ବ୍ୟବସ୍ଥା ବି କରାଯାଇନାହିଁ। ଯାହାଫଳରେ ପୋଷାକ ବଦଳାଇବା ବି ସମ୍ଭବପର ହୋଇପାରୁ ନାହିଁ। ଥାନାରେ ମାତ୍ର ଗୋଟିଏ ଗାଡ଼ି ରହିଛି। ଆଇଆଇସିଙ୍କ ପାଇଁ ବି ଗାଡ଼ି ନାହିଁ। ଭଡ଼ା ଗାଡ଼ିରେ ଆଇଆଇସି ଯିବାଆସିବା କରୁଛନ୍ତି।
ଗୋଟିଏପଟେ ଥାନାରେ ହାଜତ ନଥିବା ବେଳେ ଗାଡ଼ି ସମସ୍ୟା ବି ରହିଛି। ଏଭଳି ପରିସ୍ଥିତିରେ ମାମଲା ରୁଜୁ ସଂଖ୍ୟା କିଛି କମ୍ ନୁହେଁ। ମହିଳା ଥାନାର ମାମଲା ରୁଜୁ ସ˚ଖ୍ୟା ଯଦି ଦେଖାଯାଏ ତେବେ ୨୦୧୫ରେ ୧୨୭ଟି ମାମଲା ରୁଜୁ ହୋଇଥିଲା। ୨୦୧୬ରେ ୧୧୭ଟି, ୨୦୧୭ରେ ୧୨୨ଟି, ୨୦୧୮ରେ ୧୨୦ଟି, ୨୦୧୯ରେ ୧୩୦ଟି, ୨୦୨୦ରେ ୧୧୨, ୨୦୨୧ରେ ୧୪୩, ୨୦୨୨ରେ ୧୫୨, ୨୦୨୩ରେ ୧୭୪ଟି ମାମଲା ରୁଜୁ ହୋଇଛି। ଗଲା ୩ ବର୍ଷ ହେବ ହାରାହାରି ୧୫୦ରୁ ଅଧିକ ମାମଲା ରୁଜୁ ହେଉଛି। ଏପରିସ୍ଥଳେ ପୁଲିସ ମୁଖ୍ୟାଳୟ ସାମ୍ନାରେ ଥିବା ଥାନାର ଭିତ୍ତିଭୂମି ଏଭଳି ଦୟନୀୟ ସ୍ଥିତିରେ ରହିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।