ଯାଜପୁର: ଓଡ଼ିଶାର କଳା ଓ ସଂସ୍କୃତି ବେଶ୍‌ ସମୃଦ୍ଧ। ବିଶ୍ବ ଦରବାରରେ ଓଡ଼ିଆ କଳାକୃତି ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସିଛି। ଓଡ଼ିଆଙ୍କ କାରୁକାର୍ଯ୍ୟ ଓ ସ୍ଥାପତ୍ୟ ସମଗ୍ର ରାଜ୍ୟର କୋଣଅନୁକୋଣରେ ଦେଖିବାକୁ ମିଳେ। ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଓଡ଼ିଆ ଜାତି ସର୍ବଦା ଗର୍ବ କରିଅସିଛି। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବିକାଶ ପାଇଁ ରାଜ୍ୟ ସରକାର ଅହରହ ଉଦ୍ୟମ ଓ ପ୍ରୋତ୍ସାହନ ଯୋଗାଇ ଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Advertisment

ଆଜି ବ୍ୟାସନଗର ସହରର ହୋଟେଲ ଯଯାତି ପରିସରରେ ତିନିଦିନିଆ ଦ୍ବିତୀୟ ଆନ୍ତର୍ଜାତିକ ହସ୍ତକଳା ସମାବେଶକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପାଟ୍ଟନାୟକ ଆଭାସୀ ମଧ୍ୟମରେ ଉଦ୍‌ଘାଟନ କରିଥିଲେ। ଓଡ଼ିଶାର ସଂସ୍କୃତି, କଳା, କାରୁକାର୍ଯ୍ୟ, ଐତିହ୍ୟ ସମ୍ପର୍କରେ ସୂଚନା ଦେବା ସହିତ ଓଡ଼ିଆ କଳାକାର, ହସ୍ତଶିଳ୍ପୀଙ୍କ ଅବଦାନ ପାଇଁ ବିଶ୍ବ ଦରବାରରେ ଆମ ରାଜ୍ୟ ସ୍ବତନ୍ତ୍ର ସ୍ଥାନ ରହିଛି। ରାଜ୍ୟ ସରକାର ୫-ଟି ମାଧ୍ୟମରେ ବିକାଶ ସହିତ ଐତିହ୍ୟର ସୁରକ୍ଷା ଓ ସମୃଦ୍ଧି ପାଇଁ କାମ କରିଚାଲିଛି। ଓଡ଼ିଆ କଳାକାର ଓ ଶିଳ୍ପୀମାନେ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ସୁନାମ ଅର୍ଜନ କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଆସିଛି। ଜଗନ୍ନାଥ ସଂସ୍କୃତିର ବିକାଶ ସହିତ ସମସ୍ତ ଧର୍ମ ଓ ଜାତିର ଐତିହ୍ୟ ବିକାଶ କରିଚାଲିଛି। ଦେଶର ଶିଳ୍ପ ରାଜଧାନୀ ଯାଜପୁରର ଅତୀତ, ଐତିହ୍ୟ ସଂସ୍କୃତି ବେଶ୍‌ ସମୃଦ୍ଧ। ବୌଦ୍ଧ ବିହାର ସହିତ ପର୍ଯ୍ୟଟନ କ୍ଷେତ୍ରରେ ଯାଜପୁର ଜିଲ୍ଲା ଆଗକୁ ବଢୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ହସ୍ତକଳାକୁ ନେଇ ଆମ କଳାସଂସ୍କୃତି ସମୃଦ୍ଧ: ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକୀ

ସମାବେଶର ଅନ୍ୟତମ ଅତିଥି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇ କହିଲେ ଯେ ବିକଶିତ ଯାଜପୁର ଜିଲ୍ଲା ଦେଶର ଟସର କରିଡରରେ ପରିଣତ ହୋଇଛି। ଅନ୍ୟତମ ଅତିଥି ହସ୍ତତନ୍ତ ଓ ହସ୍ତକଳା ଶିଳ୍ପ ମନ୍ତ୍ରୀ ରୀତା ସାହୁ କହିଥିଲେ, ଯାଜପୁରର କଳା ଓ ସଂସ୍କୃତି ବେଶ୍‌ ବଳିଷ୍ଠ। ରାଜ୍ୟ ସରକାର ହସ୍ତଶିଳ୍ପର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ କରିଆସୁଛନ୍ତି ବୋଲି କହିଥିଲେ। ଏଥିରେ ସ୍ଥାନୀୟ ବିଧାୟକ ଅଶୋକ ବଳ, ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକୀ ଓ ପ୍ରତ୍ନତତ୍ତ୍ବ ବିଭାଗର ମହାନିର୍ଦେଶକ କିଶୋର ବାସା ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ଆଲୋଚନାଚକ୍ରରେ ଅଭିନେତା ସିଦ୍ଦିକ୍ କହିଲେ ଯେ ହଜାରହଜାର ବର୍ଷର ଆକର୍ଷଣୀୟ ହସ୍ତକଳାକୁ ନେଇ ଆମର ଗୌରବମୟ ଐତିହ୍ୟ ଓ ସଂସ୍କୃତି ସମୃଦ୍ଧ ହୋଇଛି। ଏଥିପାଇଁ ଚଳଚ୍ଚିତ୍ର ଶିଳ୍ପଠାରୁ ଆରମ୍ଭ କରି ସମସ୍ତ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ଅନ୍ୟତମ ଅତିଥି ମହାନିର୍ଦ୍ଦେଶକ ପ୍ରଫେସର ବାସା କହିଲେ ଯେ ଅତୀତର ଗୌରମମୟ ଐତିହ୍ୟ, ସଂସ୍କୃତି ଓ କୀର୍ତ୍ତିରାଜିର ସୁରକ୍ଷା ଏବଂ ବିକାଶ ପାଇଁ କେବଳ ମ୍ୟୁଜିୟମ୍ କରିଦେଲେ ଚଳିବ ନାହିଁ, ଲୋକଙ୍କୁ ସଚେତନ କରି ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ପ୍ରଚାରପ୍ରସାର କରିବାର ଅବଶ୍ୟକତା ରହିଛି।

ଉଦ୍‌ଘାଟନ ଉତ୍ସବରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସ୍ବାଗତ ଭାଷଣ ଦେଇଥିଲେ। ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଶୋକ ବେହୁରିଆ ଧନ୍ୟବାଦ ଦେଇଥିଲେ। ଏହି ହସ୍ତକଳା ସମାବେଶରେ ଦେଶବିଦେଶର ଶିଳ୍ପୀ, ପୃଷ୍ଠପୋଷକ, ଏକାଧିକ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇଛନ୍ତି। ୩ ଦିନରେ ୧୮ଟି ପର୍ଯ୍ୟାୟରେ ହସ୍ତକଳା ଶିଳ୍ପର ସୁରକ୍ଷା ଓ ସମୃଦ୍ଧି ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ଆରମ୍ଭ ହୋଇଛି।