ଭୁବନେଶ୍ବର : ଓଡ଼ିଶାକୁ ଏହାର ମହତ୍ତ୍ବକାଂକ୍ଷୀ ଯୋଜନା ‘ଜାଗା ମିସନ୍’ ପାଇଁ ଅନ୍ତର୍ଜାତୀୟ ସ୍ବୀକୃତି ସ୍ବରୂପ ‘ୱାର୍ଲଡ ହାବିଟାଟ ଆୱାର୍ଡ’ ମିଳିଛି। ବ୍ରିଟେନ ସ୍ଥିତ ୱାର୍ଲଡ ହାବିଟାଟ ସଂସ୍ଥା ପକ୍ଷରୁ ୟୁଏନ୍-ହାବିଟାଟ ସହଯୋଗରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅଭିନବ ଉଦ୍ଭାବନ ପାଇଁ ମାନ୍ୟତା, ସର୍ବଶ୍ରେଷ୍ଠ, ବିପ୍ଳବାତ୍ମକ ବିଚାର, ପ୍ରକଳ୍ପ ଏବଂ ଯୋଜନା ପାଇଁ ପ୍ରତ୍ୟେକ ବର୍ଷ ଏହି ବିଶ୍ବସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଥାଏ।
ଜାଗା ମିସନକୁ ବିଶ୍ବର ସବୁଠୁ ବଡ଼ ବସ୍ତି ଜମି ପ୍ରକଳ୍ପର ମାନ୍ୟତା ମିଳିଛି। ଯେଉଁଥିରେ ସହରାଞ୍ଚଳରେ ବସ୍ତିରେ ରହୁଥିବା ଲକ୍ଷାଧିକ ଗରିବ ଲୋକ ଉପକୃତ ହେବେ, ସେମାନେ ସ୍ବାଭିମାନର ସହ ରହିବେ ଏବଂ ବାସଚ୍ୟୁତ ହେବାର ଭୟ ରହିବନି। ଏହି ମିସନ ମେ ୨୦୧୮ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଟାଟା ଟ୍ରଷ୍ଟ୍ସ ଏବଂ ନରମାନ ଫୋଷ୍ଟର ଫାଉଣ୍ଡେସନ୍ ସହଯୋଗରେ ଆରମ୍ଭ ହୋଇଥିବା ବେଳେ ଏଥିରେ ବସ୍ତି ବାସିନ୍ଦାଙ୍କୁ ଜମି ଯୋଗାଇବା ସହ ଏକ ବାସୋପଯୋଗୀ ସ୍ଥାନରେ ରହିବାର ସୁବିଧା ଉପଲବ୍ଧ ହେଉଛି।
ବର୍ତ୍ତମାନ ସୁଦ୍ଧା ୫୨,୬୮୨ ପରିବାରକୁ ଜମି ଅଧିକାର ସାର୍ଟିଫିକେଟ ମିଳି ସାରିଥିବା ବେଳେ ୧୭୨୫ ବସ୍ତିର ଡ୍ରୋନ୍ ଏବଂ ଜିଆଇଏସ୍ ଜ୍ଞାନକୌଶଳରେ ସର୍ଭେ ସରିଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ବସ୍ତିବାସିନ୍ଦାଙ୍କ ସହଭାଗିତା ଦ୍ବାରା ଧାର୍ଯ୍ୟ ସମୟରେ ଏହି ଯୋଜନାକୁ ବିବାଦଶୂନ୍ୟ ଭାବେ କାର୍ଯ୍ୟକାରୀ କରାଯାଇପାରିଛି। ୨୫୫ଟି ବସ୍ତିକୁ ବାସୋପଯୋଗୀ ଅଞ୍ଚଳରେ ପରିଣତ କରାଯାଇପାରିଛି। ଗୋଷ୍ଠୀ କେନ୍ଦ୍ରିକ ଏବଂ ଗୋଷ୍ଠୀ ନେତୃତ୍ବରେ ବସ୍ତି ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକ ହୋଇପାରିଛି।
ଏହି ସମ୍ମାନ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଏହାର ସହଯୋଗୀ ଟାଟା ଟ୍ରଷ୍ଟ୍ସ ଏବଂ ନରମାନ ଫୋଷ୍ଟର ଫାଉଣ୍ଡେସନକୁ ଶୁଭେଚ୍ଛା ଜଣାଇଛନ୍ତି। ବସ୍ତିରେ ରହୁଥିବା ୧.୭ମିଲିଅନ ସହରାଞ୍ଚଳ ଗରିବ ବସ୍ତିବାସିନ୍ଦାଙ୍କ ସଶକ୍ତୀକରଣ କାର୍ଯ୍ୟ ଜାରି ରହୁ ବୋଲି କହିଛନ୍ତି।
ଟାଟା ଟ୍ରଷ୍ଟ୍ସର ଅଧ୍ୟକ୍ଷ ରତନ ଟାଟା କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ୍କୁ ଏହି ଗୌରବମୟ ମୁହୂର୍ତ୍ତ ପାଇଁ ଶୁଭେଚ୍ଛା। ସହରାଞ୍ଚଳ ଗରିବଙ୍କ ଜୀବନଶୈଳୀ ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କ ଦୃଷ୍ଟି ଏବଂ ପ୍ରତିଶ୍ରୁତିବଦ୍ଧତାକୁ ୱାର୍ଲଡ ହାବିଟାଟ ଆୱାର୍ଡ ଏକ ସ୍ବୀକୃତି। ଓଡ଼ିଶା ସରକାରଙ୍କ ଏହି ମହତ୍ ଉଦ୍ଦେଶ୍ୟରେ ଟାଟା ଟ୍ରଷ୍ଟ୍ସ ବିଶେଷ ଭାଗିଦାର ହୋଇପାରିଛି।
ନିକଟରେ ଏହି ପ୍ରକଳ୍ପକୁ ଇଣ୍ଡିଆ ଜିଓସ୍ପେସିଆଲ ଏକ୍ସଲେନ୍ସ ଆୱାର୍ଡ ମିଳିଥିଲା। ବିଶ୍ବରେ ପ୍ରଥମ କରି ବସ୍ତି ଅଞ୍ଚଳରେ ଡ୍ରୋନ୍ ସର୍ଭେ ଦ୍ବାରା ଡାଟାବେସ୍ ପ୍ରସ୍ତୁତ କରାଯାଇପାରିଛି। ଓଡ଼ିଶା ସରକାରଙ୍କ ଏହି ଉଦ୍ୟମକୁ ନୀତି ନିର୍ଦ୍ଧାରକ, ପ୍ରଶାସକ ଏବଂ ଗବେଷକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Odisha-Jaga-Mission.jpeg)