ରାଜ୍ୟର ଅଧିକାଂଶ ଟଙ୍କା ଦରମା, ଭତ୍ତାରେ ଯାଉଛି

ଓଡ଼ିଶାର ଋଣଭାର ଲକ୍ଷେ କୋଟିକୁ ଟପିବା ଆଶଙ୍କା

ଭୁବନେଶ୍ୱର : ଓଡ଼ିଶା ସରକାର ଟିକସ ଓ ଅଣଟିକସ ବାବଦରେ ଯେତେ ଅର୍ଥ ସଂଗ୍ରହ କରୁଛନ୍ତି ତାହାର ସିଂହଭାଗ କର୍ମଚାରୀଙ୍କ ବେତନ, ଭତ୍ତା, ପେନ୍‌ସନ୍‌ ଓ ଦପ୍ତର ପରିଚାଳନାରେ ଖର୍ଚ୍ଚ ହୋଇଯାଉଛି। ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ୨୦୧୭-୧୮ ବର୍ଷରେ ବେତନ ଓ ଭତ୍ତା ବାବଦକୁ ୧୮,୩୩୫ କୋଟି ୫୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପେନ୍‌ସନ୍‌ ବାବଦରେ ୮,୬୯୨ କୋଟି ୮୬ ଲକ୍ଷ ଟଙ୍କା ଓ ଦପ୍ତର ପରିଚାଳନା ପାଇଁ ୪୫୪ କୋଟି ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ଚଳିତ ଆର୍ଥକ ବର୍ଷରେ ବେତନ ଓ ଭତ୍ତା ବାବଦକୁ ୨୭,୨୪୦ କୋଟି ୨୭ ଲକ୍ଷ ଓ ପେନ୍‌ସନ୍‌ ବାବଦରେ ୧୧,୯୧୨ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଦପ୍ତର ପରିଚାଳନା ପାଇଁ ୪୯୨ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚର ଆକଳନ କରାଯାଇଛି। ଚଳିତ ଆର୍ଥକ ବର୍ଷରେ ରାଜ୍ୟ ସରକାର ଟିକସ ବାବଦକୁ ୨୮,୫୫୦ କୋଟି ଓ ଅଣଟିକସ ବାବଦକୁ ୧୦,୩୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଚଳିତ ଆର୍ଥକ ବର୍ଷର ଜୁଲାଇ ଶେଷ ସୁଦ୍ଧା ଟିକସ ବାବଦକୁ ୯,୪୪୮ କୋଟି ୪୯ ଲକ୍ଷ ଟଙ୍କା ଓ ଅଣଟିକସ ବାବଦକୁ ୩୬୦୦ କୋଟି ୧୮ ଲକ୍ଷ ଟଙ୍କା ଆଦାୟ ହୋଇଥିବା ସରକାର ସୂଚାଇଛନ୍ତି। ୨୦୧୦-୧୧ରୁ ୨୦୧୫-୧୬ ପର୍ଯ୍ୟନ୍ତ ୬ ବର୍ଷରେ ରାଜ୍ୟ ସରକାର ବେତନ, ଭତ୍ତା, ପେନ୍‌ସନ୍‌ ଓ ଦପ୍ତର ପରିଚାଳନା ଲାଗି ୧,୧୩,୭୮୯ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟ କରିଥିବା ବେଳେ ଏହି ବର୍ଷଗୁଡ଼ିକରେ ୧,୪୩,୩୭୮ କୋଟି ୫୪ ଲକ୍ଷ ଟଙ୍କା ନିଜସ୍ୱ ଟିକସ ଓ ଅଣଟିକସ ବାବଦରେ ଆଦାୟ କରିଥିଲେ।

ଦିଲ୍ଲୀପ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଋଣଭାର ଗତ ଜୁଲାଇ ମାସ ଶେଷ ସୁଦ୍ଧା ୭୬ ହଜାର ୪୨୮ କୋଟି ୪୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତ ଆର୍ଥକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କର ମୁଣ୍ଡପିଛା ହାରାହାରି ଋଣ ପରିମାଣ ପ୍ରାୟ ୧୬,୪୫୧ ଟଙ୍କା ଥିଲା। ୨୦୦୮-୦୯ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ଋଣଭାର ୩୬ ହଜାର ୪୩୦ କୋଟି ୫୪ ଲକ୍ଷ ଟଙ୍କା ଥିବା ବେଳେ ୨୦୧୦-୧୧ରେ ଏହା ୩୯ ହଜାର ୧୩୬ କୋଟି ୯୧ ଲକ୍ଷ ଓ ୨୦୧୭-୧୮ ବର୍ଷ ଶେଷ ସୁଦ୍ଧା ୭୩ ହଜାର ୮୬୪ କୋଟି ୬୬ ଲକ୍ଷ ଟଙ୍କାରେ ପହଞ୍ଚିଥିଲା।

ରାଜ୍ୟ ସରକାର ଯେତେ ପରିମାଣର ଋଣ କରୁଛନ୍ତି ତାହା ତୁଳନାରେ ପରିଶୋଧ ଢେର୍‌ କମ୍‌ ରହୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ହେଉଛି ଯେ ଏଫ୍‌ଆର୍‌ବିଏମ୍‌ ଆଇନ୍‌ରେ ଋଣ ପାଇଁ ଯେଉଁ ସୀମା ଧାର୍ଯ୍ୟ କରାଯାଇଛି ଏଯାବତ୍‌ ଋଣର ପରିମାଣ ତାହା ଭିତରେ ରହିଛି। ଏବେ ଠାରୁ ଋଣଭାର ପ୍ରତି ସରକାର ସତର୍କ ନ ରହିଲେ ଚଳିତ ଆର୍ଥକ ବର୍ଷ ଶେଷ ରାଜ୍ୟର ଋଣ ବୋଝ ପ୍ରାୟ ୯୨ ହଜାର କୋଟି ଟଙ୍କାରେ ପହଞ୍ଚିବ ଏବଂ ଆସନ୍ତାବର୍ଷକୁ ତାହା ଲକ୍ଷେ କୋଟି ଟଙ୍କାକୁ ଟପିଯିବ ବୋଲି ଶ୍ରୀ ରାୟ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର