ଅକ୍ଟୋବର ୨ରୁ ଚାଉଳ ବଣ୍ଟନ

ଜିଲ୍ଲାପାଳଙ୍କୁ ଚିଠି କରି ଜଣାଇଲା ଖାଦ୍ୟ ଯୋଗାଣ ବିଭାଗ

ଭୁବନେଶ୍ୱର : ଆଗାମୀ ଅକ୍ଟୋବର ୨ ତାରିଖରୁ କାର୍ଯ୍ୟକାରୀ ହେବାକୁ ଥିବା ରାଜ୍ୟ ସରକାରଙ୍କ ନୂତନ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ କିଲୋପିଛା ୧ଟଙ୍କା ଦରରେ ଚାଉଳ ବଣ୍ଟନ ପାଇଁ ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦେଶନାମା ଜାରି କରାଯାଇଛି।

ପ୍ରଥମ ଥର ପାଇଁ ଏହି ଯୋଜନାରେ କୁଷ୍ଠରୋଗୀ, ଏଚ୍‌ଆଇଭି ଅଥବା ଏହି ଧରଣର ମାରାତ୍ମକ ରୋଗରେ ପ୍ରପୀଡ଼ିତ ଲୋକଙ୍କୁ ସାମିଲ କରାଯାଇଛି। ଏହାଛଡ଼ା ଯେଉଁ ବ୍ୟକ୍ତି ୬୦ ବର୍ଷ ବୟସରୁ ଅଧିକ ହୋଇଥିବେ ଏବଂ ଚଳିବା ପାଇଁ ତାଙ୍କର କୌଣସି ବ୍ୟବସ୍ଥା ନ ଥିବ, ବୃଦ୍ଧ ତଥା ମାନସିକ ବିକାର, ଦିନ ମଜୁରିଆ ଓ ବାସ୍ତୁହରା ପ୍ରମୁଖଙ୍କୁ ରାଜ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଶାସନ ସଚିବ ବୀର ବିକ୍ରମ ଯାଦବ ଆଜି ଏହି ନିର୍ଦ୍ଦେଶନାମା ଜାରି କରି ଏହି ଯୋଜନାରେ କିଭଳି ବ୍ୟବସ୍ଥିତ ଢାଞ୍ଚାରେ ଚାଉଳ ବଣ୍ଟାଯିବ ସେ ସଂକ୍ରାନ୍ତରେ ସ୍ପଷ୍ଟ ନିର୍ଦ୍ଦେଶନାମା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ୩୦ଟି ଜିଲ୍ଲାରେ ୨୫ ଲକ୍ଷ ଗରିବ, ଦୁର୍ଗତ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଥବା ହିତାଧିକାରୀମାନଙ୍କୁ ଅକ୍ଟୋବର ୨ ତାରିଖ ଠାରୁ ଜଣ ପିଛା ୫ କିଲୋ ୧ ଟଙ୍କା ଦରରେ ମାସିକ ଯୋଗାଇ ଦିଆଯିବା ପାଇଁ ମନ୍ତ୍ରିମଣ୍ଡଳ ନିଷ୍ପତ୍ତି ନେଇଥିଲେ। ଏହା ପରେ ଆଜି ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପ୍ରତ୍ୟେକ ଜିଲ୍ଲାପାଳମାନଙ୍କୁ ବ୍ଲକ୍‌ୱାରୀ ଜନସଂଖ୍ୟା ତାଲିକା ଦିଆଯାଇ ଏହି ହିସାବରେ ଚାଉଳ ବଣ୍ଟନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ପୂର୍ବରୁ ଜିଲ୍ଲାୱାରୀ ଜନସଂଖ୍ୟା ତାଲିକା ପ୍ରଦାନ କରାଯାଇ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବଣ୍ଟନର ବ୍ୟବସ୍ଥା ଥିଲା। ଏଥର ବ୍ଲକ୍‌କୁ ୟୁନିଟ୍‌ କରାଯାଇଛି। ଏହାଫଳରେ କୌଣସି ହିତାଧିକାରୀ ବାଦ୍‌ ପଡ଼ିବେ ନାହିଁ ବୋଲି କର୍ତ୍ତୃପକ୍ଷ ଆଶା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଗାମୀ ଅକ୍ଟୋବର ୨ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୬ ମାସ ମଧ୍ୟରେ ଏଥିରେ ପ୍ରାୟ ୨୨୧ କୋଟି ଟଙ୍କା ବ୍ୟୟ କରାଯିବ। ଏକ କିଲୋ ଚାଉଳ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରାୟ ୨୮ ଟଙ୍କାର ଖର୍ଚ୍ଚ ବହନ କରିବାକୁ ପଡ଼ୁଛି। ଲୋକେ କିଲୋ ପିଛା ଟଙ୍କାଟିଏ ଦେଇ ଚାଉଳ ପାଇପାରିବେ। ଏହି ଯୋଜନାରେ ୨୫ ଲକ୍ଷ ଲୋକ ଉପକୃତ ହେଉଥିବା ଯୋଗୁଁ ଏହାକୁ କିଭଳି କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ ସେଥିପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବା ନିମନ୍ତେ ଆଗାମୀ ୮ ତାରିଖ ଠାରୁ ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ହୋଇଛି।

ଏହାଛଡ଼ା ପ୍ରତ୍ୟେକ ସୁଲଭ ବିକ୍ରୟ କେନ୍ଦ୍ରକୁ ଆବଶ୍ୟକ ପରିମାଣର ଚାଉଳ ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ପହଞ୍ଚାଇବା ନିମନ୍ତେ ନିର୍ଦ୍ଦେଶ ଜାରି କରାଯାଇଛି। ଅକ୍ଟୋବର ୨ ତାରିଖ ଠାରୁ ଏହି ନୂଆ ଯୋଜନାରେ ଚାଉଳ ଯୋଗାଣ ଆରମ୍ଭ ହେବ। ଏହି ନିର୍ଦ୍ଦେଶନାମା ଜାରି କରାଯିବା ସଙ୍ଗେ ସଙ୍ଗେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଶହେ କୋଟି ଟଙ୍କା ଜିଲ୍ଲାପାଳମାନଙ୍କ ପାଖରେ ପହଞ୍ଚାଇ ଦିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହାଫଳରେ ସେମାନେ ଚାଉଳ ସଂଗ୍ରହ କରିବା ସଙ୍ଗେ ସଙ୍ଗେ ଟ୍ରକ୍‌ ଯୋଗେ ତାହାକୁ ସୁଲଭ ବିକ୍ରୟ କେନ୍ଦ୍ରମାନଙ୍କ ନିକଟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପହଞ୍ଚାଇଦେବେ।

ସମ୍ବନ୍ଧିତ ଖବର