ଭୁବନେଶ୍ବର: ଭାରତର ହାରାହାରି ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି (ଏଟି ଆଣ୍ଡ ସି କ୍ଷତି) ୧୬.୪୨%। ଏହି ସମୟରେ ଓଡିଶାର ଏଟି ଆଣ୍ଡ ସି କ୍ଷତି ପ୍ରାୟ ଦୁଇଗୁଣା ଅଧିକ, ଅର୍ଥାତ୍ ୩୧.୨୬%। କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟରତ ପାଵାର ଫାଇନାନ୍ସ କର୍ପୋରେସନ୍, ୨୦୨୧-୨୨ ରିପୋର୍ଟରୁ ଏଭଳି ସାଂଘାତିକ ତଥ୍ୟ ହସ୍ତଗତ ହୋଇଛି। ଏହି ରିପୋର୍ଟ ଅନୁସାରେ, ଓଡିଶା ଉପରକୁ କେବଳ ବିହାରର ଏଟି ଆଣ୍ଡ ସି କ୍ଷତି ୩୨.୪୨% ଓ ଝାଡ଼ଖଣ୍ଡର ୩୩.୭୯% ରହିଛି। ବାକି ସବୁ ରାଜ୍ୟ ଓଡିଶା ତଳେ ଅଛନ୍ତି। ଏପରିକି ଓଡିଶାର ପଡୋଶୀ ରାଜ୍ୟ ଛତିଶଗଡର କ୍ଷତି ୧୩.୩୧% ଥିବା ବେଳେ ତେଲେଙ୍ଗାନାର ୧୦.୬୫%, ଆନ୍ଧ୍ରପ୍ରଦେଶର ୧୦.୫୫%, ପଶ୍ଚିମବଙ୍ଗର ଏଟି ଆଣ୍ଡ ସି କ୍ଷତି ୧୬.୬୭% ରହିଛି। ଅନ୍ୟପକ୍ଷରେ ଗୁଜୁରାଟର ଏଟି ଆଣ୍ଡ ସି କ୍ଷତି ୧୦.୧୩%, ମହାରାଷ୍ଟ୍ରର ୧୫.୨୫%, ତାମିଲନାଡୁର ୧୩.୪୬%, କର୍ଣ୍ଣାଟକର ୧୧.୪୫%, କେରଳର ୭.୬୮%, ଉତ୍ତରପ୍ରଦେଶର ୩୦.୫୨%, ଉତ୍ତରାଖଣ୍ଡର ୧୪.୧୫%, ରାଜସ୍ଥାନର ୧୭.୪୯%, ପଞ୍ଜାବର ୧୧.୬୭%, ମଧ୍ୟପ୍ରଦେଶର ୨୨.୫୫%, ହରିୟାନାର ୧୩.୭୨%, ଆସାମର ୧୬.୯୫% ରହିଛି। କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀର ଏଟି ଆଣ୍ଡ ସି କ୍ଷତି ୮.୧୨%।
ଶକ୍ତି ବିଶେଷଜ୍ଞ ଏହାକୁ ଗମ୍ଭୀରତାର ସହିତ ନେଇଛନ୍ତି। ସେମାନଙ୍କ ମତରେ, ଚାରିଟି ଆବଣ୍ଟନ କମ୍ପାନି ୨୦୨୧-୨୨ରେ ୧୩ ହଜାର ୩୫୧ କୋଟି ଟଙ୍କା ରାଜସ୍ୱ ଅାଦାୟ କରିଛନ୍ତି। ଏହାକୁ ବିଚାରକୁ ନେଇ ହିସାବ କଲେ ଜଣାପଡ଼ୁଛି ଯେ ୧% କ୍ଷତି ପାଇଁ ପ୍ରାୟ ୧୯୪ କୋଟି ଟଙ୍କାର ରାଜସ୍ୱ ହାନି ହେଉଛି। ତେଣୁ ୨୦୨୧-୨୨ ପିଏଫ୍ସି ରିପୋର୍ଟର ତଥ୍ୟ ହିସାବରେ ସେହି ବର୍ଷ ଓଡ଼ିଶାର କେବଳ ୬ହଜାର କୋଟି ଟଙ୍କାର ରାଜସ୍ବ ହାନି ହୋଇଛି। ଏହା ବିଦ୍ୟୁତ୍ ସଂସ୍କାରର ପରିପନ୍ଥୀ। ଓଇଆର୍ସି ସେବର୍ଷ ଖୁଚୁରା ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ କ୍ଷେତ୍ରରେ ଏଟି ଆଣ୍ଡ ସି କ୍ଷତି ୨୫.୬୭% ଅନୁମୋଦନ କରାଯାଇଥିଲା। ହେଲେ ପିଏଫ୍ସି ରିପୋର୍ଟରେ ଏହା ୩୧.୨୬% କେମିତି ହେଲା? କେଉଁ ପରିସ୍ଥିତିରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟକୁ ଅଧିକ କ୍ଷତି ଥିବା ଦର୍ଶାଗଲା? କାହା ରିପୋର୍ଟକୁ ଠିକ୍ ବୋଲି ଦର୍ଶାଯିବ? ରାଜସ୍ୱ କ୍ଷତି ଦିଗରୁ ବିଚାରକଲେ ପାର୍ଥକ୍ୟ ଥିବା ପ୍ରାୟ ୬%ର ଆର୍ଥିକ ପ୍ରଭାବ ପ୍ରାୟ ୧୨୦୦ କୋଟି ଟଙ୍କା। ଏଣୁ ଏହାକୁ ସହଜରେ ଗ୍ରହଣ କରିହେଉନାହିଁ।
ଏହି ପ୍ରସଙ୍ଗକୁ ହାଲୁକା ଭାବେ ମଧ୍ୟ ନିଆଯାଇପାରିବ ନାହିଁ। କାରଣ, ବିଦ୍ୟୁତ୍ ସଂସ୍କାର ସଫଳତା ଓ ବିଫଳତାକୁ ବିଚାର କରି କେନ୍ଦ୍ର ସରକାର ୨ ଲକ୍ଷ ୧୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ବ୍ୟବସ୍ଥା କରିଛନ୍ତି। ତାହାର ଲାଭ ଓଡ଼ିଶା ପାଇପାରିବ ନାହିଁ। ଏଠାରେ ଉଲ୍ଲେଖଥାଉକି, ଓଇଆର୍ସି ରିଲାଏନ୍ସ କମ୍ପାନି ଅଧୀନସ୍ଥ ୱେସ୍କୋ, ନେସ୍କୋ ଓ ସାଉଥ୍କୋର ଲାଇସେନ୍ସକୁ ମାର୍ଚ୍ଚ, ୨୦୧୫ରେ ରଦ୍ଦ କରିଦେଇ ଥିଲେ। ଏହା ପରେ ୨୦୧୬ ମସିହାରୁ ୨୦୨୦ ପ୍ରାୟ ପାଞ୍ଚବର୍ଷ ସରକାରଙ୍କ ପରିଚାଳନାରେ ଚାରୋଟି ଆବଣ୍ଟନ ସଂସ୍ଥା କାର୍ଯ୍ୟ କରୁଥିଲେ। ୨୦୦୨-୦୩ରେ ଏଟି ଆଣ୍ଡ ସି କ୍ଷତି (ସାମଗ୍ରିକ ବୈଷୟିକ ଓ ବାଣିଜ୍ୟ କ୍ଷତି) ୫୧% ଥିବା ବେଳେ, ମାର୍ଚ୍ଚ,୨୦୧୫ (ରିଲାଏନ୍ସକୁ ବରଖାସ୍ତ ସମୟ) ବେଳକୁ ଏହା ୩୮.୧୬%କୁ ଖସିଥିଲା। ପରେ ୨୦୨୦ ମାର୍ଚ୍ଚ ବେଳକୁ ଯେବେ ଟାଟାକୁ ବିକ୍ରୟ ହେଲା, ସେବେ ଏହି କ୍ଷତିର ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ୨୯.୪୫%କୁ ଖସି ଆସିଥିଲା।
ଓଇଆର୍ସି ତଥ୍ୟକୁ ବିଶ୍ବାସ କଲେ, ରିଲାଏନ୍ସ ଅବଧି ମଧ୍ୟରେ ଆବଣ୍ଟନ କମ୍ପାନିଗୁଡ଼ିକର କ୍ଷତି ବାର୍ଷିକ ହାରାହାରି ୧% ହ୍ରାସ ପାଇଥିବା ବେଳେ ସରକାରୀ ପରିଚାଳନା ଅବଧିରେ ବାର୍ଷିକ ହାରାହାରି ୨% କ୍ଷତି ହ୍ରାସ ହେଉଥିଲା। ବିଡମ୍ବନାର ବିଷୟ ହେଲା, ସରକାରୀ ପରିଚାଳନାରେ ଯେତେବେଳେ ଆବଣ୍ଟନ ସଂସ୍ଥାଗୁଡିକ ଉତ୍ତମ ପ୍ରଦର୍ଶନ କରୁଥିଲେ ସେତେବେେଳ ଆୟୋଗ କାହିଁକି ଓ କାହା ସ୍ବାର୍ଥ ଲାଗି ପୁଣି ଘରୋଇକରଣ ପ୍ରକ୍ରିୟାକୁ ଗଲେ, ତାହା ଅନୁସନ୍ଧାନ ସାପେକ୍ଷ।