ଓଡ଼ିଶାର ରାକେଶ ଚନ୍ଦ୍ର ବେହେରାଙ୍କୁ ମରଣୋତ୍ତର ଭାବେ ସର୍ବୋତ୍ତମ ଜୀବନ ରକ୍ଷା ପଦକ

୪୮ ଜଣ ପାଇବେ ଜୀବନ ରକ୍ଷା ପଦକ ପୁରସ୍କାର

ନୂଆଦିଲ୍ଲୀ : ୨୦୧୮ପାଇଁ ୪୮ ଜଣଙ୍କୁ ଜୀବନ ରକ୍ଷା ପଦକ ପୁରସ୍କାର ପ୍ରଦାନ ସକାଶେ ରାଷ୍ଟ୍ରପତି ମଞ୍ଜୁରି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ୮ ଜଣଙ୍କୁ ସର୍ବୋତ୍ତମ ଜୀବନ ରକ୍ଷା ପଦକ, ୧୫ଜଣଙ୍କୁ ଉତ୍ତମ ଜୀବନ ରକ୍ଷା ପଦକ ଏବଂ ୨୫ ଜଣଙ୍କୁ ଜୀବନ ରକ୍ଷା ପଦକ ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରେ ୮ ଜଣଙ୍କୁ ମରଣୋତ୍ତର ଭାବେ ପୁରସ୍କାର ପ୍ରଦାନ ସକାଶେ ସୁପାରିସ କରାଯାଇଛି । ଓଡ଼ିଶାର ରାକେଶ ଚନ୍ଦ୍ର ବେହେରାଙ୍କୁ ମରଣୋତ୍ତର ଭାବେ ସର୍ବୋତ୍ତମ ଜୀବନ ରକ୍ଷା ପଦକ ପ୍ରଦାନ କରାଯିବ । ଉଲ୍ଲେଖଯୋଗ୍ୟ, ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଜୀବନ ରକ୍ଷା ପଦକ ସିରିଜର ପୁରସ୍କାର ପ୍ରଦାନ କରାଯାଉଛି ।

ତିନୋଟି ଶ୍ରେଣୀରେ: ସର୍ବୋତ୍ତମ ଜୀବନ ରକ୍ଷା ପଦକ, ଉତ୍ତମ ଜୀବନ ରକ୍ଷା ପଦକ ଏବଂ ଜୀବନ ରକ୍ଷା ପଦକ ଏହା ପ୍ରଦାନ କରାଯାଉଛି । ଯେକୌଣସି ବର୍ଗର ବ୍ୟକ୍ତିଙ୍କୁ ଏଭଳି କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ମରଣୋତ୍ତର ଭାବେ ମଧ୍ୟ ଏହା ପ୍ରଦାନ କରାଯାଉଛି । ଏହି ପୁରସ୍କାରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦସ୍ତଖତ ଥିବା ପଦକ, ପ୍ରମାଣପତ୍ର ସହ କିଛି ଅର୍ଥ ପୁରସ୍କାର କେନ୍ଦ୍ର ମନ୍ତ୍ରଣାଳୟ/ସଙ୍ଗଠନ/ରାଜ୍ୟ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ ।

ସମ୍ବନ୍ଧିତ ଖବର