ଅର୍ଥ କମିସନଙ୍କ ଛାଟ, ଓଡ଼ିଶାର ଭାଗ ୪.୫୨% କମିଲା

ବଳକା ଚାରିବର୍ଷ ପାଇଁ ସୁପାରିସ
କେନ୍ଦ୍ରୀୟ ଟିକସରୁ ରାଜ୍ୟ ଭାଗ ୪୧%
କରୋନାରେ ଓଡ଼ିଶାର ଅର୍ଥନୀତି ପ୍ରଭାବିତ
ଶ୍ରୀମନ୍ଦିର, କୋଣାର୍କ, ବାରବାଟୀ ପାଇଁ ଅର୍ଥ
ସମ୍ବଲପୁର ଡ୍ରେନେଜ୍, ହୀରାକୁଦ ପାଇଁ ବି
ନବରଙ୍ଗପୁରରେ ଇନ୍ଦ୍ରାବତୀ ଉପରେ ହେବ ସେତୁ

ଭୁବନେଶ୍ବର : କେନ୍ଦ୍ରୀୟ ଟିକସରୁ ୫୦ଭାଗ ଅର୍ଥ ରାଜ୍ୟମାନଙ୍କୁ ପ୍ରଦାନ ଲାଗି ଏନ କେ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ପଞ୍ଚଦଶ ଅର୍ଥ କମିସନଙ୍କ ନିକଟରେ ଦାବି ରଖିଥିଲା ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବି କମିସନଙ୍କ ଚୂଡାନ୍ତ ରିପୋର୍ଟରେ ପ୍ରତିଫଳିତ ହୋଇନାହିଁ।

ଆଜି ସଂସଦ ସାମ୍ନାକୁ ଅର୍ଥ କମିସନଙ୍କର ଚୂଡ଼ାନ୍ତ ରିପୋର୍ଟ ଆସିଛି; ଯେଉଁଥିରେ ଅନୁଦାନ ବଢ଼ିବା ପରିବର୍ତ୍ତେ କମିବା ସଙ୍କେତ ଜଳ ଜଳ ଦିଶୁଛି। କିଛି କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଅର୍ଥ ମିଳିବ ବୋଲି ସଙ୍କେତ ମିଳୁଥିଲେ ହେଁ, ଚତୁର୍ଦଶ ଅର୍ଥ କମିସନ ଟିକସ ଅର୍ଥରୁ ୪୨% ରାଜ୍ୟମାନଙ୍କୁ ପ୍ରଦାନ କରିବା ଲାଗି ସୁପାରିସ କରିଥିବା ବେଳେ ପଞ୍ଚଦଶ ଅର୍ଥ କମିସନ ତାଙ୍କର ଅନ୍ତରୀଣ ରିପୋର୍ଟରେ ଏହାକୁ ୪୧%କୁ କମାଇ ଦେଇଥିଲେ। ପୂର୍ଣ୍ଣାଙ୍ଗ ରିପୋର୍ଟରେ ତାହା ବଳବତ୍ତର ରହିଛି।

ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, ପଞ୍ଚଦଶ କମିସନ ଅର୍ଥ ଆବଣ୍ଟନ ଲାଗି ଯେଉଁ ନିୟମ କରିଛନ୍ତି, ତାହା ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ସପକ୍ଷରେ ଯାଉଛି। ଅର୍ଥାତ୍ ରାଜ୍ୟମାନଙ୍କୁ ଆବଣ୍ଟିତ ରାଶିର ୧୦.୦୫୮% ଯେତେବେଳେ ବିହାରକୁ ମିଳିବ (ଉତ୍ତର ପ୍ରଦେଶ ୧୭.୯୩୯%, ପଶ୍ଚିମବଙ୍ଗ ୭.୫୨୩%, ରାଜସ୍ଥାନ ୬.୦୨୬%, ମଧ୍ୟପ୍ରଦେଶ ୭.୮୫୦%), ସେବେ ଓଡ଼ିଶା ଗତବର୍ଷ ତୁଳନାରେ ବି ୧୦ବେସିକ୍ ପଏଣ୍ଟ ହାରରେ କମ୍ ଅର୍ଥ ପାଇବ।

ଚତୁର୍ଦଶ ଅର୍ଥ କମିସନଙ୍କ ସମୟରେ ଓଡ଼ିଶା ପାଇଁ ଏହାର ପରିମାଣ ୪.୬୪% ଥିଲା। ଗତବର୍ଷ କମିସନଙ୍କ ଅନ୍ତରୀଣ ରିପୋର୍ଟରେ ଏହା କମିଆସି ୪.୬୨୯%ରେ ପହଞ୍ଚିଥିଲା। ହେଲେ ଏବେ ଆସନ୍ତା ୫ ବର୍ଷ ୪.୫୨୮% ହାରରେ ରାଜ୍ୟକୁ ଅର୍ଥ ମିଳିବ। ରାଜ୍ୟର ଆକାର, ଲୋକସଂଖ୍ୟା, ଜଙ୍ଗଲ ଓ ପରିବେଶ, ଆୟ ସ୍ଥିତି, ଜନସଂଖ୍ୟା ଭିତ୍ତିକ ପ୍ରଦର୍ଶନ ଓ ଟିକସ ଆଦି କ୍ଷେତ୍ରକୁ ବିଚାରକୁ ନେଇ ଅର୍ଥ ଆୟୋଗ ଏହି ହାର ନିର୍ଧାରଣ କରିଛନ୍ତି।

୨୦୨୧-୨୫ ଆର୍ଥିକ ବର୍ଷ ଲାଗି ଓଡ଼ିଶା ଲାଗି ଯେଉଁ ଚିତ୍ର କମିସନ ଆଙ୍କିଛନ୍ତି, ସେଥିରୁ ଜଳ ଜଳ ହୋଇ ଦିଶୁଛି ଯେ କରୋନା ପରବର୍ତ୍ତୀ ପରିସ୍ଥିତିରେ ରାଜ୍ୟ ଅର୍ଥନୀତି ଉପରେ ସାଂଘାତିକ ଚୋଟ ପଡ଼ିଛି। ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ପରିମାଣ ୨୦୨୧-୨୨ରେ ଖସିଆସି ୫ଲକ୍ଷ ୫୩ହଜାର ୨୪୬କୋଟି ଛୁଇଁବ ବୋଲି ଆକଳନ କରାଯାଇଛି। ଯେଉଁଥିରେ ରାଜ୍ୟର ମୋଟ ରାଜସ୍ବ ଆୟ ୪୯ ହଜାର ୪୬୬ କୋଟି ଟଙ୍କା ଛୁଇଁବ ବୋଲି ହିସାବ କରାଯାଇଛି। ଏଥିରୁ ନିଜସ୍ବ ଟିକସ ରାଜସ୍ବ ବାବଦରେ ୩୩,୨୩୮ କୋଟି ଟଙ୍କା ଓ ଅଣ ଟିକସ ରାଜସ୍ବ ଆକାରରେ ୧୬,୨୨୮ କୋଟି ଟଙ୍କା ଏବଂ ଜିଏସ୍‌ଟି କ୍ଷତିପୂରଣ ବାବଦରେ ୩୨୯୭କୋଟି ମିଳିବ। ଅନ୍ୟପକ୍ଷରେ ରାଜସ୍ବ ବ୍ୟୟ ୭୩ ହଜାର ୩୭୭ କୋଟି ଟଙ୍କା ହେବ, ଯେଉଁଥିରୁ ସୁଧ ଦେୟ ୭୮୦୪ କୋଟି ରହିବ ଓ ପେନସନ୍ ବାବଦରେ ୧୫୦୩୩ କୋଟି ଟଙ୍କା ବ୍ୟୟ ହେବ। ଅର୍ଥାତ୍ ବର୍ଷ ଶେଷକୁ ରାଜସ୍ବ ନିଅଣ୍ଟ ୨୦୬୧୪ କୋଟି ଟଙ୍କା ହେବ ବାଲି ଆକଳନ କରାଯାଇଛି। କିନ୍ତୁ କେନ୍ଦ୍ରୀୟ ଯୋଗଦାନ ପରେ ରାଜସ୍ବ ବଳକା ବର୍ଷଶେଷକୁ ୯୨୦୭ କୋଟି ଟଙ୍କାରେ ପହଞ୍ଚିବ ବୋଲି ହିସାବ ହୋଇଛି। ଏଣୁ ରାଜସ୍ବ ନିଅଣ୍ଟିଆ ରାଜ୍ୟଙ୍କୁ ମିଳୁଥିବା ସ୍ବତନ୍ତ୍ର ଅନୁଦାନ ଓଡ଼ିଶା ହରାଇବ।

କମିସନଙ୍କ ରିପୋର୍ଟ ଦେଖିଲେ ଜଣାପଡ଼ୁଛି ଯେ ଲୋକସଂଖ୍ୟା ଓ ଆୟତନକୁ ବିଚାରକୁ ନେଲେ ଓଡ଼ିଶା ୩.୭୨% ହାରରେ ଅର୍ଥ ପାଇବ। ଏବର୍ଷ ପଞ୍ଚାୟତିରାଜ ଅନୁଷ୍ଠାନକୁ ପଞ୍ଚଦଶ ଅର୍ଥ
କମିସନଙ୍କ ସୂତ୍ରରୁ ୧୬୬୯ କୋଟି ଟଙ୍କା ଓ ପୌର ସଂସ୍ଥାକୁ ୮୨୨ କୋଟି ଟଙ୍କା ମିଳିବ। ଏହିଭଳି ଭାବେ ୨୦୨୫-୨୬ ସୁଦ୍ଧା ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନ ୮୮୦୦ କୋଟି ଓ ପୌରସଂସ୍ଥା ୪୪୯୮ କୋଟି ଟଙ୍କା ପାଇବେ। ସେହିଭଳି ମିଲିୟନ୍ ପ୍ଲସ୍ ସିଟି ବାଦ୍ ଅନ୍ୟ ଅଞ୍ଚଳ ପାଇଁ କମିସନ ଯେଉଁ ସ୍ବତନ୍ତ୍ର ଅନୁଦାନ ଘୋଷଣା କରିଛନ୍ତି, ସେସ୍‌ ବାବଦରେ ୨୦୨୧-୨୨ରେ ପଞ୍ଚାୟତିରାଜ ଅନୁଷ୍ଠାନକୁ ୮୨୨ କୋଟି ଓ ସହରାଞ୍ଚଳ ପାଇଁ ୮୫୧ କୋଟି ଟଙ୍କା ମିଳିବ। ଏହି କ୍ରମରେ ୨୦୨୫-୨୬ ସୁଦ୍ଧା ଓଡ଼ିଶା ମୋଟ ୪୪୯୮ କୋଟି ଟଙ୍କା ସ୍ବତନ୍ତ୍ର ଅନୁଦାନ ପାଇବ।
ଚତୁର୍ଦଶ ଅର୍ଥ କମିସନ କେବଳ ପଞ୍ଚାୟତକୁ ଫୋକସ କରିଥିବା ବେଳେ ପଞ୍ଚଦଶ ଅର୍ଥ କମିସନ କିନ୍ତୁ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ପଞ୍ଚାୟତକୁ ଅର୍ଥ ଆବଣ୍ଟନ କଥା କହିଛନ୍ତି। ସେହିଭଳି ସମୁଦାୟ ସୁପାରିସ ଅର୍ଥ ରାଶି ପୂର୍ବରୁ ଅନାବଦ୍ଧ ପାଣ୍ଠି ଭାବେ ବିବେଚିତ ହୋଇଥିଲା। ପଞ୍ଚଦଶ ଅର୍ଥ କମିସନ କିନ୍ତୁ ୪୦ ପ୍ରତିଶତ ଅର୍ଥ ରାଶି ଅନାବଦ୍ଧ ପାଣ୍ଠି ବୋଲି ସୂଚାଇଥିବା ବେଳେ ବଳକା ୬୦ ପ୍ରତିଶତ କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଅର୍ଥାତ୍ ପରିମଳ, ପାନୀୟ ଜଳ ଯୋଗାଣ, ମଳମୁକ୍ତ ଅଞ୍ଚଳ ଆଦି ପାଇଁ ଖର୍ଚ୍ଚ କରିବେ ବୋଲି ସର୍ତ ରଖିଛନ୍ତି। ପୌରସଂସ୍ଥା କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଅର୍ଥ ଆବଣ୍ଟନ ହେବ।

ଯେତିକି ଅର୍ଥ ରାଜ୍ୟକୁ ମିଳିବ, ସେଥିରୁ ପଞ୍ଚାୟତିରାଜ ଅନୁଷ୍ଠାନକୁ ୨୦୨୧-୨୨ରେ ୬୭% ଓ ପୌରସଂସ୍ଥାକୁ ୩୩% ହାରରେ ଅର୍ଥ ଦିଆଯିବ। ଏଥିରେ କ୍ରମଶଃ ପରିବର୍ତ୍ତନ ହୋଇ ୨୦୨୫-୨୬ ବେଳକୁ ଏହା ୬୫: ୩୫ ପ୍ରତିଶତ ହାରରେ ବଣ୍ଟନ ହେବ।

କମିସନଙ୍କ ସୁପାରିସ ଅନୁସାରେ ପ୍ରାକୃତିକ ବିପର୍ଯ୍ୟୟ ବାବଦରେ ଓଡ଼ିଶାକୁ ଅର୍ଥ ବରାଦ କରାଯାଇଛି। ଗତବର୍ଷ ଭଳି ଏଥର ବି ୨୧୩୯ କୋଟି ଟଙ୍କା ମିଳିବ। କିନ୍ତୁ ପରବର୍ତୀ ବର୍ଷମାନଙ୍କରେ ଏହା କ୍ରମଶଃ ବୃଦ୍ଧି ପାଇବ ଓ ୨୦୨୧ରୁ ୨୦୨୬ ମଧ୍ୟରେ ରାଜ୍ୟ ମୋଟ ୧୧୮୧୯ କୋଟି ଟଙ୍କା ପାଇବ। ଏଥିରେ କେନ୍ଦ୍ର ସରକାରଙ୍କ ଭାଗ ୮୮୬୫ କୋଟି ଟଙ୍କା ରହିଛି ଓ ରାଜ୍ୟ ସରକାରଙ୍କ ଅଂଶ ୨୯୫୪ କୋଟି ଟଙ୍କା ରହିବ।

କମିସନଙ୍କ ରିପୋର୍ଟ ଅନୁଧ୍ୟାନ କଲେ ଦେଖାଯାଉଛି ଯେ ସ୍ବାସ୍ଥ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ଅନୁଦାନ ବାବଦରେ ରାଜ୍ୟ ମୋଟ ୨୪୫୪ କୋଟି ଟଙ୍କା ପାଇବ। ଯେଉଁଥିରେ ଏବର୍ଷର ଭାଗ ୪୬୨ କୋଟି ଟଙ୍କା ରହିଛି।

ଅର୍ଥ କମିସନ କିନ୍ତୁ ଶ୍ରୀମନ୍ଦିର ପାଇଁ ୧୭୫ କୋଟି ସୁପାରିସ କରିଛନ୍ତି। ଶ୍ରୀମନ୍ଦିର ଓ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ ଲାଗି ଦେଇଛନ୍ତି। ବାତ୍ୟା ପ୍ରବଣ ଅଞ୍ଚଳ ପାଇଁ ଵାର୍ଣ୍ଣି ସେଣ୍ଟର ବାବଦରେ ୮୦୦ କୋଟି ଟଙ୍କା ଆସିବ। କୋଣାର୍କ ସଂରକ୍ଷଣ ଓ ପାରିପାର୍ଶ୍ବିକ ଉନ୍ନତି, ଚନ୍ଦ୍ରଭାଗା ଠାରୁ କାକଟପୁର ଜଙ୍କସନ୍, କୋଣାର୍କ ରିଙ୍ଗ୍ ରୋଡ୍, ଚନ୍ଦ୍ରଭାଗା ଉପକୂଳର ବିକାଶ ପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ଲାଗି ବାଟ ଖୋଲିଛି। ସେହିଭଳି ବାରବାଟୀ ଦୁର୍ଗ ଓ ପାରିପାର୍ଶ୍ବିକ ଐତିହ୍ୟସ୍ଥଳୀର ବିକାଶ ପାଇଁ ୧୫୦ କୋଟି, ସମ୍ବଲପୁର ପୌରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ୧୫୦ କୋଟି, ନବରଙ୍ଗପୁର କେନ୍ଦୁଗୁଡା ନିକଟରେ ଇନ୍ଦ୍ରାବତୀ ଉପରେ ଉଚ୍ଚତମ ସେତୁ ପାଇଁ ୧୫୦ କୋଟି ଟଙ୍କା, ହୀରାକୁଦ ବନ୍ଦର ବିକାଶ, ମହାନଦୀ ଉପରେ ସେତୁ, ହୀରାକୁଦ ନିକଟରେ ଏୟାର ଷ୍ଟ୍ରିପ୍ ବିକାଶ ପାଇଁ ୨୦୦ କୋଟି ଟଙ୍କାର ସ୍ବତନ୍ତ୍ର ଅନୁଦାନ ମିଳିବ।

ସମ୍ବନ୍ଧିତ ଖବର