ରାଜସ୍ୱ ଆଦାୟରେ ୨୩% ବୃଦ୍ଧି

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ନଭେମ୍ବର ଶେଷ ସୁଦ୍ଧା ରାଜ୍ୟର ରାଜସ୍ୱ ଆଦାୟ ପରିମାଣ ୨୩% ବୃଦ୍ଧି ପାଇ ୨୨,୧୯୫ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ଏହି ସମୟରେ ୧୮,୦୨୭ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା। ଚଳିତ ବର୍ଷ ନଭେମ୍ବର ସୁଦ୍ଧା ରାଜ୍ୟର ନିଜସ୍ୱ ଟିକସ ବାବଦରେ ୧୭,୭୨୭ କୋଟଇ ଟଙ୍କା ଏବଂ ଅଣ ଟିକସ ରାଜସ୍ୱ ବାବଦରେ ୪୪୬୯ କୋଟି ଟଙ୍କା ଆଦାୟ ହୋଇଛି। ଆଲୋଚ୍ୟ ସମୟରେ ରାଜ୍ୟରେ ବିଭିନ୍ନ ଯୋଜନାରେ ଅର୍ଥ ବିନିଯୋଗ ୧୬% ବୃଦ୍ଧି ପାଇଛି। ଏହି ସମୟରେ ବିଭିନ୍ନ ଯୋଜନାରେ ୨୮,୩୮୪ କୋଟି ଟଙ୍କା ବିନିଯୋଗ ହୋଇଛି। ଗତବର୍ଷ ଏହି ସମୟରେ ଅର୍ଥ ବିନିଯୋଗ ପରିମାଣ ୨୪,୩୬୬ କୋଟି ଟଙ୍କା ଥିଲା। କୃଷି ଓ ଆନୁଷଂଗିକ କ୍ଷେତ୍ରରେ ୭୯୫୨ କୋଟି ଟଙ୍କା, ଭିତ୍ତିଭୂମି ବିକାଶରେ ୮୭୨୪ କୋଟି ଟଙ୍କା, ଶିକ୍ଷା, କୌଶଳ ବିକାଶ, ମହିଳା ଓ ଶିଶୁ ମଙ୍ଗଳ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ୨୨,୫୮୩ କୋଟି ଟଙ୍କା ବିନିଯୋଗ ହୋଇଛି। ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକ ପରେ ଏହି ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର