ନୂଆଦିଲ୍ଲୀ: ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ଙ୍କ ଅଧୀନରେ ରହିଛି ୧୩୬ ବନ୍ଦର। ସେଥି ମଧ୍ୟରୁ ୧୦୯ଟି ଏବେ କାର୍ଯ୍ୟକ୍ଷମ। କାର୍ଯ୍ୟକ୍ଷମ ବିମାନ ବନ୍ଦରମାନଙ୍କ ମଧ୍ୟରୁ ଓଡ଼ିଶାର ଦୁଇ ବିମାନ ବନ୍ଦର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଝାରସୁଗୁଡ଼ା ବିମାନ ବନ୍ଦର ସମେତ ୯୯ଟି କ୍ଷତିରେ ଚାଲିଛି। ଲାଭରେ ଚାଲିଛନ୍ତି ମାତ୍ର ୧୦ ବିମାନ ବନ୍ଦର। ଲୋକସଭା ସାଂସଦ ଗିରୀଶ ବାଲଚନ୍ଦ୍ର ବାପତଙ୍କ ଅଧ୍ୟକ୍ଷତାରେ ଗଠିତ ‘କମିଟି ଅଫ୍ ଏଷ୍ଟିମେଟ’ଙ୍କ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
ରିପୋର୍ଟ ମୁତାବକ, ପୋର୍ଟ ବ୍ଲେୟର, ବିଶାଖାପାଟଣା, ପାଟନା, କାଣ୍ଡଲା, ପୋରବନ୍ଦର, ଶ୍ରୀନଗର, ପୁନେ, ଜୁହୁ, କାନପୁର, ଚକେରୀ ଓ ବାଗଡୋରା ବିମାନବନ୍ଦର ଲାଭରେ ଚାଲିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୨୦୨୦-୨୧ ରେ ୭୭.୬୭ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିବା ବେଳେ ଏଥିରୁ ଖର୍ଚ୍ଚ ହୋଇଛି ୯୧.୦୧ କୋଟି ଟଙ୍କା। ସେହି ଭଳି ୨୦୧୯-୨୦ ରେ ୧୬୯.୫୨ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିବା ବେଳେ ଖର୍ଚ୍ଚ ହୋଇଥିଲା ୧୩୫.୩୦ କୋଟି ଟଙ୍କା।
୨୦୧୮-୧୯ରେ ୧୨୯.୪୨ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା ଓ ଖର୍ଚ୍ଚ ହୋଇଥିଲା ୧୫୨.୪୧ କୋଟି ଟଙ୍କା। ସେହି ଭଳି ଝାରସୁଗୁଡା ବିମାନ ବନ୍ଦରରେ ୨୦୨୦-୨୧ ରେ ୧.୯୬ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି ୧୭.୩୫ କୋଟି ଟଙ୍କା। ୨୦୧୯-୨୦ରେ ୧.୨୬ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା ଓ ଖର୍ଚ୍ଚ ହୋଇଥିଲା ୧୭.୫୫ କୋଟି ଟଙ୍କା। ୨୦୧୮-୧୯ ରେ ଏଠାରେ ୦.୪୮ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା ଓ ଖର୍ଚ୍ଚ ହୋଇଥିଲା ୧୧.୮୬ କୋଟି ଟଙ୍କା। ଆର୍ସିଏସ୍ରେ ଜୁଲାଇ ୩୧, ୨୦୨୧ ସୁଦ୍ଧା ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ୧୮୦. ୯୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ବାଦ୍ ଜୁଲାଇ ୩୧, ୨୦୨୧ ସୁଦ୍ଧା ସେଲ୍ ଦ୍ବାରା ରାଉରକେଲା ବିମାନବନ୍ଦର ପାଇଁ ୨୫.୯୯୫ କୋଟି ଟଙ୍କା, ଓଡ଼ିଶା ସରକାରଙ୍କ ଦ୍ବାରା ଉତ୍କେଲା ବିମାନ ବନ୍ଦର ପାଇଁ ୧୯. ୦୮୪ କୋଟି ଟଙ୍କା ଏବଂ ଜୟପୁର ବିମାନବନ୍ଦର ପାଇଁ ୨୭.୪୩୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟରେ ଫ୍ଲାଇଙ୍ଗ୍ କ୍ଲବ୍ ସ୍ଥାପନ, ଯାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ଓ ମାଲ ପରିବହନ ବୃଦ୍ଧି ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ କମିଟି ସୁପାରିସ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/BHUBANESWAR-AIRPORT.jpeg)
