ଦୁଇ ଜିଲ୍ଲା-ମାଓ ତାଲିକାରୁ ବାଦ

ଭୁବନେଶ୍ୱର : ମାଓପ୍ରବଣ ଜିଲ୍ଲା ତାଲିକାରୁ କେନ୍ଦୁଝର ଓ ମୟୂରଭଞ୍ଜକୁ ବାଦ୍‌ ଦିଆଯିବା ଏବେ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟକରି ରାଜ୍ୟ ଗୃହ ବିଭାଗ ପକ୍ଷରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ଏହି ଦୁଇ ଜିଲ୍ଲାକୁ ପୁନର୍ବାର ତାଲିକାରେ ଅନ୍ତର୍ଭୁକ୍ତ କରିବା ଲାଗି ଅନୁରୋଧ କରାଯାଇଥିଲା।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଆଦିବାସୀ ଅଧ୍ୟୁଷିତ ଏହି ଦୁଇ ଜିଲ୍ଲାକୁ ତାଲିକାରୁ ବାଦ୍‌ ଦେଇଛନ୍ତି। ପୂର୍ବରୁ ଏହା ମାଓପ୍ରବଣ ଜିଲ୍ଲା ହୋଇଥିବା ବେଳେ ର୍ବମାନ ବି ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ଏହି ଜିଲ୍ଲାରୁ କାଁ ଭାଁ ମାଓବାଦୀଙ୍କ ଖବର ଆସୁଛି। ମାଓବାଦୀମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବାରୁ ରାଜ୍ୟ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି।

ମାଓବାଦୀଙ୍କ ଉପରେ ପ୍ରବଳ ଚାପ ଯୋଗୁ ସେମାନେ ସୁରକ୍ଷିତ ସ୍ଥାନରେ ଛପି ଯାଉଥିବା ବେଳେ ସେଠାରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ଢେର୍‌ କମ୍‌ ରହୁଛି। କେନ୍ଦ୍ରୀୟ ସୁରକ୍ଷାବଳଙ୍କ ସଂଖ୍ୟା କମ୍‌ ଯୋଗୁ ମୟୂରଭଞ୍ଜ ଓ କେନ୍ଦୁଝର ଭଳି ସୀମାନ୍ତ ଜିଲ୍ଲାରେ ସିଆର୍‌ପିଏଫ୍‌ ମୁତୟନ ହୋଇପାରୁନାହାଁନ୍ତି। ବର୍ତ୍ତମାନ ରାଜ୍ୟର ମାଓ ଅଧ୍ୟୁଷିତ ଅଞ୍ଚଳରେ ୧୬ ବାଟାଲିୟନ୍‌ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ହୋଇଛନ୍ତି।

କେନ୍ଦ୍ର ସରକାର ଗଞ୍ଜାମ, ଗଜପତି, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସୁରକ୍ଷା ସମ୍ପର୍କିତ ବ୍ୟୟ (ଏସ୍‌ଆର୍‌ଇ) ତାଲିକାରୁ ବାଦ୍‌ ଦେଇଛନ୍ତି।ଏହି ଜିଲ୍ଲାଗୁଡ଼ିକୁ ମାଓମୁକ୍ତ ଜୋନ୍‌ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ୬ଟି ଜିଲ୍ଲାକୁ ଏସ୍‌ଆର୍‌ଇ ତାଲିକାରୁ ବାଦ୍‌ ଦିଆଯାଇଥିବା ବେଳେ ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି। ପୂର୍ବରୁ ରାଜ୍ୟର ୧୯ଟି ଜିଲ୍ଲା ଏସ୍‌ଆର୍‌ଇ ତାଲିକାରେ ସ୍ଥାନ ପାଇଥିବା ବେଳେ ଏଠାରେ ସୁରକ୍ଷା ଲାଗି ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରୁଥିଲେ ବର୍ତ୍ତମାନ ଏହି ଜିଲ୍ଲା ସଂଖ୍ୟା ୧୫କୁ ହ୍ରାସ ପାଇଛି।

ବର୍ତ୍ତମାନ ପରିବର୍ତ୍ତିତ ସ୍ଥିତିରେ କେନ୍ଦୁଝର ଓ ମୟୂରଭଞ୍ଜରେ ସୁରକ୍ଷା ପାଇଁ ବ୍ୟୟ ହେବାକୁ ଥିବା ସମସ୍ତ ଅର୍ଥକୁ ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡ଼ିବ ମାଓ କାର୍ଯ୍ୟକଳାପ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗ ହୋଇଥିବା ବେଳେ କେନ୍ଦ୍ର ସରକାର ଏହାର ନିୟନ୍ତ୍ରଣ ପାଇଁ ଅର୍ଥ ଯୋଗାଇଦେବା ଆବଶ୍ୟକ ବୋଲି ଗୃହ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଅନୁରୂପ ଭାବେ କଳାହାଣ୍ଡିରେ ମାଓ କାର୍ଯ୍ୟକଳାପ ସର୍ବାଧିକ ରହୁଥିବାରୁ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ସର୍ବାଧିକ ମାଓ ପ୍ରଭାବିତ ଅଞ୍ଚଳ ତାଲିକାରେ ଅନ୍ତର୍ଭୁକ୍ତ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କୁ କହିଛନ୍ତି। ବର୍ତ୍ତମାନ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ସର୍ବାଧିକ ମାଓ ପ୍ରଭାବିତ ଜିଲ୍ଲା ଭାବେ ବିବେଚନା କରାଯାଉଥିବା ବେଳେ କଳାହାଣ୍ଡି ଏବେ ମାଓବାଦୀଙ୍କ ଲାଲ୍‌ କରିଡର୍‌ ପାଲଟିଛି ଏବଂ ଏହି ଜିଲ୍ଲା ଦେଇ ସେମାନେ ଓଡ଼ିଶା ଭିତରେ ଛପିବା ସହିତ ନିଜର କାର୍ଯ୍ୟକଳାପ ଚଳାଇଛନ୍ତି।

ଚଳିତ ବର୍ଷ କଳାହାଣ୍ଡିରେ ଅଧିକ ସଂଖ୍ୟାରେ ମାଓ ଗତିବିଧି ପରିଲକ୍ଷିତ ହେଉଥିବା ବେଳେ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଜିଲ୍ଲାକୁ ଅଧିକ ଗୁରୁତ୍ୱ ଦିଆଯିବା ସହିତ ଏଠାରେ ଭିତ୍ତିଭୂମି ଯୋଗାଇ ଦିଆଯିବା ଆବଶ୍ୟକ ବୋଲି ସୁରକ୍ଷା ଅଧିକାରୀମାନେ ମତ ଦେଉଛନ୍ତି।

ସମ୍ବନ୍ଧିତ ଖବର