ଓଡ଼ିଶାରେ ନିର୍ମିତ, ଓଡ଼ିଶା ଯୁବକ ଦୟାନିଧିଙ୍କ ‘ନବାବ୍‌’ ସମ୍ମାନଜନକ ଫିଲ୍ମଫେୟାର ପୁରସ୍କାର ଦୌଡ଼ରେ ସାମିଲ

ଭୁବନେଶ୍ୱର: ବିଜ୍ଞାପନ ଫିଲ୍ମ ନିର୍ମାଣରେ ବଲିଉଡ୍‌ରେ ଯଥେଷ୍ଟ ଖ୍ୟାତି ଓ ସୁନାମ ଅର୍ଜନ କରିବା ସହ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିବା ଖ୍ୟାତନାମା ନିର୍ମାତା ଓଡ଼ିଶାର ଦୟାନିଧି ଦହିମା ଏବେ ଆଉ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିବା ପାଇଁ ଯାଉଛନ୍ତି।

ଦୟାନିଧିଙ୍କ ଦ୍ୱାରା ନିର୍ମିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର (ସର୍ଟ ଫିଲ୍ମ) ‘ନବାବ୍‌’ ସମ୍ମାନଜନକ ଫିଲ୍ମଫେୟାର ସର୍ଟଫିଲ୍ମ ଆଓ୍ଵାର୍ଡ୨୦୨୦ ପାଇଁ ଦୌଡ଼ରେ ସାମିଲ ହେବାପରେ ଏବେ ଦୟାନିଧିଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।  ଉଲ୍ଲେଖଯୋଗ୍ୟ, ସମ୍ମାନଜନକ ଫିଲ୍ମଫେୟାର ସର୍ଟଫିଲ୍ମ ଆଓ୍ଵାର୍ଡ୨୦୨୦ ପାଇଁ  ୩୫ଟି  ସର୍ଟଫିଲ୍ମକୁ ଯେଉଁ କ୍ଷୁଦ୍ର ତାଲିକା (ସର୍ଟ ଲିଷ୍ଟ) ପ୍ରସ୍ତୁତ ହୋଇଛି ତା’ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି ଦୟାନିଧିଙ୍କ ସଂସ୍ଥା ‘ଦୟାନିଧି ଏଣ୍ଟରଣ୍ଟେନମେଣ୍ଟ’ ଦ୍ୱାରା ନିର୍ମିତ ହୋଇଥିବା ସର୍ଟଫିଲ୍ମ ‘ନବାବ୍‌’।

Odisha Diary

ତେବେ, ଗୁରୁତ୍ୱପୂର୍ଣ୍ଣ ହେଲା ଦୟାନିଧିଙ୍କ ସଂସ୍ଥା ‘ଦୟାନିଧି ଏଣ୍ଟରଣ୍ଟେନମେଣ୍ଟ’ ଦ୍ୱାରା ନିର୍ମିତ ହୋଇଥିବା ସର୍ଟଫିଲ୍ମ ‘ନବାବ୍‌’ରେ  ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅପାରଶକ୍ତି ଖୁରାନା ( ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସାନ ଭାଇ) ଓ ମଲ୍ଲିକା ଦୁଆ। ଏହି ସର୍ଟ ଫିଲ୍ମର କାହାଣୀକୁ ଲେଖିବା ସହ ଏହାର ନିର୍ଦ୍ଦେଶନା ଦେଇଛନ୍ତି ମାନସୀ ଜୈନ। ସାଢ଼େ ଆଠ ମିନିଟ ଅବଧି ବିଶିଷ୍ଟ ଏହି ସର୍ଟ ଫିଲ୍ମର କାହାଣୀ ପତିପତ୍ନୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ। ଏବଂ ଶେଷରେ ପତିପତ୍ନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଦାମ୍ପତ୍ୟ କଳହକୁ ସେମାନଙ୍କ ପାଳିତ କୁକୁର ‘ନବାବ’ କିପରି ସମାଧାନ କରୁଛି, ତାହାକୁ ଆଧାର କରି ନିର୍ମିିତ ହୋଇଛି ଏହି ସର୍ଟ ଫିଲ୍ମ। ଏହି ସର୍ଟ ଫିଲ୍ମରେ ଏକ ସାମାଜିକ ବାର୍ତ୍ତା ରହିଥିବା କାରଣରୁ ଏହାକୁ ବହୁ ମାତ୍ରାରେ ପସନ୍ଦ କରିଥିଲେ ଦର୍ଶକେ।

ଚଳିତ ବର୍ଷର ସମ୍ମାନଜନକ ଫିଲ୍ମଫେୟାର ସର୍ଟଫିଲ୍ମ ଆଓ୍ଵାର୍ଡ୨୦୨୦ ଗୁଆହାଟିି ଠାରେ ଆୟୋଜିତ ହେଉଛି ଏବଂ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ଏହି ପୁରସ୍କାର ପ୍ରଦାନ କରୁଛନ୍ତି।

Odisha Diary

ଓଡ଼ିଶାର ରାଜଗାଙ୍ଗପୁରଠାରେ ଜନ୍ମିତ ଦୟାନିଧି ଦହିମା ପୁନେସ୍ଥିତ ଫିଲ୍ମ ଇନଷ୍ଟିଚ୍ୟୁଟରୁ ଉତ୍ତୀର୍ଣ୍ଣ ହେବା ପରେ ଫିଲ୍ମ ନିର୍ମାଣ ଓ ନିର୍ଦେଶନାରେ ମନୋନିବେଶ କରିବା ସହ  ପ୍ରଯୋଜନା  ସଂସ୍ଥା ‘ଦୟାନିଧି ଏଣ୍ଟରଣ୍ଟେନମେଣ୍ଟ’ ଗଠନ କରିଥିଲେ। ଏହାର କାର୍ଯ୍ୟାଳୟ ଏବେ ଭୁବନେଶ୍ୱରର ଏକ୍ସପ୍ଲାନେଡ୍ ଠାରେ କାର୍ଯ୍ୟକରୁଛି । ନିଜର ଏହି ବିରଳ ସଫଳତାରେ ଏବେ ବହୁତ ଖୁସି ଥିବା ଦୟାନିଧି ‘ସମ୍ବାଦ ଡଟ୍‌ ଇନ୍‌’କୁ କହିଛନ୍ତି, ‘ମୋ ସ୍ୱପ୍ନ ଏବେ ସାକାର ହୋଇଛି। ଏବେ ମୋର ହୃଦବୋଧ ହୋଇଛି ଯେ ବିଫଳତା ହିଁ ସଫଳତା ଆଡ଼କୁ ବାଟ କଢ଼ାଏ। ଓଡ଼ିଶାରେ କଳାକାର କିମ୍ବା ଟେକ୍ନିସିଆନମାନଙ୍କର ଅଭାବ ନାହିଁ। ସେଇମାନଙ୍କ ପାଇଁ ହିଁ ମୁଁ ମୋ ସଂସ୍ଥା ମୁମ୍ବାଇରୁ ଓଡ଼ିଶାକୁ ସ୍ଥାନାନ୍ତର କରି ଆଣିଛି। କୌଣସି ଜାଗା ଛୋଟ ଅବା ବଡ଼ ନୁହେଁ। ଓଡ଼ିଶାରେ ମଧ୍ୟ ରହିଛି ପ୍ରଚୁର ସମ୍ଭାବନା।’

ସମ୍ବନ୍ଧିତ ଖବର