ପଞ୍ଚଭୂତରେ ଲୀନ ହେଲେ ଲକ୍ଷ୍ମୀପ୍ରିୟା, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବର୍ଗଦ୍ବାରରେ ଶେଷକୃତ୍ୟ

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର/ପୁରୀ : ରାଜ୍ୟର ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ସ୍ୱର୍ଗତ ଗୁରୁ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କର ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ବିଲୀନ ହୋଇଯାଇଛି। ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାର୍ଡ ଅଫ୍‌ ଅନର୍‌ ଦିଆଗଲା ପରେ ପୁଅ ତଥା ଓଡ଼ିଶୀ ନୃତ୍ୟ ଗୁରୁ ରତିକାନ୍ତ ମହାପାତ୍ର ମୁଖାଗ୍ନି ଦେଇଥିଲେ। ଅନ୍ୟପକ୍ଷରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁରେ ରାଜ୍ୟର ନୃତ୍ୟ, ସଂଗୀତ ଓ ସଂସ୍କୃତି ଜଗତରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ପ୍ରମୁଖ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଶନିବାର ରାତିରେ ୮୬ ବର୍ଷ ବୟସରେ ଲକ୍ଷ୍ମୀପ୍ରିୟାଙ୍କର ପରଲୋକ ହୋଇଯାଇଥିଲା।ଏହି ଖବର ଜଣାପଡ଼ିଲା ପରେ ଆଜି ସକାଳୁ ଭୀମଟାଙ୍ଗିସ୍ଥିତ ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଥିଲେ। ମନ୍ତ୍ରୀ ଅଶୋକ ପଣ୍ଡା, ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ, ପଦ୍ମଶ୍ରୀ ଅରୁଣା ମହାନ୍ତି, ଗୁରୁ ନିରଞ୍ଜନ ରାଉତ, ଗୁରୁ ଶରତ ଦାସ, ଗୁରୁ କୁମ୍‌କୁମ୍‌ ମହାନ୍ତି, ସଙ୍ଗୀତା ଗୋସାଇଁ, ଡ. କନିଷ୍କ ଦାସ, ରାହୁଲ ଆଚାର୍ଯ୍ୟା ଓ ମଧୁସ୍ମିତା ମହାନ୍ତି ପ୍ରମୁଖ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରିଥିଲେ। ମଧ୍ୟାହ୍ନରେ ତାଙ୍କ ମରଶରୀରକୁ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମମାଟି ରଘୁରାଜପୁର ଗ୍ରାମକୁ ନିଆଯାଇଥିଲା। ସେଠାରେ ଗାଁ ଲୋକେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗୁରୁ କେଳୁଚରଣଙ୍କ ଭାଇ ପରୀକ୍ଷିତ ମହାରଣା, ପୁତୁରା କୈଳାସ ଚନ୍ଦ୍ର ମହାରଣା, ରଘୁରାଜପୁର ଗାଁ’ ସଭାପତି ଲକ୍ଷ୍ମୀଧର ସୁବୁଦ୍ଧି, ସଂପାଦକ ଅଭିରାମ ଦାସ, ରଘୁନାଥ ଚିତ୍ର କାରିଗରୀର ସଭାପତି ସୁଦର୍ଶନ ସ୍ବାଇଁ, ପୂର୍ବତନ ସଂପାଦକ ଆକାଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ମରଶରୀରକୁ ପୁରୀର ‘ଅନ୍ନପୂର୍ଣ୍ଣା ଥିଏଟର୍‌’ ପରିସରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ସ୍ବର୍ଗଦାର ନିଆଯାଇଥିଲା। ସ୍ବର୍ଗଦ୍ବାରରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ତୋପ ସଲାମୀ ଦିଆଯାଇଥିଲା।

ଲକ୍ଷ୍ମୀପ୍ରିୟାଙ୍କ ଭଳି ଜଣେ ଉଚ୍ଚକୋଟୀର ନୃତ୍ୟାଙ୍ଗନାଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ସ୍ବର୍ଗତ କେଳୁଚରଣ ମହାପାତ୍ର ଓ ତାଙ୍କର ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ଅବଦାନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରିବା ପାଇଁ ଘୋଷଣା କରିବ‌ା ସହ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଶୋକ ବାର୍ତ୍ତାରେ କହିଛନ୍ତି, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ। ତାଙ୍କ ବିୟୋଗରେ ଓଡ଼ିଶୀ ନୃତ୍ୟ ତଥା କଳା ଜଗତ ପାଇଁ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

ସମ୍ବନ୍ଧିତ ଖବର