ଭୁବନେଶ୍ବର : ନୃତ୍ୟ ନିପୁଣା ଅଭିନେତ୍ରୀ ପଦ୍ମଶ୍ରୀ ମିନତି ମିଶ୍ର ଆଉ ନାହାନ୍ତି। ଓଡ଼ିଶୀ ନୃତ୍ୟର ବନ୍ଦନୀୟା ମା’ ଭାବେ ପରିଚିତ ମିନତିଙ୍କର ଆଜି ଭୋର୍ ସମୟରେ ପରଲୋକ ହୋଇଯାଇଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ସୁଇଜରଲାଣ୍ଡର ଜୁରିକ ସହରରେ ନିଜ ପୁଅ ତଥା ଜଣାଶୁଣା ଶଲ୍ୟ ଚିକିତ୍ସକ ଡାକ୍ତର ସବିତାଭ ମିଶ୍ରଙ୍କ ପାଖରେ ସେ ରହି ଆସୁଥିଲେ। ସେଠାରେ ଏଇ ନିକଟରେ ତାଙ୍କର କ୍ୟାନ୍ସର ହୋଇଥିବା ଜଣାପଡ଼ିଥିଲା। ସକାଳୁ ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ଶେଷ ଦର୍ଶନ ପାଇ ପାରିନଥିଲେ ବି ତାଙ୍କର ଗୁଣମୁଗ୍ଧ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଥାନରେ ସ୍ମୃତିସଭା ଆୟୋଜନ କରି ସ୍ମୃତିଚାରଣ କରିଛନ୍ତି।
ଓଡ଼ିଶୀ ନୃତ୍ୟରେ ପ୍ରସିଦ୍ଧି ଅର୍ଜନ କରିଥିବା ମିନତି ଓଡ଼ିଆ ଚଳଚ୍ଚିତ୍ରର ନାୟିକା ଭାବେ ମଧ୍ୟ ସତୁରି ଦଶକରେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ। ୧୯୩୭ ମସିହାରେ କଟକରେ ଜନ୍ମ ଗ୍ରହଣ କରିଥିବା ମିନତି ନୃତ୍ୟ ଓ ଅଭିନୟ ସାଙ୍ଗକୁ ସଂଗୀତରେ ମଧ୍ୟ ପାରଙ୍ଗମ ଥିଲେ। ମାତ୍ର ଅଭିନୟରେ ବିପୁଳ ଲୋକପ୍ରିୟତା ସତ୍ତ୍ବେ ସାରା ଜୀବନ ଓଡ଼ିଶୀ ନୃତ୍ୟର ପୂଜାରୀ ହେବାକୁ ଚାହିଁଥିଲେ। ବାପା ବସନ୍ତ କୁମାର ଦାସ ଓ ମା’ ବସନ୍ତ କୁମାରୀ ଦେବୀଙ୍କଠାରୁ ଜନ୍ମିତ ମିନତିଙ୍କର ସମ୍ପର୍କୀୟ ବଡ଼ବାପା ଥିଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ। ପିଲାବେଳୁ ନାଚ ପ୍ରତି ରୁଚି ଥିବାରୁ ସେ କାଳୀଚରଣଙ୍କଠାରୁ ନୃତ୍ୟ ଶିଖିଥିଲେ। ପରେ ଦୁର୍ଲ୍ଲଭ ଚନ୍ଦ୍ର ସିଂହ, ଡାକ୍ତର ଯୁଧୁଷ୍ଠିର ମହାପାତ୍ରଙ୍କଠାରୁ ନୃତ୍ୟଶିକ୍ଷା ଲାଭ କରିଥିଲେ। ପଚାଶ ଦଶକରେ ଗୁରୁ କେଳୁଚରଣ ମହାପାତ୍ର ତାଙ୍କୁ ଏକ ଗୀତିନାଟ୍ୟ ‘ଷଡ଼ ଋତୁ’ ପାଇଁ ନୃତ୍ୟ ଶିଖାଇଥିଲେ। ସେହି ସମୟରେ ଅନ୍ନପୂର୍ଣ୍ଣା ଥିଏଟରରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ତଥା ଓଡ଼ିଶୀ ନୃତ୍ୟର ପ୍ରଥମ ମଞ୍ଚଶିଳ୍ପୀ ଲକ୍ଷ୍ମୀପ୍ରିୟା ଦେବୀଙ୍କ ନୃତ୍ୟ ଦେଖି ତାଙ୍କ ପରି ହେବାକୁ ସଂକଳ୍ପ ନେଇଥିଲେ ମିନତି। ୧୯୫୦ ମସିହାରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା ଲାଭ କରିଥିଲେ। ୧୯୫୪ ମସିହାରେ ଓଡ଼ିଶା ସରକାରଙ୍କଠାରୁ ବୃତ୍ତି ପାଇ ମାଡ୍ରାସର କଳାକ୍ଷେତ୍ରରେ ଗୁରୁ ମୀନାକ୍ଷି ସୁନ୍ଦରମ ପିଲାଇଙ୍କ ପାଖରୁ ଭାରତନାଟ୍ୟମ ନୃତ୍ୟ ଶିଖିଲେ। ରୁକ୍ମିଣୀ ଅରୁଣ୍ଡେଲେ, କୁଟ୍ଟୀ ସାରଦା, ପେରିଆ ସାରଦାଙ୍କ ଭଳି ଗୁରୁଙ୍କଠାରୁ ମଧ୍ୟ ଭାରତନାଟ୍ୟମ ନୃତ୍ୟ ଶିଖିଥିଲେ। ୧୯୫୫ରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ୍ସରେ ଭର୍ତି ହୋଇ ନୃତ୍ୟ ଶିକ୍ଷା ସହ ୧୯୫୬ରେ ନାଟ୍ୟ କଳାଭୂଷଣମ ଉପାଧି ପ୍ରାପ୍ତ ହେଲେ। ୧୯୫୯ରୁ ୧୯୬୩ ମସିହା ମଧ୍ୟରେ ଦେଶ ବିଦେଶରେ ତାଙ୍କ ପ୍ରଦର୍ଶିତ ଓଡ଼ିଶୀ ନୃତ୍ୟ ତାଙ୍କୁ ସମଗ୍ର ବିଶ୍ବରେ ପରିଚିତ କରାଇଥିଲା। ୧୯୬୨ ମସିହାରେ ନାଟ୍ୟଶାସ୍ତ୍ରରେ ଗବେଷଣା ପାଇଁ ତାଙ୍କୁ ଜର୍ମାନିର ଫିଲିପ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍ ଉପାଧି ମିଳିଥିଲା। ଓଡ଼ିଶୀ ନୃତ୍ୟକୁ ଭାରତ ବାହାରେ ପରିବେଷଣ କରିବାରେ ମିନତି ମିଶ୍ର ଥିଲେ ପ୍ରଥମ ଓଡ଼ିଆ। ଓଡ଼ିଶୀର ୩ ମହାନ ଗୁରୁ ପଙ୍କଜ ଚରଣ ଦାସ, ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ରଙ୍କଠାରୁ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା ଲାଭ କରିଥିଲେ। ଓଡ଼ିଶୀ ନୃତ୍ୟରେ ପୂର୍ଣ୍ଣ ଚଉକର ଶୁଦ୍ଧତା ମିନତି ମିଶ୍ରଙ୍କ ନୃତ୍ୟରେ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା।
ଜଣେ ଖ୍ୟାତନାମା ନାୟିକା ଭାବେ ସେ ସତୁରି ଦଶକରେ ଚହଳ ସୃଷ୍ଟି କରିଥିଲେ। ୪ଟି ଓଡ଼ିଆ ଓ ଗୋଟିଏ ବଙ୍ଗଳା ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ସୀମିତ ଥିଲେ ହେଁ ତାଙ୍କ ଅଭିନୀତ ୪ଟି ଯାକ ଓଡ଼ିଆ ଚଳଚ୍ଚିତ୍ର ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲା। ଜୀବନସାଥୀ, ସୂର୍ଯ୍ୟମୁଖୀ, ସାଧନା ଓ ଅରୁନ୍ଧତୀ ସମେତ ବଙ୍ଗଳା ଚଳଚ୍ଚିତ୍ର ‘ନିର୍ଜନ ସୈକତେ’ରେ ସେ ଅଭିନୟର ଛିଟା ଛାଡ଼ିଥିଲେ। ଏଥିସହ ୧୯୬୬ ମସିହାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷା ଭାବେ ଯୋଗଦେଇ ସର୍ବାଧିକ ୨୫ ବର୍ଷ କାଳ ମା’ ଭାବେ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଗଢ଼ିଥିଲେ। ସେ ହିନ୍ଦୁସ୍ତାନୀ ଭୋକାଲ୍ରେ ମଧ୍ୟ ଡିଗ୍ରି ପାଇଥିଲେ। ମଞ୍ଚରେ ନୃତ୍ୟାଭିନୟ ସହ ରେଡ଼ିଓରେ ମଧ୍ୟ ‘ଏ’ ଗ୍ରେଡ୍ ଡ୍ରାମା କଳାକାର ଭାବେ ଓଡ଼ିଆ ନାଟ୍ୟ ରସିକଙ୍କ ମନୋରଂଜନ କରିଥିଲେ। ୨୦୧୨ରେ ସେ ଭାରତ ସରକାରଙ୍କ ପ୍ରଦତ୍ତ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିବା ବେଳେ କେନ୍ଦ୍ର ସଂଗୀତ ନାଟକ ଏକାଡେମି ଓ ଓଡ଼ିଶା ସଂଗୀତ ନାଟକ ଏକାଡେମି ସମେତ ବହୁ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ସମ୍ବର୍ଧିତ ହୋଇଥିଲେ। କିଛି ବର୍ଷ ହେବ ସେ ନିଜର ଆତ୍ମଜୀବନୀ ଲେଖୁଥିଲେ ହେଁ ତାହା ଅଧାରେ ରହିଯାଇଛି। ତେବେ ତାଙ୍କର ଶେଷକୃତ୍ୟ ବାବଦରେ କୌଣସି ସୂଚନା ମିଳିପାରିନାହିଁ।