ସୋର/ବାହାନଗା : ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ପଡ଼ିରହିଥିବା ଏକ ବଗିରୁ ଦୁର୍ଗନ୍ଧ ବାହାରିଥିଲା। ଯାହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା। ତେବେ ଆଜି ସେ ଦ୍ବନ୍ଦ୍ବ ଦୂର ହୋଇଛି। ଯାଞ୍ଚ ପରେ ବଗି ଭିତରେ ଟନ୍‌ ଟନ୍‌ ପଚା ଅଣ୍ଡା ଥିବା ଦେଖିବାକୁ ମିଳିଥିଲା।

Advertisment

ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୭ ଦିନ ବିତିଯାଇଥିବା ବେଳେ ବୁଧବାର କ୍ଷତିଗ୍ରସ୍ତ ହୋଇଥିବା କରମଣ୍ଡଳ ‌ଏକ୍ସପ୍ରେସ୍‌ର ପାର୍ସଲ ବଗିରୁ ଉତ୍କଟ ଦୁର୍ଗନ୍ଧ ବାହାରିଥିଲା। ଫଳରେ, ସ୍ଥାନୀୟ ଲୋକ ସନ୍ଦେହ କରିଥିଲେ ଯେ ସେହି ବଗିରେ ଯାତ୍ରୀଙ୍କ ମୃତଦେହ ରହିଛି। ହେଲେ, ଏ କଥାକୁ ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ ଖଣ୍ଡନ କରିଥିଲେ। ସେ କହିଥିଲେ, ସ୍ବତନ୍ତ୍ର ସ୍କ୍ବାଡ୍‌ ଦ୍ବାରା ଦୁର୍ଘଟଣାସ୍ଥଳର ୩ କିଲୋମିଟର ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍‌ ହୋଇଛି। କେଉଁଠି ବି ମୃତଦେହ ନାହିଁ। ତଥାପି ଲୋକେ ମାନି ନଥିଲେ। ତେଣୁ ଆଜି ସକାଳୁ ସକାଳୁ ରେଳ ବିଭାଗ ପକ୍ଷରୁ ବଗି ଯାଞ୍ଚ କରାଯାଇଥିଲା। ଏହିସମୟରେ ବଗି ଭିତରେ ମୃତଦେହ ବଦଳରେ ପ୍ରାୟ ୧୩ ଟନ୍‌ ଅଣ୍ଡା ଥିବା ଦେଖିବାକୁ ମିଳିଥିଲା। ଅଧିକାଂଶ ଅଣ୍ଡା ଫାଟିଯିବା ସହ ପଚିଯାଇଥିବା ଯୋଗୁଁ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା। ବାଲେଶ୍ବର ମ୍ୟୁନିସିପାଲିଟି ଓ ରେଳ ବିଭାଗ ପକ୍ଷରୁ ୬ଟି ଟ୍ରାକ୍ଟର ଯୋଗେ ଅଣ୍ଡାଗୁଡ଼ିକୁ ନିଆଯାଇ ଚୂନଭାଟି ଡମ୍ପିଂୟାର୍ଡ‌ରେ ନଷ୍ଟ କରାଯାଇଛି।