ବାତ୍ୟା ‘ଜୱାଦ୍’ ମୁକାବିଲା: ଓଡ୍ରାଫ୍‌, ଅଗ୍ନିଶମ ଟିମ୍ ପ୍ରସ୍ତୁତ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ‘ଜୱାଦ୍’ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତୀ ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୩ତାରିଖ ସକାଳୁ ଓଡ଼ିଶା ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ପ୍ରବଳ ବର୍ଷା ସହିତ ୭୦-୯୦ କି.ମି ପବନ ବହିବାର ପୂର୍ବାନୁମାନ କରାଯାଉଛି। ବାତ୍ୟାର ମୁକାବିଲା ପାଇଁ ରାଜ୍ୟରେ ୧୦୮ ଓଡ୍ରାଫ୍ ଓ ଏନ୍‌ଡିଆରଫ୍‌ ଟିମ୍ ଓ ୨ଶହ ଅଗ୍ନିଶମ ଟିମ୍‌ ପ୍ରସ୍ତୁତ ରହିଛନ୍ତି। ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ମୁତୟନ କରାଯିବ। ଉପକୂଳବର୍ତୀ ସମସ୍ତ ଜିଲ୍ଲାପାଳ ଓ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବଙ୍କ ବୈଠକରୁ ମିଳିଥିବା ସୂଚନା ଅନୁସାରେ, ୩ତାରିଖ ବେଳକୁ ବାତ୍ୟାର ଗତିପଥ ଜଣାପଡ଼ିବ। ତେଣୁ ତଳୁଆ, କଚ୍ଚାଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା, ସମସ୍ତ ବହୁମୁଖୀ ବାତ୍ୟା-ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପୂର୍ଣ୍ଣ ପ୍ରସ୍ତୁତ ରଖିବା, ଆଶ୍ରୟସ୍ଥଳ ପରିଚାଳନା ଟିମ୍‌କୁ ପୂର୍ବରୁ କାର୍ଯ୍ୟରେ ନିୟୋଜିତ କରିବାକୁ କୁହାଯାଇଛି। ଶୁଖିଲା ଖାଦ୍ୟ ଓ ରିଲିଫ୍‌ ଉପଲବ୍ଧତା ନେଇ ସଜାଗ ରହିବା, ମାଇକ୍ ଜରିଆରେ ଲୋକମାନଙ୍କୁ ଆଗୁଆ ସୂଚନା, ଆସନ୍ନ ପ୍ରସବା ମହିଳା ଓ ନିଃସହାୟ ବୃଦ୍ଧମାନଙ୍କୁ ଆଗୁଆ ନିରାପଦ ସ୍ଥାନକୁ ଆଣିବା ପାଇଁ ବ୍ୟବସ୍ଥା ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ କଟକ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ, ଯାଜପୁର ଆଦି ସହରାଞ୍ଚଳରେ ବର୍ଷାଜଳ ନିଷ୍କାସନ ନାଳ ସବୁକୁ ସଫା କରିବା ସହିତ ଖାଲୁଆ ଅଞ୍ଚଳରେ ପାଣି ପମ୍ପର ବ‌ନ୍ଦୋବସ୍ତ କରିବାକୁ କୁହାଯାଇଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଦିଆଯାଇଥିବା ପରାମର୍ଶଗୁଡ଼ିକୁ କୃଷକମାନଙ୍କ ପାଇଁ ବ୍ୟାପକଭାବେ ପ୍ରଚାର କରାଯିବ। ପାଚିଲା ଫସଲ ଓ ପରିପକ୍ବ ପନିପରିବାକୁ ଆଗୁଆ ଅମଳ କରି ନିରାପଦ ସ୍ଥାନକୁ ଆଣିବା ଲାଗି ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ୮ ସୂତ୍ରୀ ଚେକ୍‌ ଲିଷ୍ଟ ସହ ବନ୍ୟା-ବାତ୍ୟା ପାଇଁ ନିର୍ଧାରିତ କାର୍ଯ୍ୟ ପଦ୍ଧତି ଅନୁସାରେ ପ୍ରସ୍ତୁତ ରହିବା ଲାଗି ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା କହିଥିଲେ ଯେ ଆବଶ୍ୟକତା ଅନୁସାରେ ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ଅଭିଜ୍ଞ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ବାବଧାନରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରିବା, ଆଶ୍ରୟସ୍ଥଳୀ ମାନଙ୍କରେ ପାଇଖାନା ଓ ଗାଧୁଆଘର ଆଦିର ପରିଷ୍କାର ପରିଚ୍ଛନ୍ନ ବ୍ୟବସ୍ଥା, ଆଶ୍ରୟସ୍ଥଳୀରେ ପ୍ରାଥମିକ ଉପଚାର ବ୍ୟବସ୍ଥା ଓ ବ୍ୟବହାର ପାଇଁ ଅଭିଜ୍ଞ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ପ୍ରତି ଆଶ୍ରୟସ୍ଥଳୀ ପାଇଁ ଜଣେ ଆଶା, ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟିକା, ମହିଳା ହୋମଗାର୍ଡଙ୍କୁ ମୁତୟନ କରିବା ସହିତ ଆସନ୍ନ ପ୍ରସବାମାନଙ୍କୁ ଆଗୁଆ ନିକଟବର୍ତୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରଣ ୮ସୂତ୍ରୀ ଚେକ୍‌ଲିଷ୍ଟରେ ରହିଥିବା କହିଥିଲେ।
ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆରକେ ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥାନନ୍, ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ସଂପୃକ୍ତ ବିଭାଗର ଶାସନ ସଚିବମାନେ ବୈଠକରେ ସାମିଲ ହୋଇଥିଲେ। ଯାଜପୁର, ଢେଙ୍କାନାଳ, ଗଜପତି, କଟକ, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ନୟାଗଡ଼, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଧା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ।

ସମ୍ବନ୍ଧିତ ଖବର