ଭୁବନେଶ୍ବର: ମହାନଦୀକୁ ହାତୀ ଉଦ୍ଧାର କରିବାକୁ ଯାଇ ବୋଟ ବୁଡିବା ଘଟଣାରେ ନିଖୋଜ ଥିବା ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତଦେହ ମିଳିଛି । ପ୍ରଥମେ ସକାଳୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା । ତାକୁ ସୀତାରାମଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିଲା । ହେଲେ ପରେ ପରିବାର ମୃତଦେହକୁ ଚିହ୍ନଟ କରିପାରି ନଥିଲେ । ଏହାପରେ ଏବେ ମୃତଦେହକୁ ଧବଳେଶ୍ବର ନିକଟ କଖଡି ମହାଳପଡାରୁ ଉଦ୍ଧାର କରାଯାଇଛି ।
ଗତକାଲି ମହାନଦୀରେ ଫସିଥିବା ଦନ୍ତା ହାତୀକୁ ଉଦ୍ଧାର କରିବା ପାଇଁ ଏକ ରବର ବୋଟରେ ଯାଇଥିଲେ ଓଡ୍ରାଫ କର୍ମଚାରୀଙ୍କ ସହ ଦୁଇଜଣ ଗଣମାଧ୍ୟମ ପ୍ରତିନିଧି । ପାଣିର ପ୍ରଖର ସ୍ରୋତରେ ଡଙ୍ଗାଟି ଓଲଟି ଯାଇଥିବାବେଳେ ପାଣିରେ ବୁଡି ଯାଇଥିଲେ ୭ ଜଣ । ଦଉଡି ସାହାଯ୍ୟରେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଓଡ୍ରାଫ କର୍ମଚାରୀ ସୀତାରାମ ଓ ସାମ୍ବାଦିକ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇ ପାରିନଥିଲା ।
Just now received the following message from ODRAF coordinator on the missing personnel. “Sir Namaskar. Body of Sitaram Murmu just recovered at Kakhadi village near Dhabaleswar. Regards Sunil.” So sorry to hear this news. May you Rest In Peace Sitaram.
— Pradeep Jena IAS (@PradeepJenaIAS) September 25, 2021
ପରେ ଏକ ମାଛଧରା ଡଙ୍ଗାରେ ଅରିନ୍ଦମଙ୍କୁ ଉଦ୍ଧାର କଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ନିଖୋଜ ଥିଲେ ସୀତାରାମ ମୁର୍ମୁ । ଅନେକ ଖୋଜାଖୋଜି ପରେ ମିଳିନଥିବାବେଳେ ତାଙ୍କ ମୃତଦେହ ମିଳିଛି । ଓଡ୍ରାଫର ଅଣ୍ଡର ୱାଟର ଡାଇଭର ଭାବେ ସେ ବେଶ ଚର୍ଚ୍ଚିତ ଥିଲେ । ତଥାପି ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି ।
ବଡକଥା ହେଉଛି ପାଣି ଭିତରୁ ଅତି ଦକ୍ଷତାର ସହିତ ପାଖାପାଖି ୫ଶହ ଲୋକଙ୍କୁ ଉଦ୍ଧାର କରିବାର ରେକର୍ଡ ତାଙ୍କ ନାଁରେ ରହିଛି । ସୀତାରାମଙ୍କ ଘର ମୟୂରଭଞ୍ଜରେ ହୋଇଥିବାବେଳେ ସେ କଟକ ଚାଉଳିଆଗଞ୍ଜରେ ରହୁଥିଲେ । ପରିବାର କହିଲେ ତାଙ୍କ ସ୍ତ୍ରୀ, ୧୨ ବର୍ଷର ପୁଅ ଓ ୪ ବର୍ଷର ଝିଅ ଅଛନ୍ତି । ଓଡ୍ରାଫର ଜଣେ ଦକ୍ଷ ବୁଡାଳିଙ୍କ ପାଣିରେ ବୁଡି ମୃତ୍ୟୁ ଘଟଣାରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।