କୋରାପୁଟ: ଦେବଦୂତ ସାଜିଲେ କୋରପୁଟରୁ ଯାଇଥିବା ୩ ଓଡ୍ରାଫ ଦଳ। ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ବିଜୟନଗର ନିକଟସ୍ଥ ଆଲମଣ୍ଡା ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଓ ଉଦ୍ଧାର କାର୍ଯ୍ୟରେ  ସହାୟତା ଯୋଗାଇ ଦେବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ତିନୋଟି ଓଡ୍ରାଫ ଦଳ ସହିତ ଗୋଟିଏ ଅଗ୍ନିଶମ ବିଭାଗର ଦଳକୁ  ରେଳ ଦୁର୍ଘଟଣା ସ୍ଥଳୀକୁ ପ୍ରେରଣ କରାଯାଇଥିଲା ।

Advertisment

ଗତକାଲି ମଧ୍ୟରାତ୍ରିରୁ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରି କୋରାପୁଟର ଏହି ନିର୍ଭୀକ ଉଦ୍ଧାରକାରୀ ଦଳର ସଦସ୍ୟମାନେ ଅନେକ ବ୍ୟକ୍ତିଙ୍କୁ ରେଳ ବଗି ମଧ୍ୟରୁ ଉଦ୍ଧାର କରିଥିବା ସହ ଚାରିଗୋଟି ମୃତଦେହକୁ ମଧ୍ୟ ଠାବ କରି ବାହାର କରିଥିବା ଜଣାପଡ଼ିଛି।

କୋରାପୁଟ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ଦ୍ୱାରା ସମୟୋଚିତ ସହାୟତା ପ୍ରଦାନ କରି ଏହି ଦଳର ସଦସ୍ୟମାନେ କୋରାପୁଟ ଜିଲ୍ଲା ଓ ଓଡିଶା ପାଇଁ ସୁନାମ ଅର୍ଜନ କରିଛନ୍ତି। ସେ ବାତ୍ୟା ହେଉ ବା ବନ୍ୟା। କୋରାପୁଟର ଓଡ୍ରାଫ ଓ ଅଗ୍ନିଶମ ବିଭାଗର କର୍ମକର୍ତା ସର୍ବଦା ଜନମାନବ ଓ ପ୍ରାକୃତିକ ସମ୍ପଦକୁ ନଷ୍ଟ ହୋଇଯିବାରୁ ସୁରକ୍ଷା ପ୍ରଦାନ କରି ଆସିଛନ୍ତି। କୋଭିଡ ସମୟରେ ମଧ୍ୟ ପ୍ଲେଟଲେଟ ଦାନ କରି ରାଜ୍ୟରେ ସୁନାମ ଅର୍ଜନ କରିଥିବା ଓଡ୍ରାଫର ଯୁବ ପ୍ରତିଭା କୋରାପୁଟ କୁ ଆଜି ମଧ୍ୟ ନିଜ କାର୍ଯ୍ୟ ମାଧ୍ୟମରେ ଗର୍ବ ଓ ଗୌରବ ଆଣିଦେଇଛନ୍ତି ।