ଭୁବନେଶ୍ୱର : ଜଙ୍ଗଲ ନିଆଁ ରୋକିବାକୁ ଏବେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା। ବନାଗ୍ନି ରୋକିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି କରାଯିବ। ଆବଶ୍ୟକ ପଡ଼ିଲେ ଓଡ୍ରାଫ୍‌ ଟିମ୍‌ ମୁତୟନ ହେବେ। ଜୁନ୍‌ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତେଣୁ ବନାଗ୍ନି ଅଧିକ ବ୍ୟାପିବାର ଆଶଙ୍କା ରହିଥିବାରୁ ସମ୍ଭାବ୍ୟ ସ୍ଥାନଗୁଡ଼ିକରେ ଆଗୁଆ ଓଡ୍ରାଫ ଟିମ୍ ମୁତୟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଦିଗରେ ଓସ୍‌ଡମା ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଓଡ଼ିଶାର ବନାଗ୍ନି ଲଗାତାର ଭାବେ ଶୀର୍ଷରେ ରହିବା ନେଇ ଖବର ପ୍ରକାଶ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗତ ତିନି ଦିନ ମଧ୍ୟରେ ବୁଧବାର ଦିନ ଦ୍ବିତୀୟ ସମୀକ୍ଷା ବୈଠକ କରି ପଦକ୍ଷେପ ଗ୍ରହଣ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ ବନଖଣ୍ଡ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍ଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ସ୍ଥାନୀୟ ତହସିଲଦାର, ବିଡିଓ, ଥାନା ଅଧିକାରୀ, ବନଖଣ୍ଡ ଅଧିକାରୀଙ୍କ ତଥ୍ୟକୁ ଭିତ୍ତିକରି ସରକାରଙ୍କୁ ବନାଗ୍ନି ସଂପର୍କିତ ଦୈନିକ ରିପୋର୍ଟ ପ୍ରଦାନ କରିବେ। ଏଥିସହ ବୈଷୟିକ ଜ୍ଞାନକୌଶଳ ଉପଯୋଗ ତଥା ଉପଗ୍ରହ ଉତ୍ତୋଳିତ ଚିତ୍ର ମାଧ୍ୟମରେ ବନାଗ୍ନି ସ୍ଥାନ ଚିହ୍ନଟ ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ବନାଗ୍ନିରେ ସମ୍ପୃକ୍ତ ଖଳ ପ୍ରକୃତିର ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିବାକୁ ନିଷ୍ପତ୍ତି
ଦୈନିକ ରିପୋର୍ଟ ଦେବେ ଜିଲ୍ଲାପାଳ, ଏସ୍‌ପି, ଡିଏଫ୍‌ଓ
ପାଗ କୋହଲା ରହିଲା, କମିଲା ବନାଗ୍ନି

ବନାଗ୍ନି ପ୍ରଶମନ ନିମନ୍ତେ ଏଣିକି ପଞ୍ଚାୟତସ୍ତରରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯିବ। ସମ୍ପୃକ୍ତ ଅଞ୍ଚଳର ସରପଞ୍ଚ, ସ୍ଥାନୀୟ ଜନ ପ୍ରତିନିଧି, ମିସନ ଶକ୍ତି, ସ୍ଥାନୀୟ କ୍ଲବ୍ ଓ ବିଭିନ୍ନ ସ୍ୱେଚ୍ଛାସେବୀଙ୍କୁ ଏହି ଅଭିଯାନରେ ସାମିଲ କରାଯାଇ ପ୍ରାଥମିକତା ଭିତ୍ତିରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ହେବ। ବନାଗ୍ନି ପ୍ରଶମନ କ୍ଷେତ୍ରରେ ଆଗୁଆ ସୂଚନା ଦେବା, ସହଯୋଗ କରୁଥିବା ସ୍ଥାନୀୟ ସଂସ୍ଥା ତଥା ବ୍ୟକ୍ତି ବିଶେଷ, ସମ୍ପୃକ୍ତ ପଞ୍ଚାୟତକୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରିଯିବ। ଅନେକ ସ୍ଥାନରେ ମନୁଷ୍ୟକୃତ ବନାଗ୍ନି ହେଉଥିବା ଦୃଷ୍ଟିରୁ ଗୋଷ୍ଠୀ ସହଭାଗିତାରେ ଏହାକୁ ରୋକିବା ନିମନ୍ତେ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ ବ୍ୟାପକ ସଚେତନତା ଓ ସ୍ଥାନୀୟ ଗୋଷ୍ଠୀ ସହଭାଗିତାର ଉତ୍ତର ଦାୟିତ୍ୱ ବୃଦ୍ଧି ପାଇଲେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ବୈଠକରେ ମତପ୍ରକାଶ ପାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ୨୩ ହଜାର ୮୬୦ଟି ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୯୮% ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ନେଇ ବିଭାଗୀୟ ଅଧିକାରୀମାନେ ବୈଠକରେ ସୂଚନା ଦେଇଥିଲେ।

ଆଜିର ବୈଠକରେ ସ୍ୱତନ୍ତ୍ର ରିଲିଫ କମିସନର ନିକୁଞ୍ଜ ବିହାରୀ ଧଳ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ, ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ, ଓରସାକ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାପାଳ, ଏସ୍‌ପି, ଡିଏଫ୍ଓ, ଅଗ୍ନିଶମ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।

ଅନ୍ୟପକ୍ଷରେ ଆଜି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସାମାନ୍ୟ ହ୍ରାସ ପାଇବା‌ ଦ୍ବାରା ବନାଗ୍ନି ମଧ୍ୟ କମିଛି। ଗତକାଲି ରାଜ୍ୟର ୯୫୭ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବା ବେଳେ ଆଜି ତାହା ୧୧୬କୁ ହ୍ରାସ ପାଇଛି। ବ୍ରହ୍ମପୁର, ଭବାନୀପାଟଣା, କୋରାପୁଟ, ବାରିପଦା, ରାଉରକେଲା, ସମ୍ବଲପୁର ସର୍କଲରେ ନିଆଁଗୁଡ଼ିକ ଚିହ୍ନଟ ହୋଇଛି। ବ୍ରହ୍ମପୁର ସର୍କଲରେ ସବୁଠାରୁ ଅଧିକ ବନାଗ୍ନି ରହିଥିବା ନେଇ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ପକ୍ଷରୁ ସୂଚନା ଦିଆଯାଇଛି। ଗତ ୭ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬୭୦୦ ବନାଗ୍ନି ଚିହ୍ନଟ ହୋଇଥିବା ଏଫ୍‌ଏସ୍‌ଆଇ କହିଛି।