ଆଜି ଠାରୁ ଓଇଆରସିରେ ଶୁଣାଣି : ବଢ଼ିପାରେ ବିଦ୍ୟୁତ ଦର

ଭୁବନେଶ୍ବର : ବିଦ୍ୟୁତ ଦର ବଢ଼ାଇବା ଲାଗି ବିଭିନ୍ନ ବିତରଣ କମ୍ପାନି ଆବେଦନ କରିଛନ୍ତି। ଏହି ଆବେଦନର ଶୁଣାଣି ଆସନ୍ତାକାଲି ଠାରୁ ଓଇଆର୍‌ସି(ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ) କରିବାକୁ ଯାଉଛି। କମ୍ପାନିଗୁଡିକର ଆବେଦନ ଯୁକ୍ତି ଯୁକ୍ତ ହେଲେ ଆସନ୍ତା ଆର୍ଥିକ ବର୍ଷଠାରୁ ବିଦ୍ୟୁତ ଦର ବଢ଼ିବ ବୋଲି ଜଣାପଡ଼ିଛି। ଶୈଳଶ୍ରୀ ବିହାର ଅଫିସ୍‌ରେ ଆସନ୍ତାକାଲି ଠାରୁ ଏହି ଶୁଣାଣି ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ପୂର୍ବାହ୍ନ ୧୧ଟା ବେଳେ ଓଏଚ୍‌ପିସି(ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ୍‌)ର ଶୁଣାଣି ରହିଥିବା ବେଳେ ୧୦ ତାରିଖ ଦିନ ସେସୁର ଶୁଣାଣି ରହିଛି। ୪ ତାରିଖରେ ଓପିଜିସି, ୫ରେ ଗ୍ରିଡ୍‌କୋ, ୬ରେ ଓପିଟିସିଏଲ୍‌ ଓ ଏସ୍‌ଏଲ୍‌ଡିସି, ୭ରେ ନେସ୍କୋ, ୧୨ରେ ୱେସ୍କୋ ଓ ୧୪ରେ ସାଉଥ୍‌କୋର ଶୁଣାଣି ରହିଛି।

ସେସୁ ପ୍ରାୟ ୭ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଉଛି। ଶହେ ଟଙ୍କାରେ କିଣାଯାଉଥିବା ବିଜୁଳିରୁ ୭୨ ଟଙ୍କା ମିଳୁଛି। ସିଧାସଳଖ ଭାବରେ ୨୮ ଟଙ୍କା କ୍ଷତି ହେଉଛି। ୧୯୭୧ କୋଟି ଟଙ୍କା ବିଜୁଳି ବିଲ୍‌ ବାବଦକୁ ବାକି ପଡ଼ିଛି। ଏହାକୁ ଆଦାୟ କରିବା ପାଇଁ ସେସୁ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ୍‌ ଜାରି ରହିଛି। କ୍ଷତି କାହିଁକି ହେଉଛି ତାହାର ତର୍ଜମା ନ କରି ଏହି ସଂସ୍ଥାମାନେ ବିଜୁଳି ଦେୟ ବଢ଼ାଇ ଉପଭୋକ୍ତାଙ୍କୁ ଶୋଷିବାକୁ ଯୋଜନା କରିଛନ୍ତି। ସୂଚନାଯୋଗ୍ୟ, ଏବେ ଘରୋଇ ସଂଯୋଗରୁ ୟୁନିଟ୍‌ ପିଛା ୨ଟଙ୍କା ୫୦ ପଇସା ଆଦାୟ ହେଉଥିବା ବେଳେ ବାଣିଜ୍ୟିକ ସଂଯୋଗରୁ ୪ଟଙ୍କା ୫୦ ଓ ଶିଳ୍ପାନୁଷ୍ଠାନରୁ ୟୁନିଟ୍‌ ପିଛା ୬ ଟଙ୍କା ଆଦାୟ କରାଯାଉଛି।

ସମ୍ବନ୍ଧିତ ଖବର