ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର, ୟୁନିଟ ପିଛା ୩୦ ପଇସା ବଢ଼ାଇଲେ ଓଇଆରସି

ଭୁବନେଶ୍ଵର: ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କୁ ଆଜି ଝଟକା ଦେଇଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ | କାରଣ ଆପଣ ବ୍ୟବହାର କରୁଥିବା ବିଦ୍ୟୁତ ବିଲ ବାବଦକୁ ଏଣିକି ଅଧିକ ଟଙ୍କା ଦେବାକୁ ପଡିବ | ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ବଢ଼ିଥିବା ବେଳେ କିଲୋୱାଟ(ୟୁନିଟ) ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି ହୋଇଛି |

ଏପ୍ରିଲ ୪ରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛି | ସୂଚନା ମୁତାବକ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ମଞ୍ଜୁରୀ ଦେଇଛନ୍ତି |

ସବୁ ସ୍ଲାବରେ ବିଦ୍ୟୁତ ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ହୋଇଛି ।  ଘରୋଇ ଉପଭୋକ୍ତାଙ୍କ ଲାଗି ଦର ୫୦ ୟୁନିଟ୍ ଯାଏଁ ୨ ଟଙ୍କା ୭୦ ପଇସାରୁ ବଢି ୩ ଟଙ୍କା ହୋଇଛି । ସେହିପରି ୫୦ରୁ ୨୦୦ ୟୁନିଟ୍ ଯାଏଁ ୪ ଟଙ୍କା ୫୦ ପଇସାରୁ ବୃଦ୍ଧି ହୋଇ ୪ ଟଙ୍କା ୮୦ ପଇସା ହୋଇଛି । ୨ ଶହରୁ ୪ଶହ ୟୁନିଟ୍ ଯାଏଁ ଦର ୫ଟଙ୍କା ୫୦ ପଇସା ବଦଳରେ ୫ ଟଙ୍କା ୮୦ ପଇସାକୁ ବୃଦ୍ଧି ହୋଇଛି । ହାରାହାରି ଖୁଚୁରା ବିଦ୍ୟୁତ ଦର ୫.୬୦ ପ୍ରତିଶତ ବୃଦ୍ଧି କରାଯାଇଛି।

ବିପିଏଲ ଶ୍ରେଣୀର ଉପଭୋକ୍ତା ଓ ଜଳସେଚନ ଲାଗି ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି | ସେହିପରି ମିଟର ରେଣ୍ଟ ଓ ମାସିକ ସର୍ବନିମ୍ନ ଚାର୍ଜକୁ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି | ତେବେ ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ଦିଆଯିବ | ଏହା ବାଦ ସମସ୍ତ ପ୍ରିପେଡ଼ ଉପଭୋକ୍ତାଙ୍କୁ ମଧ୍ୟ ୨ ପ୍ରତିଶତ ରିହାତି ମିଳିବ |

ସମ୍ବନ୍ଧିତ ଖବର