ଭୁବନେଶ୍ବର: ବିଦ୍ୟୁତ ଉପଭୋକ୍ତାଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରରେ ବିଦ୍ୟୁତ ନିୟାମକ ଆୟୋଗ କାର୍ଯ୍ୟକ୍ଷମ। ମୁଖ୍ୟତଃ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ସୁପରିଚାଳନା ସହ ଉପଭୋକ୍ତାଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ଅର୍ଦ୍ଧ ନ୍ୟାୟିକ ବୈଧାନିକ ସଂସ୍ଥା ଗଠନର ପରିକଳ୍ପନା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଚାର ବିଭାଗ, ଅନୁଭୂତିସମ୍ପନ୍ନ ବିଦ୍ୟୁତ ଯନ୍ତ୍ରୀ, ଅର୍ଥ ବିଶେଷଜ୍ଞମାନଙ୍କୁ ନେଇ ଆୟୋଗ ଗଠନ ନିମନ୍ତେ ବିଧି ନିର୍ଣ୍ଣୟ କରାଯାଇଥିଲା। ତଦନୁଯାୟୀ ପଡୋଶୀ ଆନ୍ଧ୍ରପ୍ରଦେଶ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଅଛନ୍ତି ଜଷ୍ଟିସ୍ ଭି ନାଗାର୍ଜୁନ ରେଡ୍ଡୀ। ଦିଲ୍ଲୀ ଆୟୋଗ ଦାୟିତ୍ବ ତୁଲାଉଛନ୍ତି ଜଷ୍ଟିସ୍ ଏସ୍ ଏଚ୍ ଶାସ୍ତ୍ରୀ। ଛତିଶଗଡ ବିଦ୍ୟୁତ ନିୟାମକ ଆୟୋଗର ନେତୃତ୍ବ ନେଉଛନ୍ତି ଇଂଜିନିୟର ହିମନ୍ତ ବର୍ମା। ତାମିଲନାଡୁ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଇଞ୍ଜିନିୟର ଟି ଏମ୍ ଚନ୍ଦ୍ରଶେଖର ଥିବା ବେଳେ ତେଲେଙ୍ଗାନା ସରକାର ବିଚାର ବିଭାଗୀୟ ଅଧିକାରୀ ଟି ଶ୍ରୀ ରଙ୍ଗାରାଓଙ୍କୁ ଆୟୋଗର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛନ୍ତି।
ମାତ୍ର ଓଡ଼ିଶାରେ ଏହି ବୈଧାନିକ ଦିଗଗୁଡ଼ିକୁ ଯଥାର୍ଥ ଗୁରୁତ୍ବ ଦିଆଯାଉନାହିଁ। ଲାଗୁଛି ଯେପରି ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥାରେ ଉଭୟ ଯୋଗାଣକାରୀ ସଂସ୍ଥା ଓ ଉପଭୋକ୍ତାଙ୍କୁ ନ୍ୟାୟ ଦେବା ପାଇଁ ଏସବୁ କ୍ଷେତ୍ରରୁ କୌଣସି ଉପଯୁକ୍ତ ବିଶେଷଜ୍ଞ ନାହାନ୍ତି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗଠିତ ହେବା ଦିନରୁ ଆଜି ଯାଏ ଏହାର ଅଧ୍ୟକ୍ଷ ପଦ ଲାଗି କୌଣସି ଯୋଗ୍ୟ ନ୍ୟାୟାଧୀଶ ମିଳି ନାହାନ୍ତି। କୌଣସି ଯନ୍ତ୍ରୀ ବି ଏହି ପଦ ପାଇଁ ଉପଯୁକ୍ତ ନୁହନ୍ତି। ଯଦି ମିଳୁଥାନ୍ତେ ତେବେ କେବଳ ଆଇଏଏସ୍ ଅଫିସରଙ୍କୁ ଏହି ପଦରେ ବସାଯାଉଛି କାହିଁକି? ଏପରିକି ଅଧ୍ୟକ୍ଷ ପଦ ପୂରଣ ପାଇଁ ଏହି ବର୍ଗର ଅଫିସରଙ୍କ ଅବସର ପର୍ଯ୍ୟନ୍ତ ସରକାର ଅପେକ୍ଷା କରିବାର ରହସ୍ୟ କ’ଣ? ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ନିଯୁକ୍ତି ପ୍ରସଙ୍ଗରେ ଏସବୁ ପ୍ରଶ୍ନ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କଲାଣି।
କେବଳ ସେତିକି ନୁହେଁ, ଆହୁରି ସାଂଘାତିକ କଥା ହେଲା; ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ସଚିବ ଏକ ସ୍ଥାୟୀ ପଦବି ହୋଇଥିଲେ ହେଁ, ତାହାକୁ ଦୀର୍ଘ କାଳ ଯାଏ ଏଠାରେ କାମଚଳା ଭାବେ ରଖାଯାଇଛି। ବିଦ୍ୟୁତ ସରବରାହ ସଂସ୍ଥାରୁ ଡେପୁଟେସନ୍ରେ ଆସି ପରେ ନିୟାମକ ବ୍ୟାପାର ନିର୍ଦେଶକ ଦାୟିତ୍ବରେ ଥିବା ପ୍ରିୟବ୍ରତ ପଟ୍ଟନାୟକ ଏବେ ଆୟୋଗଙ୍କ ସଚିବ ଭାବେ ସର୍ବେସର୍ବା। କେବଳ ଯେ ବିଦ୍ୟୁତ ଉପଭୋକ୍ତାଙ୍କ ସ୍ବାର୍ଥରକ୍ଷା ଦିଗରେ ଆୟୋଗ ବିଫଳ ତା ନୁହେଁ, ନିଜ ଅଫିସକୁ ମଧ୍ୟ ସଜାଡ଼ି ପାରିନାହାନ୍ତି। ଅନ୍ୟଥା ୨୦୧୬ରୁ ୨୦୨୨, ଅର୍ଥାତ୍ ଦୀର୍ଘ ୬ ବର୍ଷ ଧରି ଆୟୋଗଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗଟି (ଆୟୋଗଙ୍କ ସଚିବ ପଦବି) କା’ରେ ଚଳାଇବା ଦ୍ବାରା କେଉଁ ବୃହତ୍ତର ସ୍ବାର୍ଥ ସାଧିତ ହେଉଛି?
ଅନ୍ୟପକ୍ଷରେ ଆସାମ ବିଦ୍ୟୁତ ନିୟାମକ ଆୟୋଗରେ ଜଣେ ଅବସରପ୍ରାପ୍ତ ଆଇଏଏସ୍ ସଚିବ ଭାବେ ଦାୟିତ୍ବ ତୁଲାଉଛନ୍ତି। ଗୁଜରାଟ ସରକାର ଜଣେ ଆଇଏଏସ୍ ଅଫିସରଙ୍କୁ ଏଠାରେ ଅବସ୍ଥାପିତ କରାଇଛନ୍ତି। ଝାଡଖଣ୍ଡ, ତାମିଲନାଡୁ ଏବଂ ଉତ୍ତରାଖଣ୍ଡରେ ଅନୁଭୂତିସମ୍ପନ୍ନ ବିଚାର ବିଭାଗୀୟ ଅଧିକାରୀଙ୍କୁ ସଚିବ ପଦରେ ନିଯୁକ୍ତ କରାଯାଇଛି। ସୁତରାଂ ଆୟୋଗଙ୍କ ସଚିବ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ଯେତିକି ଯତ୍ନବାନ ହେବା କଥା, ତାହା ପରିଲକ୍ଷିତ ହେଉନାହିଁ। ଉଲ୍ଲେଖନୀୟ କଥା ହେଲା, ତାମିଲନାଡୁରେ ଡାଇରେକ୍ଟର ଟାରିଫ୍ ପଦବିରେ ଭାରତୀୟ ଅର୍ଥ ସେବାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ଏଠାରେ ସ୍ମରଣଥାଉକି, ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ଇତିମଧ୍ୟରେ ସଂସ୍କାରକୁ ୨୫ବର୍ଷ ବିତିଲାଣି। ହେଲେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ତ ସାତସପନ, ଓଲଟା ଉପଭୋକ୍ତାଙ୍କ ମୁଣ୍ଡରେ ବିଦ୍ୟୁତ ବୋଝ ଦିନକୁ ଦିନ ବଢ଼ିଚାଲିଛି। ବିଦ୍ୟୁତ ବଳକା ବୋଲି ଦାବି କରି ଆସୁଥିବା ଓଡ଼ିଶାରେ ଘନ ଘନ ବିଦ୍ୟୁତ କାଟ୍ ଏବେ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି। ସାମଗ୍ରିକ ଓ ବୈଷୟିକ କ୍ଷତିର ଉଦ୍ବେଗଜନକ ସ୍ଥିତି ଜାରି ରହିଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପ୍ରତିବର୍ଷ ଜନଶୁଣାଣି କରି ବିଜୁଳି ବିଲ୍ ଧାର୍ଯ୍ୟ କରୁଥିଲେ ହେଁ ଉପଭୋକ୍ତାଙ୍କ ସ୍ବାର୍ଥ ବଳି ପଡୁଛି। ନିୟମ ଅନୁସାରେ, ଗୋଟିଏ ମାସ ପୂରଣ ହେବା ମାତ୍ରେ, ବିଜୁଳି ବିଲ୍ ଉପଭୋକ୍ତାକୁ ଧରାଇବା ଦାୟିତ୍ବ ସଂପୃକ୍ତ ବଣ୍ଟନ କଂପାନିମାନଙ୍କର। ହେଲେ ଆଜି ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରତିମାସରେ ବିଲିଂ ହୋଇପାରୁନାହିଁ ବରଂ ଆନୁପାତିକ ହାରରେ ବିଲ୍ ଦିଆଯାଉଛି।
ଉପଭୋକ୍ତାମାନେ ଧାର୍ଯ୍ୟ ବିଜୁଳି ବିଲ୍ର ଗାଣିତିକ ଜଟିଳତା ଭିତରେ ପଶିପାରୁନାହାନ୍ତି। ବିଦ୍ୟୁତ ବିଲ୍କୁ ସ୍ପଷ୍ଟ ଏବଂ ଅତି ସରଳ ଓଡ଼ିଆ ଭାଷାରେ ଦେବା ଲାଗି ଆୟୋଗ ଦେଇଥିବା ନିର୍ଦେଶ ଅଦ୍ୟାବଧି କାର୍ଯ୍ୟକାରୀ ହେଉ ନଥିଲେ ହେଁ ଆୟୋଗ ନିରବଦ୍ରଷ୍ଟା। ଉପଭୋକ୍ତାଙ୍କୁ ଦିଆଯାଉଥିବା ବିଜୁଳି ବିଲ୍ରେ ପୂରା ଶବ୍ଦ ପରିବର୍ତେ ସାଙ୍କେତିକ ବା ସଂକ୍ଷିପ୍ତ ଶବ୍ଦ ବ୍ୟବହାର କରାଯାଉଛି। ଉପଭୋକ୍ତା କିଭଳି ବୁଝିବେ? ଆୟୋଗଙ୍କର ଏ କ୍ଷେତ୍ରରେ ଭୂମିକାଟି ଆଦୌ ନିର୍ବିବାଦୀୟ ନୁହେଁ। ଓଇଆରସିଙ୍କ ଅନୁମୋଦିତ ଏବଂ ବିଜ୍ଞପିତ ଆଦେଶ ଅନୁସାରେ ବିଭିନ୍ନ ବର୍ଗର ଉପଭୋକ୍ତାଙ୍କ ପାଇଁ ହାରାହାରି ବିଦ୍ୟୁତ ଦର ନିର୍ଧାରଣ ହୋଇଥାଏ। ହେଲେ ବିଜ୍ଞପିତ ବିଦ୍ୟୁତ ଦେୟ ଠାରୁ ଢେର୍ ଅଧିକ ଦରରେ ବିଲ୍ ଅସୁଲ ହେଉଥିବା ଆବଣ୍ଟନ ସଂସ୍ଥାଙ୍କ ବାର୍ଷିକ ରାଜସ୍ବ ଆବଶ୍ୟକତା ଆବେଦନରୁ ଜଣାପଡ଼ୁଛି। ଏହାଦ୍ବାରା ଉପଭୋକ୍ତାମାନେ ଶୋଷଣର ଶିକାର ହେଉଥିବା ସ୍ପଷ୍ଟ ଜଣାପଡୁଥିଲେ ମଧ୍ୟ ଆୟୋଗ ଚୁପ୍ ରହିବାର କାରଣ କ’ଣ?
ସେହିଭଳି ଭୁଲ୍ ବିଲ୍ ସଂପର୍କରେ ଉପଭୋକ୍ତାମାନେ କେଉଁଠି ଓ କିପରି ଅଭିଯୋଗ ଦାୟର କରିବେ, ତାର କୌଣସି ସୂଚନା ବିଲ୍ରେ ନାହିଁ। କହିବାକୁ ଗଲେ ବିଜୁଳି ଦର ନିର୍ଧାରଣ କ୍ଷେତ୍ରରେ ଆୟୋଗ ଯେତିକି ତତ୍ପରତା ଦେଖାଉଛନ୍ତି, ଉପଭୋକ୍ତାଙ୍କ ସ୍ବାର୍ଥ ସୁରକ୍ଷା ଦିଗରେ ସେତିକି ତତ୍ପର ଥିବା ଦେଖାଯାଉନାହିଁ। ପୁଣି ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦୁତ ଯୋଗାଣରେ ବିଫଳ ଆବଣ୍ଟନକାରୀ କମ୍ପାନିଙ୍କ ଦ୍ବାରା ଉପଭୋକ୍ତା ଶୋଷିତ ହେଉଥିଲେ ମଧ୍ୟ ଏଭଳି ଅବ୍ୟବସ୍ଥା ପାଇଁ କୌଣସି ବଣ୍ଟନ କଂପାନିଙ୍କୁ ଆଖିଦୃଶିଆ ଦଣ୍ଡିତ କରାଯିବାର ନଜିର ନାହିଁ। ଏତେ ସବୁ ଅବ୍ୟବସ୍ଥା ପରୋକ୍ଷରେ ସୂଚାଇ ଦେଉଛି ଯେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଠିକଣା ଢଙ୍ଗରେ ଚାଲୁନାହିଁ, ବରଂ ସାଧାରଣ ଉପଭୋକ୍ତାଙ୍କ ସରଳତାରୁ ଫାଇଦା ଉଠାଉଥିବା ପକ୍ଷମାନଙ୍କୁ ପରୋକ୍ଷରେ ବେଆଇନ୍ ସୁଯୋଗ ଦିଆଯାଉଛି। ବର୍ଷ ବର୍ଷ ଧରି ଘରୋଇ କଂପାନିମାନେ ଲାଭବାନ୍ ହୋଇଆସିଛନ୍ତି। ମୋଟାମୋଟି ଭାବେ ବିଦ୍ୟୁତ ସଂସ୍କାରର ମୂଳ ଲକ୍ଷ୍ୟ ବାଟବଣା ହୋଇ ଚାଲିଥିଲେ ମଧ୍ୟ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିବା ପଛରେ କାରଣ କ’ଣ-ତାହା ବୁଝି ହେଉ ନାହିଁ। ଆୟୋଗ ଅଧିକ ସଶକ୍ତ ହେବା ପରିବର୍ତ୍ତେ ବିକଳାଙ୍ଗ ହୋଇପଡୁଥିବା ବେଳେ ଗୋଟିଏ କଲ୍ୟାଣକାରୀ ସରକାର ନିରବ ରହିବା ଶକ୍ତି ସମୀକ୍ଷକଙ୍କୁ ଆଚମ୍ବିତ କରୁଛି। ଶକ୍ତି ସମୀକ୍ଷକମାନେ ଏ ପ୍ରସଙ୍ଗରେ ମତ ରଖିବା ବେଳେ ଅସଜଡ଼ା ବିଦ୍ୟୁତ ବ୍ୟବସ୍ଥାର ସୁଧାର ଦିଗରେ ସରକାରଙ୍କ ଆନ୍ତରିକତା ପ୍ରତି ପ୍ରଶ୍ନ ଉଠାଉଛନ୍ତି। ଏହି ମହଲର ଯୁକ୍ତି ହେଉଛି,ବିଦ୍ୟୁତ କ୍ଷେତ୍ରରେ ରାଜ୍ୟ ସରକାର ଆଣିଥିବା ସଂସ୍କାରକୁ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ସରକାରୀସ୍ତରରେ ଆଦୌ ତତ୍ପରତା ନାହିଁ। ବରଂ ଅନ୍ୟ ସବୁ ସାମ୍ବିଧାନିକ ସଂସ୍ଥା ଭଳି ବିଦ୍ୟୁତ ନିୟାମକ ଆୟୋଗର ମୁରବି ପଦକୁ ଅବସରପ୍ରାପ୍ତ ଆଇଏଏସ୍ ଅଫିସରଙ୍କ ପାଇଁ ସଂରକ୍ଷିତ କରି ସରକାର ନିଜ ଉତ୍ତର ଦାୟିତ୍ବକୁ ଭୁଲିଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/oerc1.jpg)