ଭୁବନେଶ୍ୱର : ୨୦୨୨ ଜାନୁଆରି ୧୫ ତାରିଖ ଦିନ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ପଦରୁ ଉପେନ୍ଦ୍ର ବେହେରା ଅବସର ନେଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ଗୁରୁତ୍ବପୂର୍ଣ୍ଣ ପଦବି ଖାଲି ପଡ଼ିଛି। ଆୟୋଗର ଅନ୍ୟତମ ସଦସ୍ୟ ଗଜେନ୍ଦ୍ର ମହାପାତ୍ର କାମଚଳା ଅଧ୍ୟକ୍ଷ ଦାୟିତ୍ବ ତୁଲାଉଛନ୍ତି।
୨୦୧୬ରୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ସଚିବ ପଦବି ଖାଲି ପଡ଼ିଛି। ଭାରତୀୟ ରାଜସ୍ବ ସେବାର ଅଧିକାରୀ ଗୋପାଳ କୃଷ୍ଣ ଧଳ ପଦ ଛାଡ଼ିବା ପରଠାରୁ ଏହି ପଦବିରେ ମଧ୍ୟ କାହାକୁ ନିଯୁକ୍ତି ଦିଆଯାଇନାହିଁ; କା’ରେ ଚାଲିଛି। ସଂପ୍ରତି ରେଗୁଲେଟାରି ଆଫାୟର୍ସ (ନିୟାମକ ବ୍ୟାପାର) ନିର୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ଭାରପ୍ରାପ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି।
/sambad/media/post_attachments/wp-content/uploads/2022/05/oerc-2-300x194.jpg)
ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗରେ ତିନିଟି ନିର୍ଦେଶକ ପଦବି ରହିଛି। ଏହି ତିନି ଜଣ ନିର୍ଦେଶକ ଆୟୋଗଙ୍କ ମୁଖ୍ୟ ଅଙ୍ଗ। ଶ୍ରୀ ପଟ୍ଟନାୟକଙ୍କୁ ବାଦ୍ ଦେଲେ ଅନ୍ୟ ଦୁଇଟି ପଦବିରେ କାହାକୁ ନିଯୁକ୍ତି ଦିଆଯାଇନାହିଁ, ଯେମିତି ଏମାନେ ନ ରହିଲେ ବି ଚଳିବ।
ଖାଲି କ’ଣ ଅଧ୍ୟକ୍ଷ ପାଇଁ ଆଇଏଏସ୍ ଅଫିସର ଯୋଗ୍ୟ ଅଟନ୍ତି?
କାମଚଳା ଅଧ୍ୟକ୍ଷରେ ୨୦୨୨-୨୩ ବିଦ୍ୟୁତ୍ ଶୁଣାଣି କରାଗଲା
ଦୁଇ ନିର୍ଦେଶକ ପଦବି ଖାଲି, ପଦବି ପୂରଣ ପାଇଁ ଆନ୍ତରିକତା ନାହିଁ
ରାଜ୍ୟରେ ବିଦ୍ୟୁତ୍ କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କାର ବିଶାଳ କେଳେଙ୍କାରୀ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ ଏ କ୍ଷେତ୍ରରେ ରାଜ୍ୟସ୍ତରରେ ଥିବା ସାମ୍ବିଧାନିକ ସର୍ବୋଚ୍ଚ ସଂସ୍ଥାକୁ ଏଭଳି ଢଙ୍ଗରେ ବିକଳାଙ୍ଗ କରିଦେବା ଲାଗି ଷଡ଼୍ଯନ୍ତ୍ର ଚାଲିଛି। ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ର ମୁଖ୍ୟତଃ ଓଇଆର୍ସିଙ୍କ ଆଦେଶ ଓ ନିର୍ଦେଶରେ ପରିଚାଳିତ। ଉପଭୋକ୍ତାଙ୍କୁ ନ୍ୟାୟ ଲାଗି ଆମ ବ୍ୟବସ୍ଥାରେ ଏହି ସଂସ୍ଥାର ଏକ ବିଶେଷ ଭୂମିକା ରହିଛି। ସଂପ୍ରତି ବିଦ୍ୟୁତ୍ ପରିଚାଳନା କ୍ଷେତ୍ରରେ ରାଜ୍ୟରେ ଦୈନନ୍ଦିନ ହଟଚମଟ ଲାଗି ରହିଥିବା ବେଳେ ଓଇଆର୍ସିର ଏହି ମୁରବୀସ୍ଥାନୀୟ ପଦ ସମୂହକୁ କାମଚଳା ରଖିବା ବା ଖାଲି ପକାଇବାରେ ସରକାରଙ୍କର କେଉଁ ମହତ୍ ଉଦ୍ଦେଶ୍ୟ ସାଧିତ ହେଉଛି, ତାହାକୁ ନେଇ ପ୍ରଶ୍ନ ଉଠଇଲାଣି। ଏହା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ବିଦ୍ୟୁତ୍ କେଳେଙ୍କାରୀରେ ଆୟୋଗ-ଗ୍ରିଡ୍କୋ-ଘରୋଇ ସଂସ୍ଥା ଓ ଆବଣ୍ଟନକାରୀ କଂପାନିଙ୍କ ମଧୁଚନ୍ଦ୍ରିକା ନେଇ ଅଭିଯୋଗ ଆସୁଛି, ସେଥିରେ ସରକାର ମଧ୍ୟ ଅଳ୍ପବହୁତେ ସଂପୃକ୍ତ ବା ଏସବୁ ତାଙ୍କ ଜାଣତରେ ଚାଲିଛି। ବିଦ୍ୟୁତ୍ ଅଧିନିୟମ, ୨୦୦୩ର ଧାରା ୮୫ ଅନୁଯାୟୀ; ଓଇଆର୍ସି ଅଧ୍ୟକ୍ଷ ଅବସର ନେବାର ଛଅ ମାସ ପୂର୍ବରୁ ଜଣେ ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ ଆରମ୍ଭ କରାଯିବାର ନିୟମ ରହିଛି। ଏହି ପ୍ରକ୍ରିୟା ସର୍ବାଧିକ ତିନିମାସ ମଧ୍ୟରେ ଶେଷହୋଇ ନୂଆ ଅଧ୍ୟକ୍ଷ ଚୟନ ହେବା କଥା। ହେଲେ ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର ବେହେରା ଜାନୁଆରି ୧୫ ତାରିଖରେ ଅବସର ନେଉଥିବା ଜାଣି ବି ରାଜ୍ୟ ସରକାର କାହିଁକି ଏହା ପୂର୍ବରୁ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଶେଷ କଲେନାହିଁ, ସର୍ବୋପରି କାହା ସ୍ବାର୍ଥରେ ଅଧ୍ୟକ୍ଷ ପଦବି ଲାଗି ଆବେଦନର ସମୟ ସୀମାକୁ ଶ୍ରୀ ବେହେରା ପଦ ଛାଡିଯିବା ପରେ ଆଉ ୭ଦିନ ଅର୍ଥାତ୍ ଜାନୁଆରି ୨୧ ତାରିଖ ଯାଏ ବୃଦ୍ଧି କରିଦିଆଗଲା, ତାହା ବିଶେଷଜ୍ଞଙ୍କୁ ଆନ୍ଦୋଳିତ କରୁଛି।
/sambad/media/post_attachments/wp-content/uploads/2022/04/electricity-300x169.jpg)
ଗୋଟିଏ ମହଲ ବିଶ୍ବାସ କରୁଛନ୍ତି ଯେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର ଶକ୍ତି ବିଭାଗରେ ଦୀର୍ଘ ଅଭିଜ୍ଞତା ରହିଛି। ଏଣୁ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ଦେବା ଲାଗି ସରକାର ଆଖେଇଥିଲେ। ହେଲେ ଶେଷ ମୁହୂର୍ତରେ ମୁଖ୍ୟସଚିବ ଭାବେ ତାଙ୍କର କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି ପରିପ୍ରେକ୍ଷୀରେ ସମୁଦାୟ ପ୍ରକ୍ରିୟାକୁ ଝୁଲାଇ ରଖିଦିଆଯାଇଛି। ସମ୍ଭବତଃ ସେ ଅବସର ନେବା ପର୍ଯ୍ୟନ୍ତ ସରକାର ଅପେକ୍ଷା କରୁଛନ୍ତି।
ଆଉ ଗୋଟିଏ ମହଲର ଖବର ଅନୁସାରେ, ଓଇଆର୍ସି ଅଧ୍ୟକ୍ଷ ପଦବି ଲାଗି ପାଖାପାଖି ଦୁଇ ଡଜନରୁ ଅଧିକ ଆବେଦନ ଏବେ ସରକାରଙ୍କ ପାଖେ ପଡ଼ିରହିଛି। ଏକଥା ବି ଚର୍ଚ୍ଚା ହେଉଛି ଯେ ଓଡ଼ିଶା କ୍ୟା଼ଡ଼ର ବରିଷ୍ଠ ଆଇଏଏସ୍ ଅଫିସର ଅରୁଣ କୁମାର ପଣ୍ଡା, ଆଇଏଏସ୍ ମନୋଜ କୁମାର ପରିଡା ଏବଂ ମଧ୍ୟପ୍ରଦେଶ କ୍ୟାଡର ଆଇଏଏସ୍ ଅଫିସର ପ୍ରମୋଦ କୁମାର ଦାସ ଏହି ପଦବି ଲାଗି ଆଗରେ ଅଛନ୍ତି। ତେବେ ଏହି ପଦବି ଲାଗି ଅଧିକ ଯୋଗ୍ୟ ବୋଲି କୁହାଯାଉଥିବା ଶ୍ରୀ ପଣ୍ଡା ଅବସର ପରେ ଟାଟା ପାଵାର ସହିତ ସମ୍ବନ୍ଧ ଯୋଡିଛନ୍ତି। ଏଣୁ ତାଙ୍କୁ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଗଲେ ତାହା କନଫ୍ଲିକ୍ଟ୍ ଅଫ୍ ଇଣ୍ଟ୍ରେଷ୍ଟ ହେବ ଏବଂ ନୂଆ ବିବାଦ ସୃଷ୍ଟି କରିପାରେ। ଏଣୁ ସରକାର ଏ କ୍ଷେତ୍ରରେ କିଛିଟା ଉଦ୍ୟମ କରିବା ପରେ ପଛେଇ ଯାଇଛନ୍ତି। ଅନ୍ୟ ଦୁଇଜଣଙ୍କର ଶକ୍ତି ବିଭାଗ ସହିତ ବିଶେଷ ସଂପର୍କ ନାହିଁ। ଯେେହତୁ ଶକ୍ତି କ୍ଷେତ୍ରଟି ଅତି ବିବାଦୀୟ ସ୍ଥିତିରେ ରହିଛି, ଏଣୁ ସରକାର ଆଉ କାହାକୁ ନିଯୁକ୍ତି ଦେଇ ରିସ୍କ ନେବାକୁ ଚାହୁଁନାହାନ୍ତି ବୋଲି ଏହି ସୂତ୍ରରୁ ପ୍ରକାଶ।
ଶକ୍ତି ସମୀକ୍ଷକମାନେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଠୋର ଭାଷାରେ ସମାଲୋଚନା କରୁଛନ୍ତି। କାହିଁକି ଓ କେଉଁ କାରଣ ପାଇଁ ଓଇଆର୍ସି ଅଧ୍ୟକ୍ଷ ପଦରେ କେବଳ ଅବସରପ୍ରାପ୍ତ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତି ଦିଆଯିବ? ବି କେ ଦାସ, ସତ୍ୟ ପ୍ରକାଶ ନନ୍ଦ, ଉପେନ୍ଦ୍ର ବେହେରାମାନେ କାହିଁକି ନିଯୁକ୍ତି ପାଇବେ? ଭାରତବର୍ଷରେ ବହୁ ବିଶେଷଜ୍ଞ ଥିଲେ ବି ସରକାର ଅନ୍ୟମାନଙ୍କୁ ସୁଯୋଗ ନ ଦେବା ଅର୍ଥ ଅନେକ ସନ୍ଦେହକୁ ଆଙ୍ଗୁଠି ଉଠାଉଛି। ପୁଣି ସରକାର ସାଧାରଣ ଲୋକଙ୍କ ସ୍ବାର୍ଥ ପ୍ରତି ଏତେ ବେଫିକର ଯେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ନ ଦେଇ ୨୦୨୨-୨୩ ବିଦ୍ୟୁତ ଶୁଣାଣି କରିଦେଲେ? ଏସବୁକୁ କେହି ଗ୍ରହଣ କରିପାରୁନାହାନ୍ତି।
/sambad/media/post_attachments/wp-content/uploads/2020/08/Electricity-300x200.jpg)
ଆହୁରି ଗମ୍ଭୀର ବିଷୟ ହେଉଛି ଯେ କାହିଁକି କାହା ସ୍ବାର୍ଥରେ ସଚିବ ପଦବିକୁ କାମଚଳା ଭାବେ ବ୍ୟବହାର କରାଯାଉଛି ଏବଂ ଏଥିରେ କାହାକୁ ନିଯୁକ୍ତି ଦିଆଯାଉନାହିଁ, ତାହା ମଧ୍ୟ ଏକ ବଡ କେଳେଙ୍କାରୀ ଆଡ଼କୁ ଇଙ୍ଗିତ କରୁଛି।
ଏହି ପଦବିରେ କେବେ ନିୟମିତ ନିଯୁକ୍ତି ହେବ, ସେ ସଂପର୍କରେ କେହି ପୂର୍ବାନୁମାନ ଲଗାଇ ପାରୁନାହାନ୍ତି। ଏବେ ସଚିବ ଦାୟିତ୍ବରେ ଥିବା ଶ୍ରୀ ପଟ୍ଟନାୟକଙ୍କ ପତ୍ନୀ ମୀରା ବିଶ୍ବବନ୍ଧ୍ୟା ଓପିଟିସିଏଲ୍ ବୋର୍ଡର ଜଣେ ଅଣ କାର୍ଯ୍ୟନିର୍ବାହୀ ନିର୍ଦେଶକ। ଯଦିଓ ଏହା ଗର୍ହିତ ନୁହେଁ, ତଥାପି ଶ୍ରୀ ପଟ୍ଟନାୟକ ବିଦ୍ୟୁତ ଦର ନିର୍ଧାରଣ ପ୍ରକ୍ରିୟାରେ ସାମିଲ ହେବା ଆଦୌ ଗ୍ରହଣୀୟ ନୁହେଁ ବା ଏକ ସୁସ୍ଥ ପରମ୍ପରାର ଅଂଶ ବିଶେଷ ବୋଲି କୁହାଯାଇପାରିବ ନାହିଁ। ଏକଦା ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଶୁଭା ଶର୍ମା ସିଇଆର୍ସିର ସଚିବ ଥିଲେ। ଏଣୁ ଏଠାରେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେବାରେ କେଉଁଠି ସମସ୍ୟା ରହିଛି? ବୋଲି ବୁଦ୍ଧିଜୀବୀ ମତ ରଖୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ପାଖାପାଖି କୋଟିଏ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଜୁଳି କଷଣ ଭିତରକୁ ଠେଲି ଦିଆଯାଇଛି। ଏମିତି ଯେ ସେମାନଙ୍କୁ ଗୁଣାତ୍ମକ ମାନର ଓ ନିରବଚ୍ଛିନ୍ନ ବିଜୁଳି ଯୋଗାଇବା ତ ଦୂରର କଥା ଓଲଟା ଦିନ ଦି’ପହରରେ ବିଦ୍ୟୁତ୍ ଦେୟ ଠାରୁ ଆରମ୍ଭ କରି ସେବା ଯୋଗାଣ ଆଦି ସବୁଥିରେ ଶୋଷଣ ଚାଲିଛି। ଏଣୁ ଏଭଳି ସଙ୍ଗିନ୍ ସମୟରେ ଓଇଆର୍ସି ଉପଭୋକ୍ତାଙ୍କ ସ୍ବାର୍ଥ ପାଇଁ ପାଚେରି ଭଳି ଛିଡ଼ା ହେବା କଥା। ଶିଳ୍ପ ସଂସ୍ଥାଙ୍କ ଠାରୁ ଆରମ୍ଭ କରି ପ୍ରତିଟି ଅଙ୍ଗକୁ ନ୍ୟାୟ ଦେବା ପାଇଁ ଉତ୍ତରାଦାୟିତ୍ବ ନିଭାଇବା କଥା। ହେଲେ ଆୟୋଗକୁ ଚାପମୁକ୍ତ କରିବା ପରିବର୍ତ୍ତେ କା’ ବା କାମଚଳା ଭାବେ ସବୁ ପ୍ରମୁଖ ପଦବି ରଖାଯିବା ଅନ୍ୟ ଦୁଇ ସଦସ୍ୟ ଓ ଅଧିକାରୀଙ୍କୁ ଚାପଗ୍ରସ୍ତ କରୁନି କି?