ଅନୁଗୁଳ: ବିଧାନସଭାକୁ ରିପୋର୍ଟ ଦେଇଥିଲା ଅନୁଗୁଳ ବନଖଣ୍ଡ। ଚାରିବର୍ଷ ତଳେ ଅନୁଗୁଳ ବ୍ଲକ୍‌ ବେଡ଼ାଠାରୁ ଚଟିଆଗଜି ରାସ୍ତାରେ ଆମେ ଏକ ହଜାର ଗଛର ପଥପାର୍ଶ୍ବ ବନୀକରଣ କରିଛୁ। ପ୍ରାୟ ଚାରି କିଲୋମିଟର ପଥପାର୍ଶ୍ବ ରାସ୍ତାରେ ବୃକ୍ଷରୋପଣ କରାଯାଇଛି। ହଜାରେ ଗଛରୁ ୮୯୦ଟି ଗଛ(୮୯%) ଏବେ ବି ରାସ୍ତା ଦୁଇ ପାଖରେ ଥିବା ଦେଖାଯାଇଛି। ରାସ୍ତାର ସବୁଜିମା ପ୍ରୟାସ ଏକ ପ୍ରକାର ସାକାର ହୋଇଛି। କିନ୍ତୁ, ରାସ୍ତା ଉପରକୁ ଯାଇ ଗୋଟି ଗୋଟି କରି ଗଛ ଗଣିଲା ବେଳକୁ ସେ ଗଛ ଆଉ ନାହିଁ। ଚାରି କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏ ରାସ୍ତାରେ ୮୯୦ଟି ଗଛ ବଞ୍ଚିବା ଦୂରେ ଥାଉ, ଏଠି ଶହେଟି ଗଛ ବି ନାହିଁ। ସରକାରୀ ରିପୋର୍ଟର ସତ୍ୟତା ଯାଞ୍ଚ କଲା ପରେ ବନୀକରଣର ଅସଲ ଚେହେରା କେବଳ ଲୋକଲୋଚନକୁ ଆସିନି, ବରଂ ମିଛ ରିପୋର୍ଟ ଦେଇ ବିଧାନସଭାକୁ କେମିତି ଭୁଆଁ ବୁଲାଯାଉଛି ତାହା ବି ସ୍ପଷ୍ଟ ହୋଇଛି।

Advertisment

ଏ ଉତ୍ତର ଥିଲା ଗତ ଫ୍ରେବୁଆରି ୨୮ତାରିଖର। ବିଧାୟକ ମନୋହର ରାନ୍ଧାରୀ ବିଭାଗୀୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ବୃକ୍ଷରୋପଣ ଉପରେ ଏ ପ୍ରଶ୍ନ କରିଥିଲେ। ଉତ୍ତର ମାଗିଥିଲେ, ଗଲା ତିନି ବର୍ଷରେ ଓଡ଼ିଶାରେ କେତେ ବନୀକରଣ ହୋଇଛି। ସେଥିରୁ କେତେ ଗଛ ବଞ୍ଚିଛି। କେତେ ହେକ୍ଟର ଜମି ଜଙ୍ଗଲରେ ପରିଣତ ହୋଇଛି। କେବଳ ସେତିକି ପ୍ରଶ୍ନ କଲେ ନାହିଁ, ଉଭୟ କେନ୍ଦ୍ର, ରାଜ୍ୟ, କାମ୍ପା ଓ ଅନ୍ୟାନ୍ୟ ପାଣ୍ଠିରୁ ଏ ବୃକ୍ଷରୋପଣ ବାବଦକୁ କେତେ ଟଙ୍କା ବ୍ୟୟ ହୋଇଛି ତାହାର ବି ତଥ୍ୟ ମାଗିଥିଲେ। ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପୂରା ରାଜ୍ୟର ଗୋଟି ଗୋଟି ବନୀକରଣ ତଥ୍ୟ ରଖିଥିଲେ। ତା’ ମଧ୍ୟରେ ଅନୁଗୁଳ ଜିଲ୍ଲା ଅନୁଗୁଳ ବ୍ଲକ୍‌ ବେଡ଼ାରୁ ଚଟିଆଗଜିର ଚାରି କିଲୋମିଟର ରାସ୍ତାର ବନୀକରଣ କଥା ଦର୍ଶାଯାଇଛି। ସେଥିରେ କୁହାଯାଇଛି, ୨୦୨୦-୨୧ ଆର୍ଥିକ ବର୍ଷରେ ଅନୁଗୁଳ ବନଖଣ୍ଡ ପକ୍ଷରୁ ଏହି ରାସ୍ତାର ଦୁଇ ପାର୍ଶ୍ବରେ ମୋଟ୍ ଏକ ହଜାର ଗଛ ଲଗାଯାଇଥିଲା। ଏ ବନୀକରଣ ପାଣ୍ଠି ମନରେଗାରୁ ବହନ କରାଯାଇଥିଲା। ଚାରାରୋପଣର ତିନିବର୍ଷ ପରେ ହଜାରେ ଗଛରୁ ମୋଟ୍ ୮୯୦ଟି ଗଛ ବଞ୍ଚିଛି। ଅର୍ଥାତ୍‌ ୮୯ ପ୍ରତିଶତ ବନୀକରଣ ସଫଳ ହୋଇଛି ବୋଲି ରିପୋର୍ଟରେ ବନ ବିଭାଗ ଦର୍ଶାଇଲା।

ସାଧାରଣତଃ ଜଙ୍ଗଲ ତଥ୍ୟ ଜଙ୍ଗଲରେ ଲୁଚିଯାଏ। ଦୁର୍ନୀତି ପଦାକୁ ଆସିବା ଭାରି ମୁସ୍କିଲ୍। କିନ୍ତୁ, ରାସ୍ତା କଡ଼ରେ ବନୀକରଣ ସ୍ଥିତି କଣ, ଅନୁଗୁଳ ବନଖଣ୍ଡ ସରକାରଙ୍କୁ ଦେଇଥିବା ରିପୋର୍ଟର ସତ୍ୟତା କେତେ? ‘ସମ୍ବାଦ’ ପକ୍ଷରୁ ତାହାର ଅନୁଧ୍ୟାନ କରାଯାଇଥିଲା। ଯେଉଁଥିରୁ ବନୀକରଣ ଏ ଅସଲ ଚେହେରା ପଦାକୁ ଆସିଛି। ବେଡ଼ାଠୁ ଚଟିଆଗଜି ଯାଏ ପୂରା ଚାରି କିଲୋମିଟର ରାସ୍ତାରେ ୮୯୦ଟି ଗଛ ବଦଳରେ ବଞ୍ଚିଛି ମାତ୍ର ୫୬ଟି। କାଗଜପତ୍ରରେ ବନୀକରଣ ୮୯ପ୍ରତିଶତ ସଫଳ ହୋଇଛି ବୋଲି ବିଭାଗ ଦର୍ଶାଉଥିବା ବେଳେ ବାସ୍ତବତା ହେଉଛି ମାତ୍ର ୬ ପ୍ରତିଶତ। ସରକାରଙ୍କ ଏ ବନୀକରଣ ତାଲିକାରୁ ଏହା ହେଉଛି ଗୋଟିଏ ନମୁନା ମାତ୍ର। ପୂରା ତାଲିକାକୁ ଯାଞ୍ଚ କଲେ ବନୀକରଣ ନାଁରେ ପ୍ରକୃତରେ କେତେ ଦୁର୍ନୀତି କରାଯାଇଛି ତାହା ସ୍ପଷ୍ଟ ହୋଇପାରିବ।