ଏନ୍‌ଏଚ୍‌ ପାର୍ଶ୍ବରେ ଲାଗିଥିଲା ୩.୨୪ ଲକ୍ଷ ଚାରା
୨ ଲକ୍ଷ ୫୮ ହଜାର ୩୫୦ ଗଲା କୁଆଡ଼େ?
ତିନି ବର୍ଷରେ ଖର୍ଚ୍ଚ ୩୨ କୋଟି ୭ ଲକ୍ଷ ୯୮ ହଜାର

Advertisment

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଜାତୀୟ ରାଜପଥ ନଂ.୧୪୩ର ବୀରମିତ୍ରପୁରରୁ ବାରକୋଟ୍‌ ଭିତର ରାସ୍ତାର ଦୁଇପାର୍ଶ୍ବରେ ‌ହୋଇଥିବା ଚାରାରୋପଣରେ ଏକ ବଡ଼ଧରଣର ଦୁର୍ନୀତି ହୋଇଛି! ୩ଲକ୍ଷ ୨୪ ହଜାର ଚାରା ଲାଗିଥିବା କୁହାଯାଉଥିବାବେଳେ ୨ଲକ୍ଷ ୫୮ ହଜାର ଚାରାର କୌଣସି ହିସାବ ନାହିଁ। ଫଳରେ, ଏବାବଦରେ ଆସିଥିବା ଅର୍ଥ ମଧ୍ୟରୁ ୨୫.୫୭ କୋଟି ଟଙ୍କା କୁଆଡ଼େ ଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।

publive-image

ସରକାରୀ ତଥ୍ୟ ଅନୁସାରେ, ଉକ୍ତ ସ୍ଥାନରେ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି), ରାଉରକେଲାଙ୍କ ଦ୍ବାରା ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ତିନି ବର୍ଷରେ ଲଗାଯାଇଛି ମୋଟ୍‌ ୩ ଲକ୍ଷ ୨୪ ହଜାର ୩୫୦ ଚାରା। ସେଥିପାଇଁ ଖର୍ଚ୍ଚ ହୋଇଛି ମୋଟ୍‌ ୩୨ କୋଟି ୭ ଲକ୍ଷ ୯୮ ହଜାର ୩୦ ଟଙ୍କା। ଅର୍ଥାତ୍‌ ଗୋଟିଏ ଚାରା ଲଗାଇବା ଓ ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ରାଉରକେଲା ଖର୍ଚ୍ଚ କରିଛନ୍ତି ୯୯୦ ଟଙ୍କା। ବୀରମିତ୍ରପୁର-ବାରକୋଟ ୧୨୯ କି.ମି. ରାସ୍ତାର ଦୁଇ ପାର୍ଶ୍ବ ଏସବୁ ଚାରା ଲଗାଯାଇଥିବା ବିଭାଗ ତଥ୍ୟ ଦେଉଛନ୍ତି। ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ଏହି ରାସ୍ତାରେ ଥିବା ଅନେକ ସ୍ଥାନରେ ଥିବା ଛୋଟବଡ଼ ଗାଁ, ସହର ଓ ବଜାରରେ ଚାରା ଲଗା ଯାଇନାହିଁ। ଏହା ବାହାରେ ଅନେକ ସ୍ଥାନରେ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଚାରାରୋପଣର ଚିହ୍ନବର୍ଣ୍ଣ ନାହିଁ। ଦିଶୁନି। ଯେଉଁଠି ବି ଚାରାରୋପଣ କରା ଯାଇଥିବା ଜଣା ପଡୁଛି, ସେ ଚାରା ଭିତରୁ ଅର୍ଦ୍ଧାଧିକ ମରିଗଲାଣି। ରାଉରକେଲା ସହର ପାଖର ଉଦାହରଣ ଦେଖିଲେ, ବେଦବ୍ୟାସରୁ ଯମୁନାନାକି ପ୍ରାୟ ୫ କି.ମି., ଜମୁନାନାକିରୁ କୁଆରମୁଣ୍ଡା ଲାସେ ପ୍ରାୟ ୯ କି.ମି ଓ ଚାର୍ଡିହରିହରପୁରରୁ କୁମଝରିଆରେ ପ୍ରାୟ ୪ କି.ମିରୁ ଅଧିକ ଏନ୍‌ଏଚ୍‌ ପାର୍ଶ୍ବରେ ଗୋଟିଏ ବି ଚାରା ଲାଗିନି। ସେମିତି ଲାଠିକଟାରୁ ଜଲଦା ପ୍ରାୟ ୨ କି.ମି., ତରକେରାରୁ ଗାନ୍ଧି କଲେଜ ଓ ତରକେରାରୁ ଚାନ୍ଦିପୋଷ ପର୍ଯ୍ୟନ୍ତ ଏନ୍‌ଏଚ୍‌ ପାର୍ଶ୍ବରେ ସେହି ସମାନସ୍ଥିତି ଦେଖିବାକୁ ମିଳୁଛି। ବୀରମିତ୍ରପୁରରୁ ବାରକୋଟ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ମଧ୍ୟ ସେହି ସମାନ ଚିତ୍ର।

publive-image

ଆହୁରି ଆଶ୍ଚର୍ଯ୍ୟ କଥା ହେଉଚି, କେଉଁ ଅଞ୍ଚଳରେ କେତେ ଚାରାରୋପଣ କରାଯାଇଛି ବିଭାଗ ପାଖରେ ସୂଚନା ନାହିଁ। ଗୋଟିଏ ପଟେ ୩ ବର୍ଷରେ ମୋଟ୍‌ ୩ ଲକ୍ଷ ୨୪ ହଜାର ୩୫୦ ଚାରା ଲଗାଯାଇଥିବା ବିଭାଗ ପକ୍ଷରୁ ତଥ୍ୟ ଦିଆଯାଉଛି, ଅନ୍ୟପଟେ ୨୦୧୯-୨୦ରେ ୨୩୩୦, ୨୦୧୯-୨୦ ରେ ୩୬୭୦, ୨୦୨୦-୨୧ ଓ ୨୦୨୧-୨୨ରେ ଯଥାକ୍ରମେ ୩୦ ହଜାର ଲେଖାଏଁ ଏମିତି ମୋଟ୍‌ ୬୬ ହଜାର ଚାରା ଲାଗିଛି ବୋଲି କାଗଜପତ୍ରରେ ଦର୍ଶାଯାଉଛି। ଅବଶିଷ୍ଟ ୨ ଲକ୍ଷ ୫୮ ହଜାର ୩୫୦ ଚାରା କିଛି ହିସାବ ନାହିଁ। ଅର୍ଥାତ୍‌ ଏସବୁ ଚାରା କେଉଁଠି ଲାଗିଛି ବିଭାଗୀୟ ଅଧିକାରୀଙ୍କ ପାଖରେ ସୂଚନା ନାହିଁ। ଅର୍ଥାତ୍‌ ହିସାବ କଲେ, ସେହି ୨ ଲକ୍ଷ ୫୮ ହଜାର ୩୫୦ ଚାରା ଲଗାଇବା ନାଁରେ ଖର୍ଚ୍ଚ ହୋଇଥିବା ୨୫ କୋଟି, ୫୭ ଲକ୍ଷ ୬୬ ହଜାର ୫୦ ୦ ଟଙ୍କାର ବ୍ୟୟ ବାବଦରେ ସୂଚନା ନାହିଁ ବା ତାହାକୁ ବିଭାଗ ଗୋପନ ରଖିବାକୁ ଚେଷ୍ଟା କରୁଛି।

publive-image

ସେମିତି ନିଗମ କୌଣସି ଠିକା ସଂସ୍ଥା କିମ୍ବା ଏଜେନ୍ସି ଜରିଆରେ ନୁହେଁ, ଏହି ଲକ୍ଷ ଲକ୍ଷ ଚାରା ନିଜ କର୍ମଚାରୀଙ୍କ ଦ୍ବାରା ଲଗାଯାଇଥିବା ସଫେଇ ଦିଆଯାଇଛି। ତେଣୁ ଚାରାରୋପଣରେ ଏକ ବଡ଼ଧରଣର ଦୁର୍ନୀତିକୁ ଲୁଚାଇବାକୁ ନିଗମ କର୍ତ୍ତୃପକ୍ଷ ଏଭଳି ବାଟ ଆପଣାଇଥିବା ସନ୍ଦେହ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ନିଗମ ଯେଉଁମାନଙ୍କ ଦ୍ବାରା ଲକ୍ଷ ଲକ୍ଷ ଚାରା ଲଗାଇଛନ୍ତି ବୋଲି କୁହା ଯାଉଛି, ସେମାନଙ୍କ ଆକାଉଣ୍ଟକୁ ଅନ୍‌ଲାଇନ୍‌ରେ ପେମେଣ୍ଟ କରିବା ସରକାରୀ ନିୟମ ରହିଛି। ନିଗମ କିନ୍ତୁ ଏହି ନିୟମକୁ ଆଦୌ ପାଳନ କରିନାହିଁ। ବରଂ ସିଧାସଳଖ ସେମାନଙ୍କୁ କ୍ୟାସ୍‌ ଆକାରରେ ଦିଆଯାଇଥିବା କୁହା ଯାଉଛି। ଏହି ଦୁର୍ନୀତିର ଚେର ରାଉରକେଲାରୁ ଭୁବନେଶ୍ବର ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି। ଭିଜିଲାନ୍ସ ତଦନ୍ତ କରାଗଲେ ଓଡ଼ିଶା ବନ ଉନ୍ନୟନ ନିଗମ, ରାଉରକେଲାରେ ଚାଲିଥିବା ଏକ ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା।