ଯାଜପୁରରୋଡ୍ : ଯାଜପୁର ଜିଲ୍ଲାରେ ଦୁର୍ନୀତିର ଲମ୍ବାତାଲିକା! ଏବେ ଓଏଫ୍‌ଡିସିର ବନୀକରଣ କେଳେଙ୍କାରୀ ପଦାକୁ ଆସିଛି। ଲକ୍ଷ ଲକ୍ଷ ଗଛ ଉଭାନ ହୋଇଯାଇଛି। ୧୩.୮୪ କୋଟି ଟଙ୍କାର ଚାରା ହିସାବ ମିଳୁନଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

Advertisment

ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫଡିସି)ର ଯାଜପୁରରୋଡ଼ ଡିଭିଜନ ଅଧୀନରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଗଛ ଲଗାଚାଲିଛି। ଏହି ବାବଦରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ଅଥଚ ହଜାର ହଜାର ଗଛ ଉଭାନ୍ ହୋଇଯାଇଛି। ହସ୍ତଗତ ତଥ୍ୟ ଅନୁସାରେ, ଓଏଫ୍‌ଡିସି ଯାଜପୁର ଡିଭିଜନ୍ ଅଧୀନରେ ୨୦୧୩-୧୪ମସିହାରୁ ଆରମ୍ଭ କରି ଚଳିତବର୍ଷ ମଧ୍ୟରେ ମୋଟାମୋଟି ୧୩ କୋଟି ୮୩ଲକ୍ଷ ୧୬ହଜାର ୫୮୭ଟଙ୍କା ବିନିମୟରେ ୨ଲକ୍ଷ ୪୫ହଜାର ୯୯୨ଗଛ ଲଗାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ୨୦୧୫-୧୬ ଆର୍ଥିକ ବର୍ଷରେ ପାଣିକୋଇଲି ପୂର୍ତ୍ତ ବିଭାଗ ଡିଭିଜନ୍ ପକ୍ଷରୁ ଦେଇଥିବା ୭୪ଲକ୍ଷ ୩୦ହଜାର ୫୮୪ଟଙ୍କାରେ ସଠିପୁରରୁ କୟାଁଗୋଲା ରାସ୍ତାର ଉଭୟ ପାର୍ଶ୍ବରେ ୧୦ ହଜାର ୬ଶହ ଗଛ ଲଗାଯାଇ ରକ୍ଷଣାବେକ୍ଷଣ କରାଯାଇଛି।

publive-image

ଭଦ୍ରକ ପୂର୍ତ୍ତ ଡିଭିଜନ୍ ଅନୁଦାନରେ ଜାମୁଝାଡ଼ି (ବାସୁଦେବପୁର) ଠାରୁ ଧାମରାରୋଡରେ ୭ହଜାର ୬୦୦ ଗଛ ଲଗାଇ ବନୀକରଣ କରିବା ବାବଦରେ ୫୪ଲକ୍ଷ ୧୦ହଜାର ୮୭୪ଟଙ୍କା ବ୍ୟୟ କରାଯାଇଛି। ୨୦୧୪-୧୫ ଆଇଓସିଏଲ୍ ପକ୍ଷରୁ ପ୍ରଦାନ କରାଯାଇଥିବା ୧‌େକାଟି ୧୨ଲକ୍ଷ ୧୮ହଜାର ୫୫୪ଟଙ୍କା ବିନିମୟରେ ଜଗତସିଂପୁର ଠାରୁ କିଶନନଗର(କଟକ) ପର୍ଯ୍ୟନ୍ତ ୫୦ହଜାର ୬୩୦ ଗଛ ଲଗାଇଥିବାର ଦର୍ଶାଯାଇଛି। ସେହିଭଳି, ୨୦୧୭-୧୮ଆର୍ଥିକ ବର୍ଷରେ ପାଣିକୋଇଲି ପୂର୍ତ୍ତ ବିଭାଗ ଡିଭିଜନ୍ ପକ୍ଷରୁ ଯୋଗାଇ ଥିବା ‌୧କୋଟି ୩୬ଲକ୍ଷ ୬୭ହଜାର ୯୫୯ଟଙ୍କା ବ୍ୟୟରେ ୨୫ହଜାର ୪୩୦ ଗଛ କାଟିଆ- ବୈଷପାନ୍ ରୋଡରେ ଲଗାଯାଇଛି।

ମାତ୍ର, ବାସ୍ତବଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଯେଉଁ ସ୍ଥାନରେ ଗଛ ଲଗାଯାଇଥିବା କୁହାଯାଉଛି, ସେଠି ଗଛ ଦେଖିବାକୁ ମିଳୁନାହିଁ। ଫଳରେ, ବ୍ୟାପକ ଗଛ ଲଗାଯାଇଥିବାର ଦର୍ଶାଯାଇ କୋଟି କୋଟି ଟଙ୍କା ଘୋଟାଲା ହୋଇଥିବା ଜଣାପଡ଼ିଛି। ଏପରିକି ଶ୍ରମିକ ମାନଙ୍କ ମଜୁରି ବାବଦରେ ମଧ୍ୟ ଲକ୍ଷ ଲକ୍ଷଟଙ୍କା ହଡ଼ପ କରାଯାଇଛି।

ଏହି ଡିଭିଜନରେ ଚାଲିଥିବା ଗଛଲଗା କେଳେଙ୍କାରୀ ଅନୁସଂଧାନ କଲେ ବହୁ ରହସ୍ୟ ପଦାକୁ ଆସିବ ବୋଲି ପରିବେଶବିତମାନେ ଦାବି କରିଛନ୍ତି।