ଅନୁଗୁଳ: ଅଳ୍ପ ଜାଗାରେ ଲାଗିବ ଅଧିକ ଗଛ। ପୁଣି ଶୀଘ୍ର ବଢ଼ିବ। ସ୍ବଳ୍ପ ଅବଧି ଭିତରେ ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ ଏମିତି ଏକ କୌଶଳ ଆପଣାଇଛି ଓଡ଼ିଶା ବନ ଉନ୍ନୟନ ନିଗମର ଅନୁଗୁଳ ଖଣ୍ଡ। ଜାପାନିଜ୍‌ ପଦ୍ଧତିର ମିଆ-ୱାକି କୌଶଳରେ ପ୍ରାଥମିକ ପର୍ଯ୍ୟାୟରେ କଣିହାଁରେ ୨ ହେକ୍ଟର ଜମିରେ ଏମିତି କୃତ୍ରିମ ଜଙ୍ଗଲ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ‌ଯେଉଁଥିରେ ହେକ୍ଟର ପିଛା ପ୍ରାୟ ୮ ହଜାର ଚାରା ଲାଗିପାରିବ। ଏହା ମାତ୍ର ୧୦ ବର୍ଷ ଭିତରେ ବଢ଼ି ବଡ଼ ବଡ଼ ଗଛ ହେବ ବୋଲି କୁହାଯାଉଛି।

Advertisment

ପ୍ରଦୂଷଣ ଓ ଉଚ୍ଚ ତାପମାତ୍ରା ପାଇଁ ବଦନାମ ମୁଣ୍ଡାଇଥିବା ଅନୁଗୁଳ ଜିଲ୍ଲାରେ ଖଣି ଓ ଶିଳ୍ପାନୁ‌ଷ୍ଠାନ ବଢ଼ିବାରେ ଲାଗିଛି। ପୁଣି ନୂଆ ନୂଆ କୋଇଲା ଖଣି ହେଉଥିବାରୁ ଖାଲି ଜମି କମୁଛି। ଖୋଲାସ୍ଥାନର ଅଭାବ ପାଇଁ ଅନୁଗୁଳରେ ବ୍ୟାପକ ବନୀକରଣ ପାଇଁ ସମସ୍ୟା ଥିଲା ବେଳେ ଜଙ୍ଗଲ ଅଂଚଳରେ ଆଉ ଜାଗା ନାହିଁ। ଏଭଳି ସ୍ଥିତିରେ ଅଳ୍ପ ଜାଗାରେ ଅଧିକ ଗଛ ଲଗାଇ ସବୁଜ ବଳୟ ସୃଷ୍ଟି କରିବାକୁ ନିଗମ ପକ୍ଷରୁ ଏହି ହାଇବ୍ରିଡ୍‌ ପଦ୍ଧତିକୁ ଗ୍ରହଣ କରାଯାଇଛି। କଣିହାଁସ୍ଥିତ ଏନ୍‌ଟିପିସି ପ୍ଲାଣ୍ଟ ଭିତ‌ରେ ଥିବା ୨ ହେକ୍ଟର ଅବ୍ୟବହୃତ ଜାଗାକୁ ଏଥିପାଇଁ ବଛା ଯାଇଛି।

ସୂଚନା ଅନୁସାରେ, ଏହି ପଦ୍ଧତିରେ ବୃକ୍ଷରୋପଣ ପାଇଁ ଆଉ ଛୋଟ ଛୋଟ ଗାତ ‌ଖୋଳିବା ଆବଶ୍ୟକ ନାହିଁ। ବରଂ, ସାରା ଜମିକୁ ୩ ଫୁଟ୍‌ ଲେଖାଏଁ ଖୋଳି ଦିଆଯାଇଛି। ପରେ ବାଲି, ଗୋବର, ଧାନଚଷୁ, ଜିଆଖତ, ଆଖୁ ଛେଦା ଆଦି ଏକାଠି ଗୋଳାଇ ଜମିରେ ପକା ହୋଇଛି। କିଛି ଦିନ ପରେ ଏହା ମାଟି ସହ ମିଶିବା ପରେ ଚାରା ରୋପଣ ଆରମ୍ଭ ହୋଇଛି। ଏଥିରେ ପ୍ରତି ୧ ବର୍ଗ ମିଟରରେ ଗୋଟିଏ ଗଛ ଲାଗୁଛି। ଅର୍ଥାତ ଗୋଟିଏ ଗଛରୁ ଆଉ ଏକ ଗଛର ଦୂରତା ୧ ମିଟର ରହୁଛି। କିନ୍ତୁ ଗୋଟିଏ ପ୍ରଜାତିର ଗଛ ଲଗାଯାଉନି। ବଡ଼ ବଡ଼ ପ୍ରଜାତିର ଗଛ ପାଖରେ ଛୋଟ ଗଛ, ତା’ ପାଖରେ ମଧ୍ୟମ ପ୍ରଜାତିର ଗଛ ଲଗାଯାଉଛି।

ଏମିତି ଏନ୍‌ଟିପିସି ପ୍ଲାଣ୍ଟ ଭିତ‌ରେ ଏହି ଅଦରକାରୀ ଜମିରେ ପ୍ରାୟ ୩୨ହଜାର ଗଛ ଲାଗିବ। ଏଥିରେ ଜାମୁ, ଶିଶୁ, ନିମ୍ବ, ବାହାଡ଼ା, ବିଜା, କଂରଜ, ଡିମ୍ବିରି, ପଣସ, ଅଁଳା, ତେନ୍ତୁଳି, ମହୁଲ, ସୁନାରି, କାଂଚନ, ଅଶୋକ, ବଉଳ, ଆମ୍ବ, ଆତଫଳ ଆଦି ଗଛ ଲଗାଯାଉଛି। ସାଧାରଣ ବୃକ୍ଷ ତୁଳନାରେ ଏହା ୧୦ ଗୁଣ ଅଧିକ ବେଗରେ ବଢ଼ିବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏନେଇ ଓଏଫ୍‌ଡିସିର ଅନୁଗୁଳ ଉପଖଣ୍ଡୀୟ ପରିଚାଳକ ରଜନୀକାନ୍ତ ଦେଶୀନାୟକ କହିଛନ୍ତି ଯେ, ଅନୁଗୁଳରେ ଜମିର ଅଭାବ ପାଇଁ ଏମିତି ଜାପାନିଜ୍‌ ପଦ୍ଧିତରେ ପ୍ରଥମ ଥର ପାଇଁ ଚାରା ରୋପଣ କରାଯାଉଛି। ଏନଟିପିସି ପ୍ଲାଣ୍ଟ ପାଖରେ ୨ ହେକ୍ଟର ଜମିରେ ୧୬ହଜାର ଚାରା ଲଗାଯାଉଛି। ୧୦ ବର୍ଷ ବେଳକୁ ଏହା ଜଙ୍ଗଲରେ ପରିଣତ ହେବ। ଫଳରେ ଏହି ଅଞ୍ଚଳରେ ପ୍ରଦୂଷଣ କମାଇବା ସହ ତାପମାତ୍ରା ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ଆଶା ରଖିଛୁ। ଏଠାରେ ଏହି ଯୋଜନା ସଫଳ ହେଲେ ଭବିଷ୍ୟତରେ ଜିଲ୍ଲାର ବିଭିନ୍ନ ଭାଗରେ ଏମିତି ପଦ୍ଧିତରେ ବୃକ୍ଷରୋପଣ କରାଯିବ ବୋଲି ସେ କହିଛନ୍ତି।