ବଣାଇ ଉପଖଣ୍ତରେ ଅଧିକାରୀ ମରୁଡ଼ି, ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ

ବଣାଇଗଡ଼: ଆଦିବାସୀ ଅଧ୍ୟୁଷିତ ବଣାଇ ଉପଖଣ୍ତରେ ଗତ କିଛି ଦିନ ହେବ ବହୁ ସରକାରୀ ଅଧିକାରୀ ପଦବି ଖାଲି ପଡିଥିବାବେଳେ ଏଠାରେ କାହାକୁ ନୂଆ ନିଯୁକ୍ତି ଦିଆଯାଉ ନଥିବାରୁ ଏ ଅଂଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଛି। ବଣାଇ ଉପଜିଲାପାଳ କାର୍ଯ୍ୟାଳୟରେ ଦୁଇ ଜଣ  ସହକାରୀ ଜିଲାପାଳଙ୍କ ପଦବି ସହିତ ରେଜେଷ୍ଟ୍ରି ଅଧିକାରୀଙ୍କ ପଦବି ଦୀର୍ଘ ଦିନ ହେଲା ଖାଲିପଡ଼ିଛି।

ଗତ ବର୍ଷେ ହେବ ଏଠାରୁ ଦୁଇ ଜଣ ସହକାରୀ ଜିଲାପାଳ ପଦୋନ୍ନତି ପାଇ ତହସିଲଦାର ଭାବେ ବଦଳି ହୋଇଥିବାବେବଳେ ଅଦ୍ୟାବଧି ଏଠାରେ କାହାକୁ ନିଯୁକ୍ତି ଦିଆଯାଇ ନାହିଁ। ସେହିପରି ବଣାଇ ତହସିଲ ସମେତ ଗୁରୁଣ୍ତିଆ ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ପଦବି ଖାଲି ପଡିଛି। ବଣାଇ ତହସିଲଦାର ରେଜେଷ୍ଟ୍ରି ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବରେ ଥିବାବେଳେ ଏଥିପାଇଁ କାର୍ଯ୍ୟଭାର ଅଧିକ ହେଉଥିବା ଜଣାପଡିଛି। ସେହିପରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲାପାଳଙ୍କ ବ୍ୟତୀତ ଅନ୍ୟ କୌଣସି ଅଧିକାରୀ ନଥିବାରୁ ଜନସାଧାରଣ ବିଭିନ୍ନ ଅଭାବ ଅସୁବିଧା ବିଷୟରେ ଅଭିଯୋଗ କରିବାକୁ ଆସିଲେ ଯେଉଁଦିନ ଉପଜିଲାପାଳ ଛୁଟି କିମ୍ବା ସରକାରୀ କାର୍ଯ୍ୟରେ ଅନ୍ୟତ୍ର ଗସ୍ତ କରନ୍ତି ତେବେ ଜନସାଧାରଣଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବାକୁ କେହି ନାହାନ୍ତି। ଫଳରେ ସେଠାରେ ଏକପ୍ରକାର ପ୍ରଶାସନିକ ଅଚଳାବସ୍ଥା ଦେଖାଦେଇଛି। ସେହିପରି ବଣାଇଗଡ ବ୍ଲକ କାର୍ଯ୍ୟାଳୟରେ ଦୀର୍ଘ ଦିନ ହେବ ବିଡିଓ ପଦବି ଶୂନ୍ୟ ରହିଛି।

ଏଠାରେ ଅତିରିକ୍ତ ବିଡିଓ ଦାୟିତ୍ବରେ ଥିବାବେଳେ ବହୁ ଅଧିକାରୀଙ୍କ ପଦବି ଖାଲି ରହିଛି। ମୁଖ୍ୟତଃ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଂଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ, ବ୍ୟକ୍ତିଗତ ସହାୟକ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ବହୁ ଗୁରୁତ୍ବପୂର୍ଣ୍ଣ ପଦବି ଖାଲି ପଡିଥିବାରୁ ବ୍ଲକ୍‌ଟି ଏକ ପ୍ରକାର ଅଚଳ ଅବସ୍ଥାରେ ପଡିରହିଛି। ସେହିପରି ବଣାଇ ଉପଖଣ୍ତର ବଣାଇଗଡ ଓ କୋଇଡା ବ୍ଲକ୍‌ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବି ଖାଲିପଡିଥିବାରୁ ଏହି ସ୍ଥାନରେ ଗୁରୁଣ୍ତିଆ ଓ ଲହୁଣିପଡା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ସେହିପରି ବଣାଇଗଡ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦ କିଛି ବର୍ଷ ହେବ ଖାଲି ପଡ଼ିଛି। ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟରେ ମଧ୍ୟ ପ୍ରଧାନ ଶିକ୍ଷକ ପଦଟି ମଧ୍ୟ ଖାଲି ପଡିଛି।

ସହକାରୀ ଶ୍ରମ ଅଧିକାରୀ ପଦବି ଖାଲି ପଡ଼ିଥିବାବେଳେ ଦୀର୍ଘ ଦିନ ହେବ ଶ୍ରମ ନିରୀକ୍ଷକ ଏହାର ଅତିରିକ୍ତ ଦାୟିତ୍ବରେ ରହିଛନ୍ତି। ଏହା ସହିତ ବଣାଇ ଉପଖଣ୍ତ ଚିକିତ୍ସାଳୟ ସହିତ ଉପଖଣ୍ତରେ ଥିବା ଗୋଷ୍ଠୀ ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ହେବ ବହୁ ମଞ୍ଜୁରପ୍ରାପ୍ତ ଡାକ୍ତରଙ୍କୁ ନିଯୁକ୍ତି ମିଳୁ ନାହଁ। ଏପରିକି ଆଭ୍ୟନ୍ତରୀଣ ଅଂଚଳ ଫୁଲଝର, ଜର୍ଡା, ସୋଲ, ତାମଡା, ମହୁଲପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ଗ୍ରାମାଂଚଳରେ ସ୍ବାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ସେହିପରି ବଣାଇ ଉପଖଣ୍ତ ପୁଲିସ ବିଭାଗର ମହୁଲପଦା, ଚାନ୍ଦିପୋଷ ଓ କେ.ବଲାଙ୍ଗ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଥାନା ଗୁଡିକରେ କୌଣସି ଥାନା ଅଧିକାରୀ ନାହାନ୍ତି। ଏମାନଙ୍କ ସ୍ଥାନରେ ସବ୍‌ଇନସପେକ୍ଟର ମାନଙ୍କୁ ଥାନା ଅଧିକାରୀଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି କୋଇଡା ଓ ବଣାଇଗଡ ବ୍ଲକ୍‌ରେ ଦୁଇଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୀର୍ଘ ଦିନ ହେବ ଖାଲି ରହିଛି। ଏହି ସ୍ଥାନରେ ନିକଟସ୍ଥ ଗୁରୁଣ୍ତିଆ ଓ ଲହୁଣିପଡା ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଥିବାବେଳେ ସେମାନଙ୍କ ଉପରେ କାର୍ଯ୍ୟଭାର ଅତ୍ୟଧିକ ଚାପ ସୃଷ୍ଟି କରୁଛି। ଏଣୁ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ଦେଇ ଖାଲି ପଡିରହିଥିବା ଏହି ସମସ୍ତ ସରକାରୀ ପଦବିଗୁଡିକ ତୁରନ୍ତ ପୂରଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର