ବନ ବିଭାଗରେ ଧଳାହାତୀ ପୋଷା

ଅବହେଳା ପାଇଁ ତଳିଆଙ୍କୁ ବଳି, ଉପର ଅଧିକାରୀଙ୍କୁ ପଦୋନ୍ନତି

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଜଗନ୍ନାଥପ୍ରସାଦ ବନାଞ୍ଚଳ କନ୍ଧନୂଆପଲ୍ଲୀ ଗ୍ରାମ ନିକଟ କାଜୁଜଙ୍ଗଲରେ ଏକ ଦନ୍ତାକୁ ନିର୍ମମ ଭାବେ ହତ୍ୟା କରି ତା’ର ଦାନ୍ତ ଉପାଡ଼ିନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଜଣେ ଗିରଫ ହୋଇସାରିଥିବା ବେଳ‌େ ଦନ୍ତାର ଦାନ୍ତକୁ ବି ଠାବ କରାଯାଇଛି। କିନ୍ତୁ ଏଯାଏ ମାଷ୍ଟରମାଇଣ୍ଡ୍ ଧରାପଡ଼ିନି। ‌ତେବେ ଏହି ଘଟଣା ବନ ବିଭାଗର ଦାୟିତ୍ବହୀନତାକୁ ପଦାରେ ପକାଇଥିଲା। ପରିବେଶବିତ୍ ମାନେ କ୍ଷୋଭ ପ୍ରକାଶ କରିବା ସହ ହାତୀର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଫଳରେ ବନ ବିଭାଗର ବଡ଼ବଡ଼ିଆ ଅଧିକାରୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଥିଲା। ତରବରିଆ ଭାବେ ନିଜ ଦୋଷ ଝାଡ଼ିବା ଓ ନିଜ ପଦପଦବି ବଞ୍ଚାଇବାକୁ ବେଲଗୁଣ୍ଠା ବନପାଳ ଏବଂ ବିଡିପୁର ବନରକ୍ଷୀଙ୍କୁ ଚାକିରିରୁ ନିଲମ୍ବିତ କରାଗଲା। କିଛି କର୍ମଚାରୀ ‘ସମ୍ବାଦ’ ସହ ନାମ ଗ‌ୋପନ ରଖିବା ସର୍ତ୍ତରେ କହିଛନ୍ତି, ହାତୀମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣାରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଭୂମିକା ବି ତଦନ୍ତ ପରିସରକୁ ଆସିବା କଥା। ହେଲେ ଦୁଃଖର କଥା ହେଲା, କେବଳ ତଳତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ବିଚାର‌ରେ ନିଆଯାଉଛି। ଆଉ ବନ ବିଭାଗରେ କେବଳ ଧଳାହାତୀ ପୋଷା ଚାଲିଛି।

ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ନ୍ୟାୟରେ ଜଗନ୍ନାଥପ୍ରସାଦ ବନାଞ୍ଚଳର ଜଣେ ଉଚ୍ଚପଦସ୍ଥ ଅଧିକାରିଣୀ ଆଠମାସ ହେଲା ପଦୋନ୍ନତି ପାଇ ଏଠାରେ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ମାସକରେ ୨୦ ଦିନ ବି ତାଙ୍କୁ ଅଫିସ୍‌ରେ ଦେଖିବାକୁ ମିଳୁନି। ସପରିବାର ସେ ବ୍ରହ୍ମପୁରରେ ରହୁଥିବା ବେଳେ ଉପର ମହଲାରେ ତାଙ୍କର କାଳେ ଅଧିକ ପତିଆରା ରହିଛି। ନିଜ ଚାକିରିକାଳ ମଧ୍ୟରେ ସେ ସାନ‌ଖେମୁଣ୍ଡି ବ୍ଲକ୍ ପୋଡ଼ାମାରି, ଗଜପତି ଜିଲ୍ଲା ମୋହନା ଓ ଆର୍‌.ଉଦୟଗିରି ଏବଂ ଗଞ୍ଜାମ ଜିଲ୍ଲା ସାମନ୍ତିଆପଲ୍ଲୀ ରେଞ୍ଜ୍‌ରେ ବନରକ୍ଷୀ ଭାବେ କାର୍ଯ୍ୟ କରିଆସୁଥିଲେ। ବର୍ତ୍ତମାନ ସ‌େ ପଦୋନ୍ନତି ପାଇ ଜଗନ୍ନାଥପ୍ରସାଦ ରେଞ୍ଜ୍‌ରେ ଯୋଗ ଦେଇଥିଲେ ହେଁ, ମାସର ଅଧା ସମୟ ନିଜ ଡ୍ୟୁଟି କରୁ ନାହାନ୍ତି। ଉଚ୍ଚପଦସ୍ଥ ଅଧିକାରୀଙ୍କ ତାଗିଦ୍ କରିବାକୁ ବି ସାହସ ନାହିଁ।
ତେବେ କେବଳ ଏହି ଗୋଟିଏ ସ୍ପର୍ଶକାତର ଘଟଣା ନୁହେଁ, ଏହାପୂର୍ବରୁ ମାର୍ ମାର୍ ଭଣ୍ଡାରିଆକୁ ମାର୍ ନୀତିରେ କେବଳ ତଳତଳିଆ କର୍ମଚାରୀଙ୍କୁ ଢାଲ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଉପରିସ୍ଥ ଅଧିକାରୀମାନେ ଦାୟିତ୍ବ ସାରିଦେଉଛନ୍ତି। ହେଲେ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟକଳାପ ତଦାରଖ କରିବାକୁ କାହାର ସାହସ ନାହିଁ। ବିନା କାମରେ ମୋଟା ଅଙ୍କର ଦରମା ଗୋଟାଉଛନ୍ତି। ସେମାନେ କାର୍ଯ୍ୟରେ ଅବହେଳା କରି ଆସୁଥିଲେ ହେଁ, କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନି ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର