କେନ୍ଦ୍ରାପଡ଼ାରେ ଅଧିକାରୀ ରାଜ୍‌! ଫଳକରୁ କାଟି ଦେଲେ ବିଧାୟକଙ୍କ ନାଁ

ବ୍ୟାନର‌ ଝୁଲାଇ ମନ ବୁଝାଇଲେ ଅନୁଗତ

କେନ୍ଦ୍ରାପଡ଼ା : ପୂର୍ବରୁ ନେତାଙ୍କ ମଧ୍ୟରେ ପତିଆରା ପାଇଁ ଫଳକ ରାଜନୀତି ଚାଲିଆସିଛି। କିନ୍ତୁ ଏବେ ପ୍ରଶାସକ ଲୋକ ପ୍ରତିନିଧିଙ୍କ ନାଁ ନରଖି ନିଜ ନାଁରେ ଫଳକ ଉଦଘାଟନ କରିବା ଭଳି ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ରୋଚକ ସ୍ଥିତି ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ବ୍ଲକ୍‌ ଚନ୍ଦନପୁରସ୍ଥିତ ଶୀତଳଭଣ୍ତାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ। ଶୀତଳଭଣ୍ତାର ପ୍ରକଳ୍ପ ଫଳକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ପଂଚାୟତ ସମିତି ଅଧୢକ୍ଷ ଶିବପ୍ରସାଦ ଭଳଙ୍କ ନାଁ ଲେଖା ଯାଇନାହିଁ। ଫଳକରେ ଉଦ୍‌ଘାଟକ ଭାବେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନାଁ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଡିଆରଡିଏ ପିଡି ଦିଲୀପ କୁମାର ପରିଡ଼ା, ବିଡିଓ ଅଶ୍ବିନୀ କୁମାର ଦାସ, ଚନ୍ଦନପୁର ପ˚ଚାୟତ ସରପଞ୍ଚ ସୋନାଲି ବିଶ୍ବାଳଙ୍କ ନାଁ ରହିଛି।

ନିଜ ଅ˚ଚଳରେ ଉଦ୍‌ଘାଟିତ ହେଉଥିବା ପ୍ରକଳ୍ପ ଫଳକରୁ ସ୍ଥାନୀୟ ବିଧାୟକଙ୍କ ନାଁ ବାଦ୍‌ ପଡ଼ିବା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ବିଧାୟକଙ୍କ ସମର୍ଥକମାନେ ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଭେଟି ଫେରାଦ୍‌ ହେବା ସହିତ ଫଳକ ବଦଳାଇବାକୁ ଦାବି କରିଥିଲେ। ମାତ୍ର ଫଳକ ବଦଳିଲା ନାହିଁ। ଅନ୍ୟ ପକ୍ଷରେ ବିଧାୟକଙ୍କ ସମର୍ଥକ ମାନେ ଜିଲ୍ଳାପାଳ ଉଦ୍‌ଘାଟନ କରିବାକୁ ଆସିବାର ପ୍ରାୟ ଅଧଘଣ୍ଟା ପୂର୍ବରୁ ଫଳକ ଉପରେ ସେହି ଆକୃତିର ଅବିକଳ ଆଉ ଏକ ବ୍ୟାନର‌୍‌ ଥାପି ଦେଇଥିଲେ; ଯେଉଁଥିରେ ଉଦ୍‌ଘାଟକ ରୂପେ ବିଧାୟକ ଶଶୀଭୂଷଣ ବେହେରାଙ୍କୁ ଦର୍ଶାଯାଇଥିବା ବେଳେ ସମ୍ମାନିତ ଅତିଥି ତାଲିକାରେ ଅଧୢକ୍ଷ ଶିବପ୍ରସାଦ ଭଳଙ୍କ ନାଁ ଲେଖା ଯାଇଥିଲା। ଧାର୍ଯ୍ୟ ସମୟର ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଜିଲ୍ଲାପାଳ ଆସି ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ମହିଳା ସ୍ବୟ˚ ସହାୟକ ଗୋଷ୍ଠୀ ଦ୍ବାରା ରାଜ୍ୟରେ ପ୍ରଥମଥର ପାଇଁ ପରିଚାଳିତ ହେବାକୁ ଥିବା ଏହି ଶୀତଳଭଣ୍ତାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବିଧାୟକ, ଜିଲ୍ଲା ପରିଷଦ ଓ ପଂଚାୟତ ସମିତି ଅଧୢକ୍ଷଙ୍କୁ ବାଦ୍‌ ଦେବା ନିଷ୍ପତ୍ତି କାହାର ବୋଲି ଏବେ ପ୍ରଶ୍ନ ଉଠିଛି?

ସୂଚନାଯୋଗ୍ୟ, ସ୍ବାୟତ୍ତ ଶାସନ ଦିବସରେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ତାଇ ପୌରାଞ୍ଚଳରେ ଉଦ୍‌ଘାଟନ/ଶିଳାନ୍ୟାସ ହୋଇଥିବା ଦଶରୁ ଅଧିକ ପ୍ରକଳ୍ପ ଫଳକରେ ସା˚ସଦ ଅନୁଭବ ମହାନ୍ତିଙ୍କ ନାଁ ରଖା ଯାଇ ନଥିଲା।

ସମ୍ବନ୍ଧିତ ଖବର