ବିଏମ୍‌ସିରୁ ହଟିବ ଅଫିସର ରାଜ୍‌, ୯ ତାରିଖରେ ଦାୟିତ୍ୱ ନେବ ନୂଆ ପରିଷଦ

୩୮ ମାସ ପରେ ଲୋକେ ପାଇଲେ ନୂଆ ପ୍ରତିନିଧି

ଭୁବନେଶ୍ୱର : ଜାନୁଆରି ୧୫, ୨୦୧୯ରେ ବିଏମ୍‌ସିର ମେୟର ଓ କର୍ପୋରେଟରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହା ପରଠାରୁ ବିଏମ୍‌ସିରେ ଆରମ୍ଭ ହୋଇଥିଲା ଅଫିସର ରାଜ୍‌। ଯାହା ଏବେ ଶେଷ ହେବାକୁ ଯାଉଛି। ତିନି ବର୍ଷ ଦୁଇ ମାସ ପରେ ପ୍ରଶାସକଙ୍କ ହାତରୁ ନେତାଙ୍କ ପାଖକୁ ଶାସନ କ୍ଷମତା ହସ୍ତାନ୍ତର ହେବ। ବିଏମ୍‌ସିର ଅଧିକାରୀମାନେ ଆଉ ମନଇଚ୍ଛା ନିଷ୍ପତ୍ତି ନେଇପାରିବେନି କି ତାଙ୍କ ଯୋଜନାକୁ ରାଜଧାନୀବାସୀଙ୍କ ଉପରେ ଲଦିଦେବେନି। ଯାହା ବି ନିଷ୍ପତ୍ତି ହେବ କର୍ପୋରେସନର ଅନୁମୋଦନ ପରେ କାର୍ଯ୍ୟକାରୀ ହେବ।

ଆସନ୍ତା ୯ ତାରିଖରେ ନୂଆ କର୍ପୋରେଟରମା‌ନଙ୍କ ଶପଥ ଗ୍ରହଣ ଉତ୍ସବ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ଏହାପରେ ବିଏମ୍‌ସିରେ ଗଠନ ହେବ ନୂଆ ପରିଷଦ। ପ୍ରଥମ ମହିଳା ମେୟର ପାଇବ ବିଏମ୍‌ସି। କର୍ପୋରେଟରମାନେ ବିଭିନ୍ନ ଦାୟିତ୍ବ ଗ୍ରହଣ ସହ ୱାର୍ଡଗୁଡ଼ିକର ସମସ୍ୟାର ସମାଧାନ ନେଇ ନିଷ୍ପତ୍ତି ନେବେ । ପରିଚାଳନା କମିଟି ବି ଗଠନ କରାଯିବ। ପ୍ରକଳ୍ପ ଅନୁମୋଦନ କମିଟି, ଫାଇନାନ୍ସ କମିଟି, ଟେଣ୍ଡର କମିଟି ପରି ବିଭିନ୍ନ କମିଟିରେ କର୍ପୋରେଟରମାନେ ସାମିଲ ହେବେ। ଲୋକଙ୍କ ସମସ୍ୟା ବୁଝିବେ। ସମାଧାନ ବି କରିବେ। ୱାର୍ଡ ଅଫିସଗୁଡ଼ିକ ପୁଣିଥରେ ସଚଳ ହେବ। ଲୋକେ ନିଜର ସମସ୍ୟା କହିବାକୁ ବାରମ୍ବାର ୱାର୍ଡ ଅଫିସରଙ୍କ ପାଖକୁ ଦଉଡ଼ିବେନି। ବରଂ ନିଜେ ବାଛିଥିବା ନେତାଙ୍କ ନିକଟରେ ଗୁହାରି କରିବେ। ନେତା ସେମାନଙ୍କ ସମସ୍ୟା ଦେଖିବେ, ଶୁଣିବେ ଓ ସମାଧାନ କରିବେ।

ନିର୍ବାଚିତ ଜନପ୍ରତିନିଧି ନଥିବାରୁ ରାଜଧାନୀବାସୀ ଗତ ତିନିବର୍ଷ ହେଲା ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଏବେ ଆଉ ଦେଖିବାକୁ ମିଳିବନି। ୨୦୧୯ ଜାନୁଆରି ୧୫ରୁ କର୍ପୋରେଟରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପ୍ରଶାସକଙ୍କ ହାତରେ ମୁଖ୍ୟତଃ କ୍ଷମତା ରହିଥିଲା। ବିଏମ୍‌ସି ପାଇଁ ପ୍ରଶାସକ ନିଯୁକ୍ତ ହୋଇଥିଲେ। ପ୍ରଥମ ପ୍ରଶାସକ ଭାବେ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହାପରେ ବିଏମ୍‌ସିର ପୂର୍ବତନ କମିସନର କ୍ରିଷନ୍‌ କୁମାର ଦାୟିତ୍ବରେ ରହିଥିଲେ। ପରବର୍ତୀ ସମୟରେ ପୁଣି ସଂଗ୍ରାମଜିତ୍‌ ନାୟକ ଏବଂ ପରେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନାନ୍‌ ଏହି ପଦରେ ରହିଛନ୍ତି। ପ୍ରଶାସକମାନେ ମୁଖ୍ୟତଃ ନଗର ଉନ୍ନୟନ ବିଭାଗର ଗୁରୁତ୍ବପୂର୍ଣ୍ଣ ପଦବିରେ ଥିବାରୁ ସେମାନେ ବିଏମ୍‌ସିକୁ ଆଦୌ ସମୟ ଦେଉ ନଥିଲେ। ଏପରିକି ବର୍ତ୍ତମାନର ପ୍ରଶାସକ ଥରୁଟିଏ ବି ବିଏମ୍‌ସି ଅଫିସ୍‌ ଆସିଲେନି କି ଲୋକଙ୍କ ସମସ୍ୟା ବୁଝିଲେନି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା।

ପ୍ରଶାସକଙ୍କୁ ଦେଖିବା ସହରବାସୀଙ୍କ ଲାଗି ଯେମିତି ସ୍ବପ୍ନ ହୋଇଯାଇଥିଲା। ଏପଟେ ୱାର୍ଡ ସ୍ତରରେ ନିର୍ବାଚିତ ପ୍ରତିନିଧି ନଥିବାରୁ ସେମାନଙ୍କ ବହୁ ସମସ୍ୟାର ସମାଧାନ ହେଉ ନଥିଲା। ପୂର୍ବତନ କର୍ପୋରେଟର୍‌ଙ୍କୁ ମଧ୍ୟ ଜୋର୍‌ ଦେଇ ସମସ୍ୟା କହିପାରୁ ନ ଥିଲେ କି ପୂର୍ବତନ ‌କର୍ପୋରେଟର ସମସ୍ୟା ନେଇ ବିଏମ୍‌ସି ଅଫିସକୁ ଯାଉ ନ ଥିଲେ। ସମସ୍ୟା ସମାଧାନ ହେଉ ନଥିବାରୁ ଜନ ଅ‌ସନ୍ତୋଷ ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ଗୋଟିଏ ସମୟରେ ତତ୍କାଳୀନ ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀ ୱାର୍ଡ ପରିଦର୍ଶନରେ ବାହାରିଥିଲେ। ଲୋକଙ୍କ ନିକଟରେ ପହଞ୍ଚି ସମସ୍ୟା ପରଖୁଥିଲେ। ସମାଧାନ କରିବା ଦିଗରେ ପଦକ୍ଷେପ ନେଉଥିଲେ। ମାତ୍ର ୨୦୨୧ ମେ’ ମାସରେ ସଞ୍ଜୟ ସିଂହ ବିଏମ୍‌ସି କମିସନର୍‌ ଭାବେ ଦାୟିତ୍ବ ନେବା ପରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଶ୍ରୀ ସିଂହଙ୍କୁ ସାଧାରଣ ଲୋକ ଭେଟି ପାରୁ ନଥିଲେ କି କାହାର ଅଭିଯୋଗ ‌ଶୁଣିବା ପାଇଁ କିଛି ପଦକ୍ଷେପ ନେଇନଥିଲେ। ତେଣୁ ଏବେ ନୂ୍ଆ ମେୟର, କର୍ପୋରେଟର ଆସିଥିବାରୁ ଚାପରେ ହୁଏତ କମିସନରଙ୍କ କାର୍ଯ୍ୟଶୈଳୀ ବଦଳିବ ବୋଲି ଆଶା କରାଯାଉଛି।

କରୋନା କାଳରେ ଲୋକେ ବିଏମ୍‌ସି ଆସୁ ନଥିବା ବେଳେ ବହୁ ସ୍ଥାନରେ ୱାର୍ଡ ଅଫିସର ଓ ଜୋନାଲ ଡେପୁଟି କମିସନରଙ୍କ ସ୍ତରରେ ଅଭିଯୋଗ କରାଯାଉଥିଲା। ମାତ୍ର ସେଗୁଡ଼ିକର ସମାଧାନ ତୁରନ୍ତ ହେଉ ନଥିଲା। ଏପରିକି ବିଭିନ୍ନ ୱାର୍ଡରୁ ବହୁ ଦିନ ଧରି ଅଳିଆ ଉଠୁ ନ ଥିଲା। ଡ୍ରେନ୍‌ କାମ ଅଧପନ୍ତରା ହୋଇ ପଡ଼ି ରହୁଥିଲା। ଲୋକ ଯେତେ‌ ଅଭିଯୋଗ କଲେ ବି ସମାଧାନ ହେଉ ନ ଥିଲା। ପ୍ରଶାସକ ଓ କମିସନର ତଳିଆ ଅଧିକାରୀଙ୍କୁ ଦାୟିତ୍ବ ଦେଇ ଚିନ୍ତାଶୂନ୍ୟ ହୋଇ ବସୁଥିବାବେଳେ ଲୋକ ଦହଗଞ୍ଜ ହେଉଥିଲେ। ପ୍ରଶାସକ ତ ରହିବେନି। ହେଲେ କମିସନର ଯଦି ବର୍ତ୍ତମାନ ଯେଉଁ ଢଙ୍ଗରେ କାମ କରୁଛନ୍ତି ତାହା ଯଦି ଜାରି ରହେ ତେବେ ଆଗକୁ ସ୍ଥିତି ସଙ୍ଗିନ ନହେବ ବୋଲି କହିହେବନି।

ସମ୍ବନ୍ଧିତ ଖବର