ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ (ଡାଟା ଏଣ୍ଟ୍ରି ଅପରେଟର) ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ରାଣୀମୁଣ୍ଡା ଗ୍ରାମର ନିତ୍ୟାନନ୍ଦ ହିଆଲ ଏକ ଆବାସିକ ପ୍ରମାଣପତ୍ର ପାଇଁ ବାରଂବାର ତହସିଲ ଅଫିସକୁ ଦୌଡ଼ୁଥିଲେ। ଡିଇଓ ଭୋଳା ମହେଶ୍ବର ଦଣ୍ଡସେନା ଏଥିପାଇଁ ତାଙ୍କୁ ହଇରାଣ କରୁଥିଲେ। ପରେ ଏଥିପାଇଁ ପରିବାରର ସମସ୍ତଙ୍କ ପାଇଁ ଜଣ ପିଛା ଦୁଇ ହଜାର ଟଙ୍କା ଦେଲେ ତୁରନ୍ତ ଆବାସିକ ପ୍ରମାଣପତ୍ର ମିଳିବ ବୋଲି ନିତ୍ୟାନନ୍ଦଙ୍କୁ ମହେଶ୍ବର କହିଥିଲେ। ନିତ୍ୟାନନ୍ଦଙ୍କ ପରିବାରର ସାତ ଜଣ ଏବଂ ଗ୍ରାମର ଅନ୍ୟ ଆଠ ଜଣ ସଦସ୍ୟଙ୍କ ସହ ମୋଟ ୧୫ ଜଣଙ୍କ ପାଇଁ ୩୦ ହଜାର ଟଙ୍କା ଦେବା ନେଇ କଥା ସରିଥିଲା।
ଏନେଇ ନିତ୍ୟାନନ୍ଦ ହିଆଲ ନୂଆପଡ଼ା ଭିଜିଲାନ୍ସ ବିଭାଗକୁ ଲିଖିତ ଭାବରେ ଜଣାଇବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୩୦ ହଜାର ଟଙ୍କା ତାଙ୍କୁ ଦିଆ ଯାଇଥିଲା। ଯୋଜନା ଅନୁସାରେ ବୁଧବାର ନିତ୍ୟାନନ୍ଦ ଡିଇଓ ଭୋଳ ମହେଶ୍ବର ଦଣ୍ଡସେନାଙ୍କୁ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଭବାନୀପାଟଣା ଭିଜିଲାନ୍ସ ବିଭାଗ ଡିଏସ୍ପି ସଦାନନ୍ଦ ପଣ୍ଡା ଓ ନୂଆପଡ଼ା ଡିଏସ୍ପି ଦୀନବନ୍ଧୁ ବେହେରାଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ଇନ୍ସପେକ୍ଟର ଆଲୋକ ମହାପାତ୍ର, ପ୍ରମିଳା ସୁନା ଓ ଭିଜିଲାନ୍ସ ବିଭାଗର ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।