ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଡ୍ରଗ୍‌ସ କଣ୍ଟ୍ରୋଲ ଅଫିସର୍ସ ସଂଘ : ଡ୍ରଗ୍‌ସ କଣ୍ଟ୍ରୋଲରଙ୍କୁ ବିଦା କର

ଭୁବନେଶ୍ୱର : ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲରଙ୍କ କାର୍ଯ୍ୟକାଳକୁ ନ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଓଡ଼ିଶା ଡ୍ରଗ୍‌ସ କଣ୍ଟ୍ରୋଲ ଅଫିସର୍ସ ଆସୋସିଏସନ୍‌। ଆସୋସିଏସନ୍‌ ପକ୍ଷରୁ ଏ ସଂକ୍ରାନ୍ତୀୟ ଚିଠି ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ପ୍ରଦାନ କରାଯାଇଛି। ତେବେ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅଫିସର୍ସ ସଂଘର ଏଭଳି ଚିଠି ଲେଖି ଅଭିଯୋଗ ଜଣାଇବାକୁ ନେଇ ଆଲୋଚନା ଜୋର୍‌ ଧରିଛି।

ସଂଘ ପକ୍ଷରୁ କୁହାଯାଇଛି ଯେ ୨୦୧୨ ମସିହାରେ ରାଜ୍ୟରେ ମଦମୃତ୍ୟୁ ଘଟଣା ପରେ ଡ୍ରଗ୍‌ସ କଣ୍ଟ୍ରୋଲର ଭାବେ କାର୍ଯ୍ୟ କରୁଥିବା ଅନ୍ନଦା ଶଙ୍କର ଦାସଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ସମୟରେ ଉପ-ଡ୍ରଗ୍‌ସ କଣ୍ଟ୍ରୋଲ ଦାୟିତ୍ୱରେ ଥିବା ହୃଷୀକେଶ ମହାପାତ୍ରଙ୍କୁ ଡ୍ରଗ୍‌ସ କଣ୍ଟ୍ରୋଲର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ପରବର୍ତୀ ସମୟରେ ମଦମୃତ୍ୟୁର ଯାଞ୍ଚ ପାଇଁ ନାଇଡ଼ୁ କମିସନ ଗଠନ କରାଯାଇଥିଲା। କମିସନ ୩୪୭ ପୃଷ୍ଠାର ଏକ ରିପୋର୍ଟ ପ୍ରଦାନ କରିଥିଲେ। ମଦମୃତ୍ୟୁ ଘଟିବା ସମୟରେ ଗୁଇନ୍ଦା ଦାୟିତ୍ୱରେ ଥିବା ଶ୍ରୀ ମହାପାତ୍ରଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି କମିସନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଏହାସତ୍ତ୍ୱେ ଶ୍ରୀ ମହାପାତ୍ର ଡ୍ରଗ୍‌ସ କଣ୍ଟ୍ରୋଲର (ଭାରପ୍ରାପ୍ତ) ଦାୟିତ୍ୱରେ ରହି ଆସିଛନ୍ତି। ଏପରିକି ୨୦୧୫ ମସିହାରେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟାଳୟ ଓ ଘରେ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ମାମଲାରେ ଭିଜିଲାନ୍‌ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ମାତ୍ର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ସଂଘ ଅଭିଯୋଗ କରିଛି।

ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ନଦା ଶଙ୍କର ଦାସଙ୍କୁ ପୁଣିଥରେ ଡ୍ରଗ୍‌ସ କଣ୍ଟ୍ରୋଲର ଭାବେ ନିଯୁକ୍ତି ଦେବାକୁ ନିର୍ଦେଶନାମା ପ୍ରକାଶ ପାଇଥିଲା। ମାତ୍ର ଶ୍ରୀ ଦାସଙ୍କୁ ତାଙ୍କ ପଦରୁ ରିଲିଭ କରାଗଲା ନାହିଁ। ଫଳରେ ସେ ଡ୍ରଗ୍‌ସ କଣ୍ଟ୍ରୋଲର ଭାବେ ଯୋଗ ଦେଇପାରି ନାହାନ୍ତି। ଅପରପକ୍ଷେ ଏବେ ଡ୍ରଗ୍‌ସ କଣ୍ଟ୍ରୋଲର (ଭାରପ୍ରାପ୍ତ) ଭାବେ କାର୍ଯ୍ୟ କରୁଥିବା ଶ୍ରୀ ମହାପାତ୍ର ଚଳିତ ମାସ ୩୧ ତାରିଖରେ ଅବସର ଗ୍ରହଣ କରୁଛନ୍ତି। ମାତ୍ର ସେ ରାଜ୍ୟରେ ୨ଟି ଡ୍ରଗ୍‌ସ କଣ୍ଟ୍ରୋଲ ପରୀକ୍ଷାଗାର ପ୍ରତିଷ୍ଠାର ଆଳ ଦେଖାଇ ନିଜର କାର୍ଯ୍ୟକାଳ ବଢ଼ାଇବା ପାଇଁ ଚାହୁଥିବା ସଂଘ ସୂଚନା ପାଇଛି, ଯାହାକି ଦୁଃଖଦାୟକ। ବିଭାଗରେ ଅନେକ ବରିଷ୍ଠ ଅଧିକାରୀ ରହିଛନ୍ତି। ସେମାନଙ୍କୁ ପଦୋନ୍ନତି ଦିଆଯିବା ଆବଶ୍ୟକ ବୋଲି ସଂଘ କହିଛି।

ସମ୍ବନ୍ଧିତ ଖବର